ଭୁବନେଶ୍ୱର: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସହରାଞ୍ଚଳ ସ୍ବଚ୍ଛତାକୁ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି। ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ବି ସେହି ଅନୁସାରେ ତାଳ ଦେଇ ଘରକୁ ଘର ପୃଥକ୍ ଭାବେ ଅଳିଆ ସଂଗ୍ରହ ଓ ଗଳିକନ୍ଦି ସଫେଇକୁ ଜୋର୍‌ ଦେଇଛି। କିନ୍ତୁ ସଫେଇରେ ନିୟୋଜିତ ଗାଡ଼ି ଏଥିରେ ଅନ୍ତରାୟ ସୃଷ୍ଟି କରୁଛି। କେତେବେଳେ ଗାଡ଼ି ଷ୍ଟାର୍ଟ ହେଉନି ତ କେତେବେଳେ ଭାଙ୍ଗିଯିବାରୁ ଗଡ଼ୁନି। ଅଳିଆ ଉଠାରେ ନିୟମିତ ଏଭଳି ସମସ୍ୟା ଦେଖାଦେଉଛି। ଅପରପକ୍ଷେ ଯେଉଁ ଗାଡ଼ି ବିଏମ୍‌ସି କିଣିଥିଲା, ତାର ମରାମତି ଖର୍ଚ୍ଚ କିଣା ଖର୍ଚ୍ଚଠାରୁ ବଳିଗଲାଣି। ମାସିକ ମରାମତିରେ କେତେବେଳେ ୨ ଲକ୍ଷ ତ କେତେବେଳେ ୫ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏଣୁ ବିଏମ୍‌ସି ଏହି ପୁରୁଣାଗାଡ଼ି ବଦଳରେ ଆଉ ନୂଆଗାଡ଼ି ନ କିଣି ଏଜେନ୍ସି ଜରିଆରେ ଭଡ଼ାସୂତ୍ରରେ ଗାଡ଼ି ଆଣିବାକୁ ନିଷ୍ପତ୍ତି ନେଇଛି। 
ଅପରପକ୍ଷେ ଗାଡ଼ି ମରାମତି ଚାପ ଓ ସମୟକୁ କମାଇବାକୁ ସ୍ଥାନୀୟ କୁଶଳୀ ଗ୍ୟାରେଜ୍‌ ଅବା ୱାର୍କସପଙ୍କୁ ଛୋଟ ଓ ସାଧାରଣ ମରାମତି ପାଇଁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନିଆଯାଇଛି। ସ୍ବଚ୍ଛତା ଗାଡ଼ି ପାଇଁ ଆବଶ୍ୟକ ଫ୍ୟାବ୍ରିକେସନ୍ ଓ ବଡ଼ି ମରାମତି ପାଇଁ ଅଭିଜ୍ଞ ଫ୍ୟାବ୍ରିକେସନ୍ ୱାର୍କସପ୍‌ଙ୍କୁ ବି ଏନ୍‌ପ୍ୟାନେଲ୍‌ କରିବାକୁ ନିଷ୍ପତ୍ତି ହୋଇଛି।

Advertisment

ଏଥର କିଣିବେନି, ଭଡ଼ାରେ ଆଣିବେ
ବ୍ରେକ୍‌ଡାଉନ୍‌ ମୁଣ୍ଡବିନ୍ଧା କଲାଣି, ୪୫୫ ଗାଡ଼ିରୁ ୭୦ଟି ଭଙ୍ଗା
୨୭୫ଟି ବାରମ୍ବାର, ମରାମତି ଲୋଡ଼ୁଛି

ବିଏମ୍‌ସିର ୬୭ଟି ୱାର୍ଡରୁ ଘରକୁ ଘର ବୁଲି ପୃଥକ୍ ଭାବେ ଅଳିଆ ସଂଗ୍ରହ ଓ ଆଇଇସି କାର୍ଯ୍ୟ ପାଇଁ ୬ଟି ପ୍ୟାକେଜ୍‌ରେ ତିନି ଠିକାସଂସ୍ଥା କାମ କରୁଛନ୍ତି। ଗତ ଜୁନ୍ ୩୦ରୁ ବିଏମ୍‌ସି ସମସ୍ତ ଗାଡ଼ି ପୁରୁଣା ଏଜେନ୍ସିଙ୍କଠାରୁ ଆଣି ନୂଆ ଏଜେନ୍ସିଙ୍କୁ ଦେଇଛି। ଗତ ଜୁଲାଇ ୧ରୁ ତିନି ନୂଆ ଠିକାସଂସ୍ଥା କାମ କରୁଛନ୍ତି। ବର୍ତ୍ତମାନ ଅଳିଆ ଉଠାଇବା ପାଇଁ ବିଏମ୍‌ସିର ୪୫୫ଟି ହାଲୁକା ଯାନ(କମର୍ସିଆଲ୍) ରହିଛି। ସେଥିମଧ୍ୟରୁ ଘରକୁ ଘର ବୁଲି ଆବର୍ଜନା ସଂଗ୍ରହ କରୁଥିବା ୪୨୨ଟି ଗାଡ଼ି ମଧ୍ୟରୁ ୭୦ଟି ଗାଡ଼ି ଅଚଳ ଅବସ୍ଥାରେ ରହିଛି। ୨୭୫ଟି ଗାଡ଼ି ୪ ବର୍ଷ ପୁରୁଣା ହୋଇଥିବାରୁ ନିୟମିତ ମରାମତି ଆବଶ୍ୟକ କରୁଛି। ବିଏମ୍‌ସି କର୍ତ୍ତପକ୍ଷ କହିଛନ୍ତି, ଯଦି କୌଣସି ଗାଡ଼ି ଥରେ ଖରାପ ହେଲା, ମରାମତି ପାଇଁ ଅତି କମ୍‌ରେ ୧୫ ଦିନ ଲାଗିଯାଉଛି। ବେଳେ ବେଳେ ମାସାଧିକ ସମୟ ଯାଉଛି।  ଗାଡ଼ି କ୍ରୟଠାରୁ ମରାମତି ଖର୍ଚ୍ଚ ବଢ଼ିଗଲାଣି। ଏଭଳି ଅଯଥା ଖର୍ଚ୍ଚ ରୋକିବାକୁ ଏଜେନ୍ସି ଜରିଆରେ ୨୭୫ଟି ଗାଡ଼ି ଭଡ଼ାରେ ଆଣିବାକୁ ନିଷ୍ପତ୍ତି ହୋଇଛି। 

ଗତ ଅଗଷ୍ଟ ୨୧ରେ ଅନୁଷ୍ଠିତ ଜନସ୍ବାସ୍ଥ୍ୟ, ବିଜୁଳି ଓ ପାଣି ଯୋଗାଣ, ଡ୍ରେନେଜ୍‌ ପରିବେଶ ଷ୍ଟାଣ୍ଡିଂ କମିଟିରେ ଏ ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। କମିଟି ପରାମର୍ଶକ୍ରମେ ଗାଡ଼ି ସ୍ଥିତି ଯାଞ୍ଚ ପାଇଁ ବିଏମ୍‌ସି ଅତିରିକ୍ତ କମିସନର୍(ଯାନ)ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। ଯେଉଁଥିରେ ବିଏମ୍‌ସି ଡେପୁଟି କମିସନର୍(ପରିମଳ), ମୁଖ୍ୟ ବିତ୍ତ ଅଧିକାରୀ ଓ ଏମ୍‌ଭିଅ‌ାଇ ସଦସ୍ୟ ଥିଲେ। ଯାଞ୍ଚ ପରେ ୨୭୫ଟି ଗାଡ଼ି ପୁରୁଣା ହୋଇଯାଇଥିବାରୁ ବାରମ୍ବାର ମରାମତି ମାଗୁଥିବା ଓ ଏ ବାବଦରେ ବ୍ୟୟଭାର ବଢ଼ୁଥିବା କମିଟି ଦର୍ଶାଇଥିଲେ। ଏହାଦ୍ବାରା ଅଳିଆ ସଂଗ୍ରହ ବି ବାଧାପ୍ରାପ୍ତ ହେଉଥିଲା। ଏଣୁ କମିଟିର ମତାମତକୁ ଆଧାର କରି ବିଏମ୍‌ସି ଆରଏଫ୍‌ପି ପ୍ରକ୍ରିୟାରେ ଏଜେନ୍ସି ଚୟନ କରି ଭଡ଼ାସୂତ୍ରରେ ଗାଡ଼ି ଆଣିବାକୁ ନିଷ୍ପତ୍ତି ନେଇଛି। ଜନସ୍ବାସ୍ଥ୍ୟ, ବିଜୁଳି ଓ ପାଣି ଯୋଗାଣ, ଡ୍ରେନେଜ ଓ ପରିବେଶ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୁପକାର କହିଛନ୍ତି, ଗାଡ଼ି ସମସ୍ୟା କାରଣରୁ ତିନି ଠିକାସଂସ୍ଥା ୨୮ଟି ଗାଡ଼ି ଭଡ଼ାରେ ଆଣି କାମ କରୁଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଏଜେନ୍ସିମାନେ ଏହି ଗାଡ଼ି ଗତ ଜୁଲାଇ ୧୨ରୁ ଅକ୍ଟୋବର ୧୧ ପର୍ଯ୍ୟନ୍ତ ଲଗାଇବାକୁ ଅନୁମତି ଦିଆଯାଇଛି। ପରବର୍ତ୍ତୀ ସମୟରେ ଆରଏଫ୍‌ପି ପ୍ରକ୍ରିୟାରେ ଏଜେନ୍ସି ଚୟନ କରି ଭଡ଼ା ସୂତ୍ରରେ ସମସ୍ତ ଗାଡ଼ି ଆସିବ।