ଭିତ୍ତିଭୂମି କାର୍ଯ୍ୟରେ ୱାଟ୍‌କୋର ମନମାନୀ ଅସହ୍ୟ ହେବା ପରେ ୱାଟ୍‌କୋ ବିରୋଧରେ ବିଏମ୍‌ସିର ଏତଲା

୫ ମାସ ହେଲା ରାସ୍ତା ଖୋଳି ରଖିଥିଲା ୱାଟ୍‌କୋ, ସରକାରୀ ସଂସ୍ଥା ମଧ୍ୟରେ ସମନ୍ବୟର ଘୋର ଅଭାବ, ବିପର୍ଯ୍ୟସ୍ତ ରାସ୍ତା ଲୋକଙ୍କୁ ନାକେଦମ୍ କଲାଣି

ଭୁବନେଶ୍ବର : ନଗର ଉନ୍ନୟନ ବିଭାଗ ଅଧୀନରେ ରହିଛି ୱାଟ୍‌କୋ(ଜଳ ଯୋଗାଣ ନିଗମ)। ଏହି ବିଭାଗର ଆଉ ଏକ ଅଂଶ ହେଲା ଭୁବନେଶ୍ବର ମହାନଗର ନିଗମ। କିନ୍ତୁ ଏହି ଦୁଇ ସଂସ୍ଥା ମଧ୍ୟରେ କିପରି ସମନ୍ବୟର ଅଭାବ ରହିଛି, ତାହା ପଦାକୁ ଆସିଛି। ଆଜି ୱାଟ୍‌କୋ ନାଁ ରେ ବିଏମ୍‌ସି ଥାନାରେ ଏତଲା ଦେଇଛି। ଭିତ୍ତିଭୂମି କାର୍ଯ୍ୟ‌େର ୱାଟ୍‌କୋର ମନମାନୀ ଅସହ୍ୟ ହେବା ପରେ ବିଏମ୍‌ସି ଥାନାକୁ ୱାଟ୍‌କୋ ବିରୋଧରେ ଥାନାକୁ ଯିବା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

ବିଏମ୍‌ସିର ଏତଲାରୁ ଜଣାପଡ଼ିଛି,୧୬,୨୦,୨୧ ଓ ୨୬ ନମ୍ବର ୱାର୍ଡକୁ ନେଇ ଗଠିତ ହୋଇଥିବା ସାଲିଆସାହି ବସ୍ତିକୁ ପାନୀୟ ଜଳ ଯୋଗାଣ ଲାଗି ୱାଟ୍‌କୋ ଦାୟିତ୍ବ ନେଇଥିଲା। ପାଣି ପାଇପ୍ ବିଛାଇବା ପାଇଁ ପ୍ରାୟ ୫ କି.ମି ରାସ୍ତା ଖୋଳାଯାଇଥିଲା। ୫ ମାସ ତଳୁ ପାଇପ୍‌ ବିଛା ଶେଷ ହୋଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଖୋଳାଯାଇଥିବା ରାସ୍ତା ମରାମତି କରାଯାଇ ନାହିଁ। ଫଳରେ ବସ୍ତି ଅଞ୍ଚଳରେ ସାଂଘାତିକ ସମସ୍ୟା ସୃଷ୍ଟି ହେଉଛି। ସେଠାରେ ପରିମଳ ବ୍ୟବସ୍ଥା ନଷ୍ଟ ହୋଇଗଲାଣି। ଆବର୍ଜନା ଗାଡ଼ି ଯିବା ସମୟରେ ବସ୍ତିରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ପ୍ରତିଦିନ ଝାଡ଼ୁ ମାରିବା ସମୟରେ ବିଏମ୍‌ସି କର୍ମଚାରୀମାନେ ଅସୁବିଧାରେ ପଡ଼ୁଛନ୍ତି। ଲୋକେ ସେମାନଙ୍କ ଘରୁ ବାହାରିବା ସମୟରେ ଖାଲରେ ପଡ଼ୁଛନ୍ତି। ଦୁର୍ଘଟଣା ବି ବଢ଼ୁଛି।

ଆଜି ସକାଳୁ ବିଏମ୍‌ସି ଅତିରିକ୍ତ କମିସନର ସୁରଥ ଚନ୍ଦ୍ର ମଲ୍ଲିକ ସହରର ପରିମଳ ଓ ଅନ୍ୟାନ୍ୟ କାର୍ଯ୍ୟ ତଦାରଖ ଲାଗି ଏହି ଅଞ୍ଚଳକୁ ଗସ୍ତ କରିବା ସମୟରେ ଲୋକଙ୍କ ଅସୁବିଧା ସମ୍ପର୍କରେ ଜାଣିବାକୁ ପାଇଥିଲେ। ୫ ମାସ ହେଲା ପାଣି ପାଇପ୍‌ ପକାଯାଇଥିଲେ ମଧ୍ୟ ରାସ୍ତା ବାବଦରେ କୌଣସି ପଦକ୍ଷେପ ନିଆଯାଇ ନାହିଁ ବୋଲି ବାସିନ୍ଦାମାନେ ଅଭିଯୋଗ ଆଣିଥିଲେ। ୱାଟ୍‌କୋ ଡିଭିଜନ-୧ ଅଧୀନରେ ଏହି କାର୍ଯ୍ୟ ହେଉଥିବା ବେଳେ ମହା ପ୍ରବନ୍ଧକ ସରୋଜ କୁମାର ପାତ୍ର ଏଥି ପ୍ରତି ନଜର ଦେଉ ନ ଥିବା ଅଭିଯୋଗ ହୋଇଥିଲା।

ଏହାପରେ ବିଏମ୍‌ସି ଡେପୁଟି କମିସନର ପ୍ରମୋଦ କୁମାର ପୃଷ୍ଟି ନୂଆପଲ୍ଲୀ ଥାନାରେ ୱାଟ୍‌କୋ ନାଁରେ ଏତଲା ଦେଇଥିଲେ। ଏତଲାରେ ଦର୍ଶାଯାଇଛି ଯେ ଏହି ସମସ୍ୟା ନେଇ ୱାଟ୍‌କୋକୁ ବାରମ୍ବାର ଅବଗତ କରିବା ସହ ମରାମତି ଲାଗି ଏକାଧିକ ଥର ଅନୁରୋଧ କରାଯାଇଛି। ତଥାପି ସେମାନେ କୌଣସି ପଦକ୍ଷେପ ନେଇନାହାନ୍ତି। ଏହାଦ୍ବାରା ବିଏମ୍‌ସି ଲୋକଙ୍କ ଆସ୍ଥା ହରାଉଛି। ସେମାନଙ୍କ ପ୍ରତି ଆମର ଯେଉଁ କର୍ତବ୍ୟ ରହିଛି ତାହା କରିବାରେ ବାଧା ସୃଷ୍ଟି ହେଉଛି ବୋଲି ଏତଲାରେ ଦର୍ଶାଯାଇଛି।

କେବଳ ୱାଟ୍‌କୋ ନୁହେଁ, ସହରରେ ଏକାଧିକ ସରକାରୀ ସଂସ୍ଥା ଭିନ୍ନ ଭିନ୍ନ ଭିତ୍ତିଭୂମିର ବିକାଶ କାର୍ଯ୍ୟ ହାତକୁ ନେଇଛନ୍ତି। କିନ୍ତୁ ସମନ୍ବୟର ଅଭାବରୁ କାମଗୁଡ଼ିକ ଠିକ୍ ସମୟରେ ସରିପାରୁନି। କାମ କରୁଥିବା ଆହୁରି ଅନ୍ୟ ସରକାରୀ ସଂସ୍ଥା ମଧ୍ୟ ମନମାନୀ ଚଳାଉଥିବା ଦେଖିବାକୁ ମିଳୁଛି। ବିଶେଷ କରି ଅଧିକାଂଶ ସ୍ଥାନରେ ରାସ୍ତା ଖୋଳି କାମ କଲା ପରେ ତାହାକୁ ଠିକ୍ ଭାବେ ମରାମତି କରିବାକୁ ସଂସ୍ଥାଗୁଡ଼ିକ ପଦକ୍ଷେପ ନେଉ ନାହାନ୍ତି। ଫଳରେ ସହରର ଅଧିକାଂଶ ସ୍ଥାନରେ ରାସ୍ତା ଖାଲଢିପରେ ଭର୍ତ୍ତି ହୋଇଛି। ସହରର ମୁଖ୍ୟ ରାସ୍ତା ଠାରୁ ଆରମ୍ଭ କରି ଗଳିକନ୍ଦି ପର୍ଯ୍ୟନ୍ତ ରାସ୍ତା ସମସ୍ୟା ଲୋକଙ୍କୁ ନାକେଦମ୍ କରୁଛି। ବର୍ଷା ଦିନେ ପାଣି ଜମିଲା ପରେ ଦୁର୍ଘଟଣା‌ ଘଟିବା ଏକ ନିୟମିତ ଘଟଣା ହୋଇଗଲାଣି। ଏ ନେଇ ସହରବାସୀ କ୍ଷୋଭ ପ୍ରକାଶ କଲେଣି।

ସୂଚନାଯୋଗ୍ୟ ଯେ ଗତ ୯ ତାରିଖରେ ବିଏମ୍‌ସି ପକ୍ଷରୁ ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ବିଏମ୍‌ସି କମିସନର ରାସ୍ତା ଓ ପରିମଳ ବ୍ୟବସ୍ଥା ଯାଞ୍ଚ ଲାଗି କ୍ଷେତ୍ର ପରିଦର୍ଶନ କରିବାକୁ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ। ଏଥିସହ ବିଏମ୍‌ସିର ୧୩ଟି ସବ୍‌ଜୋନ୍‌ ଅଧିକାରୀ ନିୟମିତ କ୍ଷେତ୍ର ପରିଦର୍ଶନକୁ ଆହୁରି କଡାକଡ଼ି କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର