ଚେକ୍ ବାଉନ୍ସ ମାମଲା ରୁଜୁ କଲା ବିଏମ୍‌ସି, ଆକାଉଣ୍ଟରେ ଟଙ୍କା ନ ଥାଇ ଚେକ୍ ଦେଇଥିଲେ

ଭୁବନେଶ୍ବର: ଦୀର୍ଘ ବର୍ଷ ହେଲା ବିଏମ୍‌ସିକୁ ହୋଲଡିଂ ଟିକସ ଦେଉ ନଥିଲେ। ବିଏମ୍‌ସି ପକ୍ଷରୁ ବାରମ୍ବାର ନୋଟିସ୍ ହେବା ପରେ ମାର୍ଚ୍ଚ ୧୬ରେ ୧,୮୫,୧୬୪ଟଙ୍କାର ଚେକ୍ ‌ଦେଇଥିଲେ। ବିଏମ୍‌ସି କର୍ତ୍ତୃପକ୍ଷ ୧୭ ତାରିଖରେ ଏହି ଚେକ୍‌ ବ୍ୟାଙ୍କରେ ଜମା କରିଥିଲେ। କିନ୍ତୁ ୧୯ ତାରିଖରେ ବ୍ୟାଙ୍କରୁ ମେସେଜ୍‌ ଆସିଲା ଚେକ୍ ବାଉନ୍ସ। ଆକାଉଣ୍ଟରେ ଟଙ୍କା ନ ଥିବାରୁ ଚେକ୍ ବାଉନ୍ସ ହୋଇଗଲା। ଏବେ ଚେକ୍ ଦେଇଥିବା ନିରଞ୍ଜନ ରଣାଙ୍କ ନାମରେ ମଞ୍ଚେଶ୍ବର ଥାନାରେ ବିଏମ୍‌ସିର ଉତ୍ତରଜୋନ୍‌ ଡେପୁଟି କମିସନର୍‌ ଚେକ୍‌ ବାଉନ୍ସ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ରଖି ମାମଲା ରୁଜୁ କରିଛି।

ବିଏମ୍‌ସିର ସୂଚନା ଅନୁଯାୟୀ, ପାହାଳରେ ଥିବା ମିଲେନିୟମ ସିଟିର ପ୍ଲଟ୍‌ ନଂ ୯୧ରେ ରହୁଥିବା ନିରଞ୍ଜନ ରଣା ବହୁ ବର୍ଷ ହେଲା ବିଏମ୍‌ସିକୁ ହୋଲଡିଂ ଟିକସ ଦେଉନାହାନ୍ତି। ତେଣୁ ତାଙ୍କୁ ବାରମ୍ବାର ନୋଟିସ୍‌ କରାଯାଇଥିଲା। ଏବେ ବିଏମ୍‌ସି ଗିରଫ ପରୱାନା ଜାରି କରିବ ବୋଲି ଜାଣିବା ପରେ ସେ ୧,୮୫,୧୬୪ଟଙ୍କାର ଚେକ୍ ଦେଇଥି‌ଲେ। କିନ୍ତୁ ଏହା କେବଳ ବିଏମ୍‌ସିକୁ ଭୁତାଇବା ପାଇଁ ଥିଲା। ତେଣୁ ଆମେ ଶ୍ରୀ ରଣାଙ୍କ ନାମରେ ଏତଲା ଦେବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛୁ।

ସମ୍ବନ୍ଧିତ ଖବର