ବିଏମ୍‌ସି କର୍ମଚାରୀଙ୍କ ୫ଦିନିଆ ଛୁଟି ବାତିଲ୍‌

ସଂକ୍ରମଣ ଅବରୋଧ ଅଞ୍ଚଳରେ ପହଞ୍ଚିଲା ପିଡିଏସ୍‌

ଭୁବନେଶ୍ବର : ବିଏମ୍‌ସି କର୍ମଚାରୀଙ୍କର ଆଜିଠାରୁ ଆରମ୍ଭ ହେଉଥିବା ୫ ଦିନିଆ ଛୁଟି ବାତିଲ୍‌ ହୋଇଯାଇଛି। କୋଭିଡ୍-୧୯ ପାଇଁ ଜରୁରୀକାଳୀନ କାର୍ଯ୍ୟ ଚାଲିଥିବାରୁ ବିଏମ୍‌ସି ପକ୍ଷରୁ ଏହିଭଳି ନିଷ୍ପତ୍ତି ନିଆଯାଇଛି। ଆଜି ଏନେଇ ବିଏମ୍‌ସି କମିସନର୍‌ ପ୍ରେମଚନ୍ଦ୍ର ଚୌଧରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି। ବିଏମ୍‌ସି କମିସନର୍‌ ଜାରି କରିଥିବା ନିର୍ଦ୍ଦେଶନାମାରେ ଏପ୍ରିଲ୍‌ ୧୦ରୁ ୧୪ ପର୍ଯ୍ୟନ୍ତ ଛୁଟି ଥିବା ସରକାରୀ ଛୁଟିକୁ କାର୍ଯ୍ୟ ଦିବସ ଭାବେ ଗଣାଯିବ ବୋଲି କୁହଯାଇଛି। ସୂଚନାଯୋଗ୍ୟ ଯେ ଆଜି ଗୁଡ୍‌ ଫ୍ରାଇଡେ’ ଥିବା ବେଳେ ଆସନ୍ତାକାଲି ଦ୍ବିତୀୟ ଶନିବାର, ତା’ ପରଦିନ ରବିବାର, ଏହାପରେ ପଣାସଂକ୍ରାନ୍ତି, ହନୁମାନ ଜୟନ୍ତୀ ଆଦି ପାଇଁ ୧୪ ତାରିଖ ପର୍ଯ୍ୟନ୍ତ ଛୁଟି ଥିଲା। କିନ୍ତୁ ବିଏମ୍‌ସି କର୍ମଚାରୀମାନେ ଜରୁରୀକାଳୀନ କାର୍ଯ୍ୟରେ ନିୟୋଜିତ ଥିବାରୁ ସମସ୍ତଙ୍କ ଛୁଟି ବାତିଲ୍‌ କରାଯାଇଛି।

ସଂକ୍ରମଣ ଅବରୋଧ ଅଞ୍ଚଳରେ ପହଞ୍ଚିଲା ପିଡିଏସ୍‌
ଭୁବନେଶ୍ବର : ବିଏମ୍‌ସି ପକ୍ଷରୁ ସଂକ୍ରମିତ ଅଞ୍ଚଳ ଘୋଷଣା ହେଇଥିବା ସୂର୍ଯ୍ୟନଗର, ସତ୍ୟନଗର, ଆଜାଦ ନଗର ଓ ଯଦୁପୁର ଅଞ୍ଚଳରେ ଆଜି ବିଏମ୍‌ସି ପକ୍ଷରୁ ପିଡିଏସ୍‌ ସାମଗ୍ରୀ ଯୋଗାଇ ଦିଆଯାଇଛି। ଏହି ଅଞ୍ଚଳର ବାସିନ୍ଦାମାନେ ଏବେ ସଙ୍ଗରୋଧ ହୋଇଥିବାରୁ ନିଜ ଅଞ୍ଚଳ ବାହାରକୁ ଯାଇ ପାରୁନାହାନ୍ତି। ତେଣୁ ସେମାନଙ୍କୁ ଘରେ ପିଡିଏସ୍‌ ଯୋଗାଇ ଦିଆଯାଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁଙ୍କ ସଂଯୋଜନାରେ ଆଜି ଖାଉଟି ବିଭାଗର କର୍ମଚାରୀମାନେ ଏହି ସବୁ ଅଞ୍ଚଳକୁ ଯାଇ ଚାଉଳ ଦେଇଥିଲେ। ପ୍ରଥମ ଦିନରେ ୩୨୧ଜଣଙ୍କୁ ଏହା ପ୍ରଦାନ କରାଯାଇଛି। ପ୍ରତ୍ୟେକ ପରିବାରକୁ ୨୦ କେଜି ଲେଖାଏଁ ଚାଉଳ ଦିଆଯାଇଛି। ଆଜି ଆଜାଦନଗରରେ ଥିବା ୭୫ ହିତାଧିକାରୀଙ୍କ ମଧ୍ୟରୁ ୪୫ ଜଣଙ୍କୁ, ଯଦୁପୁରରେ ୧୦୮ ହିତାଧିକାରୀଙ୍କ ମଧ୍ୟରୁ ୫୬ଜଣଙ୍କୁ, ସୂର୍ଯ୍ୟନଗରରେ ୨୨୦ଜଣଙ୍କୁ ବଣ୍ଟାଯାଇଥିବା ବେଳେ ଶନିବାର ବମିଖାଲ ଅଞ୍ଚଳରେ ବଣ୍ଟା ହେବ। ସେହିପରି ସେଣ୍ଟର ଫର୍ ସୋସିଆଲ୍‌ ସର୍ଭିସ୍‌ ଆଣ୍ଡ ଡେଭଲପମେଣ୍ଟ ପକ୍ଷରୁ ବିଏମ୍‌ସି ସହଯୋଗରେ ମାଷ୍ଟରକ୍ୟାଣ୍ଟିନସ୍ଥିତ ସିଟି ବସଷ୍ଟାଣ୍ଡ ଓ ରାମମନ୍ଦିର ଛକରେ ୫୦୦ ଜଣଙ୍କୁ ସକାଳ ଜଳଖିଆ ଦିଆଯାଇଥିଲା। ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଏହିଭଳି ଜଳଖିଆ ବଣ୍ଟା ହେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର