ବିଏମ୍‌ସି ପାଳିଲା ‘ଆଜାଦି କା ଅମୃତ ମହୋତ୍ସବ’

ଭୁବନେଶ୍ବର: ବିଏମ୍‌ସି ‘ଆଜାଦି କା ଅମୃତ ମହୋତ୍ସବ’ ପାଳନ କରୁଛି। ଏଥିପାଇଁ ବିଏମ୍‌ସି ଏକ ଏସ୍‌ଓପି ତିଆରି କରିଛି। ଆଜି ୩୮ ୱାର୍ଡରେ ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସ୍ବଚ୍ଛ ସାଥୀ ଓ ବିଏମ୍‌ସିର ବରିଷ୍ଠ ଅଧିକାରୀମାନେ ଘରଘର ବୁଲି ଆବର୍ଜନା ଅଲଗା କରିବା ବ୍ୟବସ୍ଥା ଉପରେ ସଚେତନ କରାଇଥିଲେ। ଲୋକମାନେ ଆବର୍ଜନା ଅଲଗା କରି ଦେଖାଇଥିଲେ। ମହିଳାମାନଙ୍କ ମଧ୍ୟରେ ‌ରଙ୍ଗୋଲି ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା।

ଏହାଛଡ଼ା ଶୋଭାଯାତ୍ରା ମଧ୍ୟ ଆୟୋଜନ କରାଯାଇଥିଲା। ଶୋଭାଯାତ୍ରା ସମୟରେ ‘ମୁଁ ସଫେଇବାଲା’ ଗୀତ ବାଜିଥିଲା। ଏହି ଅବସରରେ ଭିନ୍ନକ୍ଷମ ଶସକ୍ତୀକରଣ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା ମଧ୍ୟ ଜନସାଧାରଣଙ୍କୁ ‘ସ୍ବଚ୍ଛ ଓଡ଼ିଶା ସୁସ୍ଥ ଓଡ଼ିଶା’ ସଂପର୍କରେ ସଚେତନ କରାଇଥିଲେ। ବିଶେଷକରି ‘ମୋ ଖତ’ ବ୍ୟବସ୍ଥା ଯେଭଳି ଆହୁରି ଉତ୍ପାଦନକ୍ଷମ ହୋଇପାରିବ, ସେଥିପାଇଁ ଉପଯୁକ୍ତ ପୃଥକୀକରଣର ଆବଶ୍ୟକତା ଥିବା ଲୋକମାନଙ୍କୁ ବୁଝାଇଥିଲେ। ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀକୁ ନେଇ ସଚେତନତା ବୈଠକ ମଧ୍ୟ ଆୟୋଜିତ ହୋଇଥିଲା। ମୁକ୍ତା ଯୋଜନା, ଗାରିମା ଉପରେ ଏଥିରେ ଆଲୋଚନା ହୋଇଇଥିଲା‌। ଦକ୍ଷିଣପୂର୍ବ ଜୋନ୍‌ର ୧୪ଟି ୱାର୍ଡରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଉତ୍ତର ଜୋନ୍‌ର ୧୪ଟି ୱାର୍ଡରେ ସଚେତନତା ଶୋଭାଯାତ୍ରା ସହ ରଙ୍ଗୋଲି କାର୍ଯ୍ୟକ୍ରମ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ, ଡେପୁଟି କମିସନର (ପରିମଳ) ଶୁଭେନ୍ଦୁ ସାହୁ ବିଭିନ୍ନ ଜୋନ୍‌ ବୁଲି ଏହି କାର୍ଯ୍ୟକମକୁ ତଦାରଖ କରିଥିଲେ। ଅନ୍ୟ ଜୋନ୍‌ ଡେପୁଟି କମିସନରମାନେ ନିଜ ନିଜ ଜୋନ୍‌ରେ ଏହି ସବୁ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଆଜିଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର