ଭୁବନେଶ୍ବର: ଏଣିକି ରାଜଧାନୀର ରାସ୍ତାଘାଟ ଓ ନାଳ ନର୍ଦ୍ଦମାରେ ଆଉ ପଶୁପକ୍ଷୀଙ୍କ ମୃତଦେହ ପଡ଼ି ରହିବ ନାହିଁ। ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ପଶୁପକ୍ଷୀଙ୍କ ଶବଗୁଡ଼ିକୁ ପୋଡ଼ିବାକୁ ଯୋଜନା ପ୍ରସ୍ତୁତ କରିଛି। ଏଥିପାଇଁ ବିଏମ୍ସି ଗାଡ଼କଣସ୍ଥିତ କଂସେଇଖାନା ନିକଟରେ ଦୁଇଟି ସ୍ବତନ୍ତ୍ର ଗ୍ୟାସ୍ ଚୁଲା ବସାଇବ ବୋଲି ନିଷ୍ପତ୍ତି ନେଇସାରିଛି। ଏଥିପାଇଁ ରିକ୍ୟୁଏଷ୍ଟ ଫର୍ ପ୍ରପୋଜାଲ୍(ଆର୍ଏଫ୍ପି) ଆହ୍ବାନ କରାଯାଇଛି। ତେବେ ମହାମାରୀ କରୋନା ପାଇଁ ଟେଣ୍ଡର ପ୍ରକ୍ରିୟା ବିଳମ୍ବିତ ହେଉଥିଲେ ହେଁ ଖୁବ୍ ଶୀଘ୍ର ଏହି କାର୍ଯ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି।
ରାଜଧାନୀରେ ମଲା କୁକୁର ଓ ମଲା ଗାଈଗୋରୁ ରାସ୍ତାରେ ପଡ଼ି ରହିବା ଏକ ସାଧାରଣ ଘଟଣା। ରାସ୍ତାଘାଟରେ ପଡ଼ିଥିବା ଜୀବଜନ୍ତୁଙ୍କ ମୃତଦେହ ଉଠାଇବା ପାଇଁ ପ୍ରତି ମାସରେ ୪୦ରୁ ୫୦ ଫୋନ୍ ବିଏମ୍ସି ଟୋଲ ଫ୍ରି’ ନମ୍ବରକୁ ଆସୁଛି। ବେଳେବେଳେ ବିଏମ୍ସି କର୍ମଚାରୀମାନେ ମୃତଦେହଗୁଡ଼ିକୁ ଉଠାଇ ଜନବସତି ବାହାରେ ଫିଙ୍ଗି ଦିଅନ୍ତି। କିନ୍ତୁ ଅଧିକାଂଶ ସମୟରେ ମୃତଦେହଗୁଡ଼ିକ ପଚିଶଢ଼ି ପ୍ରବଳ ଦୁର୍ଗନ୍ଧ ହେବା ଯାଏ କଥା ଯାଏ ସିନା, କିନ୍ତୁ କେହି ଉଠାନ୍ତି ନାହିଁ। ସଫେଇ କର୍ମଚାରୀ ମଢ଼ ଉଠାଇବା ସେମାନଙ୍କ କାମ ନୁହେଁ କହି କାନ୍ଧ ଖସାଇ ଦିଅନ୍ତି। ସେହିଭଳି ମଲା ପଶୁପକ୍ଷୀଙ୍କୁ ଗାତ ଖୋଳି ପୋତିବା ବିଏମ୍ସି କର୍ମଚାରୀମାନଙ୍କ ପାଇଁ କଷ୍ଟକର ହେଉଥିବାରୁ ସେମାନେ ଡ୍ରେନ୍ କଡ଼ରେ ବା ଖୋଲା ସ୍ଥାନରେ ଫୋପାଡ଼ି ଦିଅନ୍ତି। ଫଳରେ ଲୋକମାନେ ଦୁର୍ଗନ୍ଧମୟ ପରିବେଶରେ ରହିବାକ ବାଧ୍ୟ ହୋଇଥା’ନ୍ତି। ତେଣୁ ବିଏମ୍ସି କର୍ତ୍ତୃପକ୍ଷ ରାଜଧାନୀରେ ମରୁଥିବା ସମସ୍ତ ପଶୁପକ୍ଷୀଙ୍କୁ ପୋଡ଼ିବା ପାଇଁ ବ୍ୟବସ୍ଥା କରିବାକୁ ଯାଉଛନ୍ତି। ରାସ୍ତାଘାଟରେ ମରୁଥିବା ବୁଲା ଜୀବଜନ୍ତୁ ହୁଅନ୍ତୁ କି ଲୋକଙ୍କ ଘରେ ମରୁଥିବା ଗୃହପାଳିତ ପଶୁ, ଏଣିକି ସବୁ ମଲା ପଶୁପକ୍ଷୀଙ୍କୁ ପୋଡ଼ାଯିବ।
ସୂଚନାନୁସାରେ, ଏଥିପାଇଁ ୨ଟି ଚୁଲାର ବ୍ୟବସ୍ଥା କରାଯାଇଛି। ଗୋଟିକରେ ଘଣ୍ଟାକରେ ୫୦ କେଜି ଏବଂ ଅନ୍ୟଟିରେ ଘଣ୍ଟାକରେ ୩୫୦କେଜି ଓଜନର ମୃତଦେହ ପୋଡ଼ି ହୋଇପାରିବ। ୫୦କେଜି ପୋଡ଼ିବା କ୍ଷମତା ବିଶିଷ୍ଟ ଚୁଲାରେ କୁକୁର ଏବଂ ଛୋଟ ପଶୁପକ୍ଷୀ ଏବଂ ୩୫୦ କେଜି ପୋଡ଼ିବା କ୍ଷମତା ବିଶିଷ୍ଟ ଚୁଲାରେ ଗାଈଗୋରୁ ଓ ବଡ଼ ଜନ୍ତୁଙ୍କ ଶବ ପୋଡ଼ାଯିବ। ବିଏମ୍ସିର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଗ୍ୟାସ୍ରେ ପୋଡ଼ିବା ଅଧିକ ବ୍ୟୟବହୁଳ ହୋଇଥିଲେ ହେଁ ବିଏମ୍ସି ବିଦ୍ୟୁତ୍ ଚୁଲା ଉପରେ ଭରସା କରିପାରୁନି। ସତ୍ୟନଗର ଶ୍ମଶାନରେ ମୃତଦେହ ପୋଡ଼ିବା ପାଇଁ ଥିବା ବିଦ୍ୟୁତ୍ ଚୁଲାର କଏଲ୍ ବାରମ୍ବାର ପୋଡ଼ି ଯାଉଥିବାରୁ ଏହାର ମରାମତି ହୋଇପାରୁନି। କୋଲକାତାରୁ ଟେକ୍ନିସିଆନ୍ ଆସିଲେ ମରାମତି ହେଉଛି। ଏହାର ଯନ୍ତ୍ରାଂଶ ମଧ୍ୟ ସହଜରେ ମିଳୁନି। ଜାଳେଣୀ ବାବଦ ଖର୍ଚ୍ଚ କମ୍ ହେଲେ ମଧ୍ୟ ରକ୍ଷଣାବେକ୍ଷଣ ଖର୍ଚ୍ଚ ବେଶ୍ ବଳେଇ ପଡ଼ୁଛି। ତେଣୁ ମଲା ପଶୁପକ୍ଷୀଙ୍କୁ ପୋଡ଼ିବା ପାଇଁ ବିଦ୍ୟୁତ ଚୁଲା ବଦଳରେ ଗ୍ୟାସ୍ ଚୁଲା ବ୍ୟବହାର କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।