ଭୁବନେଶ୍ବର: ୨୦୦୩ ମସିହା ଡିସେମ୍ବର ମାସରେ ଭୁବନେଶ୍ବର ମହାନଗର ନିଗମର ପ୍ରଥମ କମିସନର ହୋଇଥିଲେ ସୁରେଶ ଚନ୍ଦ୍ର ମନ୍ତ୍ରୀ। ତାଙ୍କ ଠାରୁ ଆରମ୍ଭ କରି ୨୦୨୫ରେ ରାଜେଶ ପ୍ରଭାକର ପାଟିଲ୍ଙ୍କ ପର୍ଯ୍ୟନ୍ତ। ପାଖାପାଖି ୨୨ ବର୍ଷରେ ୧୬ ଜଣ କମିସନର ବଦଳି ହେଲେଣି। ଏବେ ୧୭ ନମ୍ବର କମିସନର ଭାବେ ଯୋଗ ଦେବେ ଚଞ୍ଚଳ ରଣା। କେବଳ ଗତ ୭ ବର୍ଷରେ ୭ ଜଣ କମିସନରଙ୍କ ବଦଳି ହେଲାଣି। କମିସନର ପରି ଏକ ଗୁରୁତ୍ବପୂର୍ଣ୍ଣ ପଦବିରେ ଅସ୍ଥିରତା ବିଏମ୍ସିର ପ୍ରଶାସନିକ ଓ ଉନ୍ନୟନମୂଳକ କାର୍ଯ୍ୟରେ ଅଡ଼ୁଆ ସୃଷ୍ଟି କରୁଥିବାର ଅଭିଯୋଗ ହେଉଛି। ସାଧାରଣତଃ ଜଣେ ଅଧିକାରୀ ଗୋଟିଏ ସ୍ଥାନରେ ସର୍ବନିମ୍ନ ତିନି ବର୍ଷ କାମ କରିବାକୁ ଗୋଟିଏ ପରମ୍ପରା ରହିଛି। କିନ୍ତୁ ବିଏମ୍ସି କ୍ଷେତ୍ରରେ ତାହା ପାଳନ କରାଯାଉ ନାହିଁ। ୧୬ ଜଣ କମିସନରଙ୍କ ମଧ୍ୟରୁ କେବଳ କ୍ରିଷନ୍ କୁମାର (ପ୍ରାୟ ୫ ବର୍ଷ) ଓ ଅପରାଜିତା ଷଡ଼ଙ୍ଗୀ (ପ୍ରାୟ ୩ ବର୍ଷ) ସର୍ବାଧିକ ସମୟ ରହିଛନ୍ତି। ଅନ୍ୟମାନଙ୍କ ଭିତରେ କିଏ ମାସେ, କିଏ ୬ ମାସ ତ’ କିଏ ବର୍ଷେ ଭିତରେ ବଦଳି ହୋଇଯାଇଛନ୍ତି।
କମିସନରମାନଙ୍କର ଏମିତି ଘନ ଘନ ବଦଳି ବିଚିତ୍ର ପରିସ୍ଥିତି ସୃଷ୍ଟି କରୁଛି। କମିସନର ବଦଳିବା ସହ ସେମାନଙ୍କ କାମ କରିବା ଶୈଳୀ, ପୂର୍ବ ଯୋଜନା ଓ ନିଷ୍ପତ୍ତି ବି ବଦଳିଯାଉଛି। ଫଳରେ ବିକାଶର ଗତି ମନ୍ଥର ହେଉଛି ଓ ସହରବାସୀ ହିଁ ସମସ୍ୟା ଭୋଗୁଛନ୍ତି। ସହରର କୌଣସି ବଡ଼ ସମସ୍ୟାର ସ୍ଥାୟୀ ସମାଧାନର ବାଟ ବାହାରିପାରୁନି। ନା ଜଳବନ୍ଦୀ ସମସ୍ୟାର ସ୍ଥାୟୀ ପ୍ରତିକାର ହେଉଛି ନା ଆବର୍ଜନା ପାହାଡ଼ ହଟାଇବାକୁ ସମାଧାନର ବାଟ ବାହାରୁଛି। ବାରମ୍ବାର ବଦଳି ହେଉଥିବାରୁ ଅଧିକାଂଶ କମିସନର କୌଣସି ବଡ଼ କାମ ହାତକୁ ନେବାକୁ ଆଗ୍ରହ ପ୍ରକାଶ କରୁ ନଥିବାର ନଜିର ବି ଦେଖିବାକୁ ମିଳୁଛି। ଏପରିକି ପ୍ରଶାସନିକ ସ୍ତରରେ ମଧ୍ୟ କିଛି ଜଟିଳ ସମସ୍ୟାକୁ ସମାଧାନ କରିବାରେ କମିସନରମାନେ ଆଗ୍ରହ ନେଉ ନାହାନ୍ତି। ଫଳରେ ବିଏମ୍ସି ଅନେକ ଅଦାଲତି ମାମଲାରେ ବି ଛନ୍ଦି ହେଉଛି। ଏଥି ପାଇଁ ଆର୍ଥିକ କ୍ଷତି ବି ସହିବାକୁ ପଡ଼ୁଥିବାର ଅଭିଯୋଗ ହେଉଛି।