ଭୁବନେଶ୍ବର: ସ୍ବାଧୀନତା ଦିବସ ପାଳନ ବେଳେ କର୍ପୋରେଟର ଉପସ୍ଥିତ ରହିବେ, ହେଲେ ପତାକା ଉତ୍ତୋଳନ କରିବେ ୱାର୍ଡ ଅଫିସର। ଏଭଳି ନିର୍ଦ୍ଦେଶନାମା ଜାରି ହେବା ପରେ ବିଭିନ୍ନ ମହଲରେ ସୃଷ୍ଟି ହୋଇଥିବା ଅସନ୍ତୋଷ ଓ ଗଣମାଧ୍ୟମରେ ଖବର ପ୍ରକାଶ ପରେ ବିଏମ୍ସି ଚେତିଛି। ୱାର୍ଡ ଅଫିସର ନୁହେଁ, କର୍ପୋରେଟର ହିଁ ପତାକା ଉତ୍ତୋଳନ କରିବେ ବୋଲି ଆଜି ପୁରୁଣା ଚିଠିକୁ ସଂଶୋଧନ କରି ବିଏମ୍ସି ସମସ୍ତ ୱାର୍ଡ ଅଫିସରଙ୍କୁ ନୂଆ ଚିଠି ଲେଖିଛି।
ଗତକାଲି ବିଏମ୍ସି ପକ୍ଷରୁ ନିର୍ଦ୍ଦେଶ ଦିଆ ଯାଇଥିଲା ଯେ ପ୍ରତି ୱାର୍ଡରେ ପାଳନ ହେବାକୁ ଥିବା ୭୭ତମ ସ୍ବାଧୀନତା ଦିବସରେ ୱାର୍ଡ ଅଫିସରମାନେ ପତାକା ଉତ୍ତୋଳନ କରିବେ। ସମ୍ପୃକ୍ତ ୱାର୍ଡର କର୍ପୋରେଟର ଉପସ୍ଥିତ ରହିବେ। ତାଙ୍କ ସହିତ ସ୍ଥାନୀୟ ଅଞ୍ଚଳର ନେତା, ବରିଷ୍ଠ ନାଗରିକ, ଗୋଷ୍ଠୀ ସହଭାଗୀଙ୍କୁ ସାମିଲ କରାଯିବ। ମିସନ ଶକ୍ତି ଗ୍ରୁପ୍ର ସଦସ୍ୟାମାନେ ଜାତୀୟ ସଙ୍ଗୀତ ଗାନ କରିବେ। ୱାର୍ଡ ଅଫିସର ପତାକା ଉତ୍ତୋଳନ କରିବେ। ଯେଉଁ ୱାର୍ଡରେ ୱାର୍ଡ ଅଫିସର ନାହାନ୍ତି, ସେଠାରେ କମିସନର ଜଣେ ଅଧିକାରୀଙ୍କୁ ନିଯୁକ୍ତ କରିବେ ଏବଂ ସେହି ଅଧିକାରୀ ପତାକା ଉତ୍ତୋଳନ କରିବେ। ଏଭଳି ନିର୍ଦ୍ଦେଶନାମା ଜାରି ହେବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା। ଏ ନେଇ 'ସମ୍ବାଦ' ରେ ଖବର ପ୍ରକାଶ ପାଇବା ପରେ ଆଜି ସାନି ଚିଠି ହୋଇଛି।