ଭୁବନେଶ୍ୱର: ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) ଓ ବିଏମ୍‌ସି ମଧ୍ୟରେ ପୁଣି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ସ୍ମାର୍ଟ ସିଟି ତିଆରି କରିଥିବା ଜନପଥରେ ପାର୍କିଂ ପାଇଁ ବିଏମ୍‌ସି ଟେଣ୍ଡର ଡାକିଛି। ଶିଶୁ ଭବନ ଛକରୁ କାଳୀମନ୍ଦିର ଯାଏଁ ଖାଲି ଥିବା ସ୍ଥାନରେ ଅଫ୍‌ ଓ ଅନ୍‌ ଷ୍ଟ୍ରିଟ୍‌ ପାର୍କିଂ ଟେଣ୍ଡର ଦେଇ ରାଜସ୍ବ ଆଦାୟ ଯୋଜନା ହୋଇଛି। ଏହି ଜନପଥ ସହ ସହରର ୨୭ଟି ଭିନ୍ନ ଭିନ୍ନ ଜାଗାରେ ପାର୍କିଂ ଟେଣ୍ଡର ଦେଇ ବିଏମ୍‌ସି ବର୍ଷକୁ ୨କୋଟି ୮୭ ଲକ୍ଷ ୪୯ ହଜାର ୨୩୫ ଟଙ୍କା ରାଜସ୍ବ ଆଦାୟ ଲକ୍ଷ୍ୟ ରଖିଛି। ଏଥିରେ ୧୦ରୁ ଊର୍ଦ୍ଧ୍ବ ନୂଆ ଜାଗା ରହିଛି। ଏହି ନୂଆ ଜାଗା ସବୁ ହେଉଛି ଆପୋଲୋ ହସ୍‌ପିଟାଲ୍‌ ସାମ୍ନା, ମଣିପାଲ ହସ୍‌ପିଟାଲ୍‌ ସାମ୍ନା, କର କ୍ଲିନିକ୍‌ ସାମ୍ନା, ଲିଙ୍ଗରାଜ ମାର୍କେଟ୍‌ କମ୍ପ୍ଲେକ୍ସ, ବମିଖାଲ ଆରଓବି ତଳେ, ଉତ୍କଳ ହସ୍‌ପିଟାଲ୍‌, ସ୍ୟାଣ୍ଡି ଟାୱାର ପ୍ରଭୃତି ଅଞ୍ଚଳ ରହିଛି। ଏ ସବୁ ଅଞ୍ଚଳରେ ପାର୍କିଂ ହେଉଥିଲା। କେତେକ ଦାଦାଗିରି ଦେଖାଇ ବିଏମ୍‌ସି ନାଁରେ ମୋଟା ଅଙ୍କର ଅର୍ଥ ଚଳୁ କରୁଥିଲେ। ଏବେ ଏ ସବୁ ଜାଗାରୁ ବିଏମ୍‌ସି ରାଜସ୍ବ ଆଦାୟ କରିବ। ତେବେ ବଡ଼ କଥା ହେଉଛି ବିଏସ୍‌ସିଏଲ୍‌ ସ୍ମାର୍ଟ ଜନପଥ ପ୍ରସ୍ତୁତ କରିବା ପରେ ଏଠାରେ ପାର୍କିଂରୁ ରାଜସ୍ବ ଆଦାୟ କରୁଥିଲା। ଅନ୍‌ଲାଇନ୍‌ ରସିଦ୍‌ ସହ ପାର୍କିଂ ପାଇଁ ଆଗୁଆ ସ୍ଲଟ୍‌ ବୁକିଂ ଭଳି ଅତ୍ୟାଧୁନିକ ଯୋଜନା କରିଥିଲା। ଏଥିରୁ ଆଦାୟ ହେଉଥିବା ରାଜସ୍ବ ବିଏସ୍‌ସିଏଲ୍‌ ପାଣ୍ଠିକୁ ଯାଉଥିଲା। ଏହି ଅର୍ଥ ନେବା ପାଇଁ ବା ପାର୍କିଂ ବ୍ୟବସ୍ଥା ନିଜେ ପରିଚାଳନା କରିବା ପାଇଁ ବିଏମ୍‌ସି ବିଭିନ୍ନ ସମୟରେ ଉଦ୍ୟମ କରିଥିଲା। ଉଭୟ ସଂସ୍ଥା ମୁହାଁମୁହିଁ ହୋଇଥିଲେ। ହେଲେ ଫଳ କିଛି ହୋଇ ନଥିଲା। 

Advertisment

ପୁଣି ବିଏମ୍‌ସି-ସ୍ମାର୍ଟ ସିଟି ମୁହାଁମୁହିଁ

୩ ଜୋନ୍‌ର ୨୭ ଜାଗାରୁ ବାର୍ଷିକ ୨.୮୭କୋଟି ଆୟ ଲକ୍ଷ୍ୟ

ଏହି ଜନପଥରେ ବିଏସ୍‌ସିଏଲ୍‌ ହୋର୍ଡିଂ ଲଗାଇବା ପାଇଁ ଟେଣ୍ଡର ଦେଇଛି। ଏଠାରୁ ମଧ୍ୟ ଆଦାୟ ହେଉଥିବା ରାଜସ୍ବ ବିଏସ୍‌ସିଏଲ୍‌ ନେଉଛି। ଏହା ଉପରେ ଆଖି ପକାଇଥିଲା ବିଏମ୍‌ସି। ଏହାକୁ ନେଇ ମଧ୍ୟ ଉଭୟ ସଂସ୍ଥା ମୁହାଁମୁହିଁ ହୋଇଥିଲେ। ଏକ କର୍ପୋରେସନ ବୈଠକରେ ନିଷ୍ପତ୍ତି ହେବା ପରେ ଏ ସବୁକୁ ହସ୍ତାନ୍ତର କରିବାକୁ ବିଏମ୍‌ସି ବିଏସ୍‌ସିଏଲ୍‌କୁ ଚିଠି ଲେଖିଥିଲା। ଏହା ପରେ ବାଣୀବିହାରରୁ ଆଇଡିବିଆଇ ଛକ ପର୍ଯ୍ୟନ୍ତ ହୋର୍ଡିଂ ସବୁକୁ ଉଚ୍ଛେଦ କରିଥିଲା। ହେଲେ ଚାପ ପଡ଼ିବାରୁ ଉଚ୍ଛେଦ ବନ୍ଦ ହୋଇଥିଲା। ଏବେ ବିଏସ୍‌ସିଏଲ୍‌ ଏଠାରୁ ରାଜସ୍ବ ସଂଗ୍ରହ କରୁଛି। ବିଏମ୍‌ସି-ଆଇସିଓଏମ୍‌ସି ଟାୱାରର ରକ୍ଷଣା ବେକ୍ଷଣ ବାବଦକୁ ହୋଇଥିବା ଖର୍ଚ୍ଚରୁ ବିଏମ୍‌ସି ଭାଗ ୧କୋଟି ୨ଲକ୍ଷ ୬୨ହଜାର ୬୪୭ ଟଙ୍କା ଓ ବିଦ୍ୟୁତ୍ ବିଲ୍‌ ବାବଦକୁ ୨୯ଲକ୍ଷ ୩୦ହଜାର ୩୮ଟଙ୍କା ଦାଖଲ କରିବା ପାଇଁ ବିଏସ୍‌ସିଏଲ୍‌ ବିଏମ୍‌ସିକୁ ଚଠି ଲେଖିଥିଲା। ବିଏମ୍‌ସି କେବଳ ରକ୍ଷଣାବେକ୍ଷଣ ବାବଦକୁ ୧କୋଟି ୨ଲକ୍ଷ ୬୨ ହଜାର ୬୪୭ ଟଙ୍କା ଦେବାକୁ ଯୋଜନା କରିଥିଲା। ତାହା ପୁଣି ଭଡ଼ାରେ ଲାଗିଥିବା ବିଏମ୍‌ସିର ପୁରୁଣାରୁ ଭଡ଼ା ମିଳିଲେ ସେଥିରୁ ଭରଣା କରାଯିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ବିଦ୍ୟୁତ ବିଲ୍‌ ବାବଦକୁ ଅର୍ଥ ପୈଠ କରିବାକୁ ମନା କରି ଦେଇଥିଲା। ଏଠାରେ ସୂଚାଇ ଦିଆଯାଇପାରେ, ବିଏମ୍‌ସି-ଆଇସିଓଏମ୍‌ସି ଟାୱାର ନିର୍ମାଣ ପୂର୍ବରୁ ସ୍ମାର୍ଟ ସିଟି ଅଫିସ ବିଏମ୍‌ସି-ଭବାନୀ ମଲ୍‌ରେ କାର୍ଯ୍ୟ କରୁଥିଲା। ସେଠାରେ ବିଏସ୍‌ସିଏଲ୍‌ ନିଜ ପାଣ୍ଠିରୁ ଭଡ଼ା ଓ ବିଦ୍ୟୁତ ଦେୟ ଦେଉଥିଲା। ବିଏମ୍‌ସି ଏଥିପାଇଁ କୌଣସି ଆର୍ଥିକ ସହାୟତା କରିନଥିଲା। ଅନ୍ୟପଟେ ବିଏମ୍‌ସି-ଆଇସିଓଏମ୍‌ସି କୋଠା ଛାତରେ ବିଏସ୍‌ଏନ୍‌ଏଲ୍‌ ଟାୱାର ବସାଇ ମାସିକ ୩ ହଜାର ଟଙ୍କା ଭଡ଼ା ନେବା ପାଇଁ ବିଏମ୍‌ସି ଯୋଜନା କରିଛି। 

ଉଲ୍ଲେଖଯୋଗ୍ୟ, ନୂଆ ଟେଣ୍ଡର ଅନୁଯାୟୀ ଦକ୍ଷିଣପୂର୍ବ ଜୋନ୍‌ ଅଞ୍ଚଳରେ ୧୪ଟି ପାର୍କିଂ ଲଟ୍‌ ରହିଛି। ଜନପଥରେ ୧୦ଟି ଅନ୍‌ ଓ ଅଫ୍‌ ଷ୍ଟ୍ରିଟ୍‌ ପାର୍କିଂ ଥିବା ବେଳେ କର କ୍ଲିନିକ୍‌ ସାମ୍ନା, ଲିଙ୍ଗରାଜ ମାର୍କେଟ୍‌, ୧ ନଂ ହାଟ ପରିସର ଓ ବମିଖାଲ ଆରଓବି ତଳେ ଏଭଳି ୪ଟି ଇଣ୍ଡିଭିଜୁଆଲ୍‌ ପାର୍କିଂ ଲଟ୍‌ ରହିଛି। ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ୫ଟି ଓ ଉତ୍ତର ଜୋନ୍‌ରେ ୮ଟି ଇଣ୍ଡିଭିଜୁଆଲ୍‌ ପାର୍କିଂ ଲଟ୍‌ ରହିଛି।