ଭୁବନେଶ୍ବର: ୮୦୦ ଏକର ଜମିରେ ନିର୍ମାଣ ହେବ ନୂଆ ଭୁବନେଶ୍ବର। ଦିନକୁ ଦିନ ଭୁବନେଶ୍ବରର ପରିସୀମା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ନୂଆ ସହର ନିର୍ମାଣର ଆବଶ୍ୟକତା ରହିଛି। ଏହି ସହରକୁ ସୁଚିନ୍ତିତ ଭାବେ ବ୍ୟବସ୍ଥିତ କରାଯିବ। ୨୫୦ରୁ ୩୦୦ କୋଟି ଟଙ୍କା ବ୍ୟୟରେ ନିକୋ ପାର୍କର ନବୀକରଣ ସହିତ ସୌନ୍ଦର୍ଯ୍ୟୀକରଣ କରାଯିବ। ଇସ୍କନ୍ ସମ୍ମୁଖରେ ଜଳ ସମସ୍ୟାର ସମାଧାନ ପାଇଁ ୧୫୦ କୋଟି ବ୍ୟୟରେ ଜଳ ନିଷ୍କାସନ ବ୍ୟବସ୍ଥା କରିବା ଲାଗି ଡିପିଆର୍ ପ୍ରସ୍ତୁତି ସରିଛି। ଖୁବ୍ଶୀଘ୍ର ଏହା କାର୍ଯ୍ୟକାରୀ ହେବ। ଏହି ନାଳପାଣିର ନିଷ୍କାସନ ଲାଗି ବାଣୀବିହାର ନାଳ ସହିତ ସଂଯୋଗ କରାଯିବ। ଅନୁରୂପ ଭାବେ ଦୟା ଓ ଗଙ୍ଗୁଆ ୱେଷ୍ଟକେନାଲ ସମସ୍ୟା ଦୂର ଲାଗି ଡିପିଆର୍ ପ୍ରସ୍ତୁତ କରିବା ଲାଗି ଏକ ବୈଷୟିକ ଟିମ୍ ଗଠନ କରାଯାଇଛି। ରିପୋର୍ଟ ମୁତାବକ ଏହି ସମସ୍ୟାର ସମାଧାନ ଲାଗି ପଦକ୍ଷେପ ନିଆଯିବ। ବିଏମ୍ସି ପକ୍ଷରୁ ଅନୁଷ୍ଠିତ ସ୍ବାୟତ୍ତ ଶାସନ ଦିବସ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏଭଳି ପ୍ରତିଶ୍ରୁତି ଦେଇଛନ୍ତି।
ମନ୍ତ୍ରୀ ଶ୍ରୀ ମହାପାତ୍ର କହିଲେ ଯେ ବଢ଼ୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଭୁବନେଶ୍ବରର ପରିସୀମା ବ୍ୟାପ୍ତ କରିବା ଲାଗି ସରକାର ଚିନ୍ତା କରୁଛନ୍ତି। ବିଏମ୍ସି ଅଧୀନରେ ଆସୁ ନଥିବା ପଞ୍ଚାୟତଗୁଡ଼ିକ ମଧ୍ୟ ସହରରେ ସାମିଲ ହେବ। ଖୁବ୍ଶୀଘ୍ର ଡିପିଆର୍ ପ୍ରସ୍ତୁତ ହୋଇ ଏହାକୁ କାର୍ଯ୍ୟକାରୀ କରାଯିବ। ଭୁବନେଶ୍ବରର ବିଭିନ୍ନ ବସ୍ତିର ଉନ୍ନତି ଓ ସୌନ୍ଦର୍ଯ୍ୟୀକରଣକୁ ପ୍ରାଥମିକତା ଦିଆଯିବ। ପୁରୁଣା ଘର ଓ ପାର୍ଟ ପ୍ଲଟ୍ ରେଜିଷ୍ଟ୍ରେସନ୍ରେ ଥିବା ସମସ୍ୟାକୁ ମଧ୍ୟ ଦୂର କରାଯିବ। ସେହିପରି ଲୋକଙ୍କ ନିମନ୍ତେ ମାତ୍ର ୧୪ ଲକ୍ଷ ଟଙ୍କାରେ ଘର ଦିଆଯିବ। ବହୁତଳ ଅଟ୍ଟାଳିକା ନିର୍ମାଣ କରାଯାଇ ଏଲ୍ଆର୍ସି ବଦଳରେ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ଦିଆଯିବ। ଫଳରେ ଦିନକୁ ଦିନ ବଢ଼ୁଥିବା ବସ୍ତି ହ୍ରାସ ପାଇବ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଅନୁରୂପ ଭାବେ ଭୁବନେଶ୍ବରରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ବାୟୋଗ୍ୟାସ୍ରେ ପରିଣତ କରିବାକୁ ଲକ୍ଷ୍ୟ ରହିଛି। ସହରର ରାସ୍ତାଘାଟ, ଲାଇଟ୍, ପାଣି, ଡ୍ରେନେଜ୍ ସମସ୍ୟାର ସମାଧାନ ଆଲୋଚନା ଦ୍ବାରା ସମ୍ଭବ ବୋଲି ମନ୍ତ୍ରୀ କହିଥିଲେ।
ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏକାମ୍ର ବିଧାୟକ ବାବୁ ସିଂ ଭୁବନେଶ୍ବରର ଟ୍ରାଫିକ୍, ଡ୍ରେନେଜ୍ ସମସ୍ୟାର ସମାଧାନ ଦିଗରେ ଦୃଢ଼ୋକ୍ତି ପ୍ରକାଶ କରିବା ସହିତ ରାଜଧାନୀରୁ ନିଶା କାରବାର ହଟାଇବା ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ମେୟର୍ ସୁଲୋଚନା ଦାସ ସବୁଜ ସୁନ୍ଦର ଭୁବନେଶ୍ବର ଗଠନ ଦିଗରେ ରାଜଧାନୀବାସୀ ସଂକଳ୍ପ ନେବାକୁ ପରାମର୍ଶ ଦେବା ସହିତ ବିଭିନ୍ନ ୱାର୍ଡ ଅଫିସ୍ ନିର୍ମାଣ ଲାଗି ଜମି ଯୋଗାଇଦେବାକୁ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ଡେପୁଟି ମେୟର୍ ମଞ୍ଜୁଲତା କହଁର ଓ କମିସନର୍ ଚଞ୍ଚଲ ରଣା ସ୍ବାୟତ୍ତ ଶାସନ ଦିବସର ଶୁଭେଚ୍ଛା ଜଣାଇବା ସହିତ ବିଏମ୍ସିର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବାରୋପ କରିଥିଲେ। ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ(ସଂସ୍କୃତି) ରାମଚନ୍ଦ୍ର ରଣସିଂହ ମଞ୍ଚାସୀନ ରହିଥିଲେ। ଏହି ଅବସରରେ ବିଏମ୍ସିର ରିପୋର୍ଟ କାର୍ଡ ୱାର୍କ ସ୍ପିକ୍ ଓ ପତ୍ରିକା ‘ଆହ୍ବାନ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ପୁରସ୍କାର ବିତରଣୀରେ ଉତ୍ତର ଜୋନ୍ସ୍ଥିତ ୧ ନମ୍ବର ୱାର୍ଡକୁ ଶ୍ରେଷ୍ଠ ସ୍ବଚ୍ଛ ୱାର୍ଡ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ବହୁ ଲବ୍ଧପ୍ରତିଷ୍ଠ ବ୍ୟକ୍ତିବିଶେଷ, ଆବାସିକ ସଂଗଠନ, ବିଏମ୍ସି କର୍ମଚାରୀ, ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା।
ପୂର୍ବରୁ ବିଏମ୍ସି ମୁଖ୍ୟ କାର୍ଯ୍ୟାଳୟରେ ଏକ ଶପଥପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପରିମଳ କର୍ମଚାରୀଙ୍କୁ ସୁରକ୍ଷା ଦେବା ଓ ଏକ ସୁସ୍ଥ ଓ ସୁରକ୍ଷିତ ସମାଜ ତିଆରି କରିବା ପାଇଁ ସହଯୋଗ କରିବାକୁ ବିଏମ୍ସି କର୍ମଚାରୀମାନେ ଶପଥପାଠ କରିଥିଲେ। ଏହି ଅବସରରେ ମୋଟ ନୂତନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରାଯିବା ସହ ବିଭିନ୍ନ ଆଶ୍ରୟସ୍ଥଳୀରେ ଫଳ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଏମ୍ସି ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, କମିସନର ଚଞ୍ଚଳ ରାଣାଙ୍କ ସମେତ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ, ଅଧ୍ୟକ୍ଷା ଓ କର୍ପୋରେଟର ଓ ବିଏମସିର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।