ଭୁବନେଶ୍ବର: ଜଣେ ଠିକାଦାରଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି)ର କିରାଣୀ ସୁଧାଂଶୁ ଶେଖର ମାଝୀ। ଅପରାହ୍ଣରେ ତାଙ୍କୁ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ କିରାଣୀ ଶ୍ରୀ ମାଝୀଙ୍କଠାରୁ ୨୦ ହଜାର ଟଙ୍କା ଜବତ କରାଯାଇଛି।
ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରସୁଲଗଡ଼ ଅଞ୍ଚଳର ଠିକାଦାର ପ୍ରଶାନ୍ତ କୁମାର ଶ୍ରୀଚନ୍ଦନରାୟ ଏକ ଠିକା କାମ ବାବଦରେ ଜମା ରଖିଥିବା ଅଗ୍ରୀମ ଏବଂ ସିକ୍ୟୁରିଟି ବାବଦ ଟଙ୍କା ଫେରସ୍ତ ପାଇଁ ଆବେଦନ କରିଥିଲେ। ବିଏମ୍ସି ୪୨ ନମ୍ବର ଵାର୍ଡ ଅଫିସର୍ ସୁଧାଂଶୁ ମାଝୀଙ୍କ ପାଖରେ ଏହି ଫାଇଲ୍ ରହିଥିଲା। ତେବେ ଏହି ଫାଇଲ୍ କାମ ପାଇଁ ଅଭିଯୁକ୍ତ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏମିତିକି ଟଙ୍କା ନ ପାଇଲା ପର୍ଯ୍ୟନ୍ତ ଫାଇଲ୍ କାମ ନ କରି ତାଙ୍କ ସହ ଖେଳିଥିଲେ। ତେଣୁ ଲାଞ୍ଚୁଆ କିରାଣୀକୁ ପାନେ ଦେବା ପାଇଁ ପ୍ରଶାନ୍ତ ମନେ ମନେ ସ୍ଥିର କରିଥିଲେ ଓ ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ୍ରେ ଅଭିଯୋଗ କରିଥିଲେ। ପୂର୍ବ ପ୍ରସ୍ତୁତି ମୁତାବକ, ପ୍ରଶାନ୍ତ ଆଜି ଅଫିସ୍ରେ ପହଞ୍ଚି ସୁଧାଂଶୁଙ୍କୁ ୨୦ ହଜାର ଟଙ୍କା ଦେଇଥିଲେ। ସୁଧାଂଶୁ ଟଙ୍କାକୁ ନିଜ ପ୍ୟାଣ୍ଟ ପକେଟ୍ରେ ରଖି ତରବର ହୋଇ ଅଫିସ ଛାଡ଼ିବାକୁ ବାହାରି ପଡ଼ିଥିଲେ। ମାତ୍ର ଛକି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଘେରି ଯାଇଥିଲେ ଓ ପକେଟ୍ରୁ ଟଙ୍କା ବାହାର କରିବାକୁ କହିଥିଲେ। ସୁଧାଂଶୁଙ୍କ ହାତ ଧୋଇବାରୁ କେମିକାଲ୍ ପ୍ରଭାବରେ ହାତ ଲାଲ୍ ହୋଇ ଯାଇଥିଲା ଓ ଲାଞ୍ଚୁଆ କିରାଣୀଙ୍କ ମୁହଁ କଳା ପଡ଼ି ଯାଇଥିଲା।