ଭୁବନେଶ୍ୱର: ଅଗଷ୍ଟ ୩୧ରେ ସାରା ରାଜ୍ୟର ପୌରାଞ୍ଚଳରେ ପାଳନ ହେବ ସ୍ବା‌ୟତ୍ତ ଶାସନ ଦିବସ। ପୂର୍ବରୁ ବହୁ ଆଡ଼ମ୍ବର ସହକାରେ ଏହି ଦିବସକୁ ପାଳନ କରୁଥିବା ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିରାଡ଼ମ୍ବର ଭାବରେ ପାଳନ କରିବାକୁ ଯାଉଛି। କରୋନା ମହାମାରୀ ଯୋଗୁଁ ପ୍ରକଳ୍ପ ଉଦ୍‌ଘାଟନ, ଶିଳାନ୍ୟାସ, ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଭୃତିରୁ ବିଏମ୍‌ସି ଦୂରେଇ ରହିଛି। କାର୍ଯ୍ୟାଳୟ ପରିସରରେ କେବଳ ପତାକା ଉତ୍ତୋଳନ କରି ଏହି ସ୍ବତନ୍ତ୍ର ଦିବସକୁ ପାଳନ କରିବାକୁ ଯୋଜନା କରିଛି ବିଏମ୍‌ସି। ଗତବର୍ଷ ଏହି ଦିନ ନବନିର୍ମିତ ୧୧ଟି କମ୍ପୋଷ୍ଟ ପ୍ଲାଣ୍ଟ ଓ ୧୦ଟି ଏମ୍‌ଆରଏଫ୍‌ କେନ୍ଦ୍ରର ଉଦ୍‌ଘାଟନ ଯୋଜନା ହୋଇଥିଲା। ହେଲେ କୌଣସି କାରଣରୁ ଏହାକୁ ଶେଷ ମୁହୂର୍ତ୍ତରେ ବାତିଲ କରାଯାଇଥିଲା।

Advertisment

ପ୍ରତିବର୍ଷ ସ୍ବା‌ୟତ୍ତ ଶାସନ ଦିବସରେ ବିଏମ୍‌ସି ଅନେକ ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କରେ। ଦୀର୍ଘ ଦିନ ଧରି ଜନସାଧାରଣ ଦାବି କରିଆସୁଥିବା କେତେକ ପ୍ରକଳ୍ପ ମଧ୍ୟ ଏହି ଦିନ ଭେଟିଦିଏ ବିଏମ୍‌ସି। ହେଲେ ଦୁଇବର୍ଷ ହେଲା ସହରସବାସୀ ହତାଶ ହୋଇଛନ୍ତି। କରୋନା ଆଳରେ ଲୋକଙ୍କ ଚାହିଦା ମୁତାବକ କୌଣସି ପ୍ରକଳ୍ପ ଘୋଷଣା ହେଉନାହିଁ କି ପୂର୍ବ ପ୍ରକଳ୍ପ ମଧ୍ୟ କାର୍ଯ୍ୟକ୍ଷମ ହେଉନାହିଁ। ଅନ୍ୟପକ୍ଷରେ ପୂର୍ବରୁ ସ୍ବାୟତ୍ତ ଶାସନ ଦିବସ ଭଳି ବିଶେଷ ମୁହୂର୍ତ୍ତରେ ବିଏମ୍‌ସି ଭେଟି ଦେଇଥିବା ଅନେକ ପ୍ରକଳ୍ପ ଏବେ ଖତ ଖାଉଛି। ସେଥିରୁ ଦୁଇଟି ପ୍ରକଳ୍ପ ହେଉଛି କଂସେଇଖାନା ଓ କୁକୁର ବନ୍ଧ୍ୟାକରଣ। ଦୁଇଟି ପ୍ରକଳ୍ପରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ଏହା ରାଜଧାନୀବାସୀଙ୍କ ଉପକାରରେ ଆସୁନାହିଁ।

ବୁଲା କୁକୁରଙ୍କ ଆତଙ୍କକୁ ଆଖି ଆଗରେ ରଖି ବିଏମ୍‌ସି ଏମାନଙ୍କର ସଂଖ୍ୟା କମାଇବା ଓ କାମୁଡ଼ିଲେ ମଧ୍ୟ ପ୍ରଭାବ ନ ରହିବା ପାଇଁ କୁକୁର ବନ୍ଧ୍ୟାକରଣ (ଆନିମଲ୍ ବାର୍ଥ କଣ୍ଟ୍ରୋଲ)କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ଜଣେ ଡାକ୍ତର, ଦୁଇ ଜଣ ଧରାଳି, ଜଣେ ସହାୟକ ଓ ଜଣେ ଡ୍ରାଇଭର୍‌ଙ୍କ ନିଯୁକ୍ତି ଏବଂ କୁକୁରମାନଙ୍କ ପିଛା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ରାଜଧାନୀରେ ପ୍ରତିବର୍ଷ ପ୍ରାୟ ୩ ହଜାରରୁ ୩୫୦୦ କୁକୁର ଛୁଆ ଜନ୍ମ ହେଉଥିବା ବେଳେ ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରତିବର୍ଷ ପ୍ରାୟ ୨ହଜାରରୁ ୨୨୦୦ କୁକୁରଙ୍କ ବନ୍ଧ୍ୟାକରଣ କରାଯାଇ ପାରୁଛି। ଫଳରେ ଯୋଜନା ଫଳପ୍ରଦ ହେଉନାହିଁ। ବନ୍ଧ୍ୟାକରଣ ସଂଖ୍ୟା ବଢ଼ାଇବା ପାଇଁ ଆଉ୪ ଜଣ ଡାକ୍ତର ଓ ୪ ଜଣ ‘ପାରାଭେଟ୍‌’ ନିଯୁକ୍ତି ଦେବାକୁ ବିଏମ୍‌ସି ଯୋଜନା କରିଥିଲା। ଏକ ତୃତୀୟ ପକ୍ଷ ସଂସ୍ଥା ଜରିଆରେ ପରୀକ୍ଷା କରାଯାଇ ଚୟନ କରାଯାଇଛି। ଏହାର ସ୍ବୀକୃତି ପାଇଁ ବିଏମ୍‌ସି ପାଖରେ ୬ ମାସ ହେବ ଫାଇଲ୍‌ ପଡ଼ିଛି। ଏଣୁ ଏହି କର୍ମଚାରୀମାନଙ୍କୁ ନିଯୁକ୍ତି ମିଳୁନାହିଁ। ଫଳରେ ଯୋଜନା କାର୍ଯ୍ୟକ୍ଷମ ଥିଲେ ମଧ୍ୟ ଫଳପ୍ରଦ ହେଉ ନାହିଁ।

ସେହିଭଳି ଆଉ ଗୋଟିଏ ‌ଯୋଜନା ହେଉଛି ସ୍ଲଟର ହାଉସ୍‌ ବା କଂସେଇଖାନା। ରାସ୍ତା କଡ଼ରେ ମାଂସ କଟାହେବା, ରକ୍ତ ବିଛାଇ ହୋଇ ପଡ଼ିବା ଯୋଗୁଁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେବା, ମାଂସ ଖାଦ୍ୟପଯୋଗୀ ବୋଲି ପ୍ରମାଣିତ ନ ହେବା ପ୍ରଭୃତି କାରଣକୁ ଆଖି ଆଗରେ ରଖି ସହରର ଗାଡ଼କଣ, ବାଣୀବିହାର, ପାଣ୍ଡରା, ଡୁମୁଡ଼ୁମା ଓ ଘାଟିକିଆ ଏଭଳି ୫ଟି ଜାଗାରେ କଂସେଇକାନା କରିବାକୁ ଯୋଜନା କରିଥିଲା ବିଏମ୍‌ସି। ସ୍ଥାନୀୟ ଲୋକଙ୍କ ପ୍ରତିବାଦରୁ ୪ଟି ଜାଗାରେ ପ୍ରକଳ୍ପ ସମ୍ଭବ ନ ହେବା ପରେ ଗୋଟିଏ ପ୍ରକଳ୍ପ ଗାଡ଼କଣରେ ଆରମ୍ଭ ହୋଇଥିଲା। ୨୦୧୨ ମସିହାରେ ୬ କୋଟି ୪୦ ଲକ୍ଷ ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇଥିଲା। ୯ବର୍ଷ ପରେ ବି ଏହା କାର୍ଯ୍ୟକ୍ଷମ ହୋଇ ନାହିଁ। ରାସ୍ତାକଡ଼ରେ ସେମିତି ମାଂସ କଟା ଯାଉଛି। ପିଅନଠାରୁ ଆରମ୍ଭ କରି ଅଫିସର ପର୍ଯ୍ୟନ୍ତ ସମସ୍ତେ ମାଂସ କିଣୁଛନ୍ତି। ଏଣେ ସାଢ଼େ ୬ କୋଟି ଟଙ୍କାର ପ୍ରକଳ୍ପ ଖତ ଖାଉଛି। ତେଣୁ ଆସନ୍ତା ସ୍ବାୟତ୍ତ ଶାସନ ଦିବସରେ ବିଏମ୍‌ସି ନୂଆ ପ୍ରକଳ୍ପର ସ୍ବପ୍ନ ନ ଦେଖାଇ ସାଧାରଣ ଜନତାଙ୍କ ଜୀବନଯାତ୍ରା ସହ ଜଡ଼ିତ ଥିବା ଏହି ଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପକୁ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ କରାଉ ବୋଲି ବିଭିନ୍ନ ମହଲରୁ ଦାବି ହୋଇଛି।