ଭୁବନେଶ୍ୱର: କାନ୍ଥବାଡ଼ରେ ପୋଷ୍ଟର ଲଗାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବିଏମ୍ସି। ଆଜି ନୁହେଁ, ଦୁଇବର୍ଷ ତଳୁ ଏଭଳି ଘୋଷଣା କରି ବିଏମ୍ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏ ଯାବତ୍ ପାଖାପାଖି ୫୦ଟି ସଂସ୍ଥା ବିରୋଧରେ ଏତଲା ଦେବା ସହ ୧୫୦ରୁ ଊର୍ଦ୍ଧ୍ବ ସଂସ୍ଥାଙ୍କୁ ନୋଟିସ୍ ହୋଇଛି। କିଛି ସଂସ୍ଥାଙ୍କୁ ମୋଟା ଅଙ୍କର ଜରିମାନା ହେବା ସହ କେତେକ ସଂସ୍ଥାକୁ ବିଏମ୍ସି ସିଲ୍ କରିଛି। କାର୍ଯ୍ୟାନୁଷ୍ଠାନ ଏବେ ବି ଜାରି ରହିଛି। କିନ୍ତୁ କୌଣସି ରାଜନୈତିକ ପୋଷ୍ଟର ବା ହୋର୍ଡିଂ ହଟାଇବାକୁ ବିଏମ୍ସି ସାହସ ଜୁଟାଇ ପାରୁନାହିଁ। ନିକଟରେ ବିଏମ୍ସି ଅଞ୍ଚଳରୁ ସମସ୍ତ ରାଜନୈତିକ ଦଳର ପୋଷ୍ଟର ହଟିବ, କାନ୍ଥଲେଖା ବି ରହିବନି- ଏଭଳି ନିର୍ଦ୍ଦେଶ ଦେଇ ବିଏମ୍ସିକୁ ରାଜ୍ୟ ନିର୍ବାଚନ ଆୟୋଗ ଚିଠି ଲେଖିବା ପରେ ବିଏମ୍ସି କେତେକ ପୋଷ୍ଟର୍ ହଟାଇଦେଇ ବସି ଯାଇଛି। ଫଳରେ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କାନ୍ଥ, ଗଛ ଓ ଖୁଣ୍ଟରେ ପୋଷ୍ଟର ଲଗାଇବା ଉପରେ କଟକଣା କରିଛି ବିଏମ୍ସି। ୨୦୨୨ ମସିହାରୁ ଆଜି ପର୍ଯ୍ୟନ୍ତ ବିଏମ୍ସି ପ୍ରାୟ ୧୦ ଲକ୍ଷ ଟଙ୍କା ଜରିମାନା କରିବା ସହ ୫୦ ପାଖପାଖି ଅନୁଷ୍ଠାନ ଓ ବ୍ୟକ୍ତିଙ୍କ ନାମରେ ଥାନାରେ ଏତଲା ଦେଇଛି। ଏପରିକି ଛୋଟ ସାଦା କାଗଜରେ ‘ଟୁ ଲେଟ୍’ ଓ ମୋବାଇଲ୍ ନମ୍ବର ଲେଖି କାନ୍ଥରେ ପୋଷ୍ଟର ଲଗାଇବା ଯୋଗୁ ଜରିମାନା ଗଣିବା ସହ ଥାନାରେ ମାମଲା ଭଳି କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା ନଜିର୍ ରହିଛି। ଏହାକୁ ନେଇ ପ୍ରବଳ ଅସନ୍ତୋଷ ପାଇବା ସହ ବିଭିନ୍ନ କାନ୍ଥରେ ଲେଖାଥିବା ‘ଆଉଥରେ ଅପରାଜିତା’କୁ ହଟାଇବା ପାଇଁ ବିଏମ୍ସି ନିକଟରେ ଅଭିଯୋଗ ହୋଇଥିଲା। ଗତ ଡିସେମ୍ବର ମାସରେ ବିଏମ୍ସି ଏହି ଲେଖାକୁ ହଟାଇଥିଲା। ଲେଖାକୁ ଲିଭାଇ କାନ୍ଥ ପରିଷ୍କାର କଲା। ଏହା ପରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଆକ୍ସନ୍ ମୋଡ୍କୁ ଆସିଥିଲେ। ବିଭିନ୍ନ କାନ୍ଥରେ ‘ଆମ ଚି଼ହ୍ନ ଶଙ୍ଖ, ବିକାଶ ଚି଼ହ୍ନ ଶଙ୍ଖ’ ନ ଲିଭାଇଲେ ଆମେ ଲିଭାଇବୁ ବୋଲି ଚାଲେଞ୍ଜ ଦେଇଥିଲେ। ଏହା ପରେ ବିଏମ୍ସି ନିରବ ହୋଇଯାଇଥିଲା। କୌଣସି ଦଳର କାନ୍ଥ ଲେଖା ଆଉ ଲିଭାଇନଥିଲା।
ଏଣେ ଯେଉଁମାନେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିଲେ ସେମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା। ଏବେ ନିର୍ବାଚନ ଆଗକୁ ଥିବାରୁ ଏହି କାନ୍ଥଲେଖା ବଢ଼ିବାରେ ଲାଗିଛି। ବିଏମ୍ସିର କଟକଣା ଓ ନିର୍ବାଚନ କମିସନରଙ୍କ ନିର୍ଦ୍ଦେଶ ଆଧାରରେ ରାଜନୈତିକ ଦଳର କାନ୍ଥ ଲେଖା, ପୋଷ୍ଟର ହୋର୍ଡିଂ ହଟାଇବାକୁ ସେମାନେ ଦାବି କରିଛନ୍ତି। ଏ ନେଇ ଆଇନଜୀବୀ ଲଲାଟେନ୍ଦୁ ଦାସ ବିଏମ୍ସିକୁ ଚିଠି ଲେଖିଛନ୍ତି। ସେ କହିଛନ୍ତି, ‘‘ଯଦି କାର୍ଯ୍ୟାନୁଷ୍ଠାନ ହେବ ତେବେ ସମସ୍ତଙ୍କ ଉପରେ ହେଉ। ଗୋଟାଏ ଛୋଟିଆ କାଗଜରେ ଟୁ ଲେଟ୍ ଲେଖିଦେଲେ ୩୦ ହଜାର ଟଙ୍କା ଜରିମାନା ହୋଇଛି। ତେବେ ଏମାନଙ୍କୁ ଅନୁକମ୍ପା କାହିଁକି? ବିଏମ୍ସି ତୁରନ୍ତ ବ୍ୟବସ୍ଥା ନ କଲେ ଆମେ କୋର୍ଟ ଯିବୁ।’’ ଅନ୍ୟପଟେ ବିଏମ୍ସି କହିଛି, ବେଆଇନ ଭାବରେ କୌଣସି କାନ୍ଥଲେଖା ବା ପୋଷ୍ଟର ଯେଭଳି ରହିବ ନାହିଁ, ତାହା ଉପରେ ନଜର ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାଇଁ ଜୋନ୍ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଜ୍ଞାପନ ପୋଷ୍ଟର ପିଛା ସର୍ବନିମ୍ନ ୫,୦୦୦ ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି। ଏହି ସଂସ୍ଥାମାନେ ଧାର୍ଯ୍ୟ ସମୟରେ ଜରିମାନା ଦାଖଲ ନ କଲେ ସେସବୁ ସଂସ୍ଥାକୁ ସିଲ୍ କରାଯିବ। ସିଲ୍ କରିବା ପରେ ମଧ୍ୟ ଜରିମାନା ଦାଖଲ ନ କଲେ ଓପିଡିଆର(ଓଡ଼ିଶା ପବ୍ଲିକ୍ ଡିମାଣ୍ଡ ରିକଭରି) ଆଇନ ଅନୁସାରେ ମାମଲା କୋର୍ଟକୁ ଯିବ। ସେଠାରେ ଶୁଣାଣି ହେବା ପରେ ଦଣ୍ଡ ଧାର୍ଯ୍ୟ ହେବା ନିୟମ ରହିଛି।