ମାର୍କେଟ୍‌ ବିଲଡିଂ, ୟୁନିଟ-୧ ହାଟ ଖୋଲିଲା, ବିଏମ୍‌ସି ବନ୍ଦ କଲା

ଭୁବନେଶ୍ବର : ଲକ୍‌ଡାଉନ୍‌ ୪ ଆଜିଠାରୁ ଲାଗୁ ହୋଇଛି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ମଲ୍‌କୁ ଛାଡ଼ିଦେଲେ ଦୋକାନ ବଜାର ଖୋଲିବାରେ ସମସ୍ୟା ନାହିଁ। ତେଣୁ ଆଜି ୟୁନିଟ-୨ ମାର୍କେଟ୍‌ ବିଲଡିଂ ଓ ୟୁନିଟ-୧ ହାଟର ବ୍ୟବସାୟୀମାନେ ଦୋକାନ ଖୋଲି ଦେଇଥିଲେ। କିନ୍ତୁ ବିଏମ୍‌ସି ସ୍କ୍ବାଡ୍‌ ଆସି ସବୁ ଦୋକାନ ବନ୍ଦ କରିଦେଇଥିଲା। ବିଏମ୍‌ସି ଗାଇଡ୍‌ଲାଇନ୍ ବାହାରିବା ପର୍ଯ୍ୟନ୍ତ କୌଣସି ମାର୍କେଟ୍‌ କମ୍ପ୍ଲେକ୍ସ କି ହାଟ ଖୋଲିପାରିବନି କହି ବନ୍ଦ କରିଦେଇଥିଲେ। କିନ୍ତୁ ବ୍ୟବସାୟୀମାନେ ଦୋକାନ ଖୋଲିବାକୁ କହିବାରୁ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା।

ଆଗକୁ ସାବିତ୍ରୀ ବଜାର ଥିବାରୁ ଦୁଇ ଦିନ ହେଲା ମାର୍କେଟ୍‌ ବିଲଡିଂରେ କିଛି ଦୋକାନୀ ଲୁଚିଛପି ଦୋକାନ ଖୋଲୁଥିଲେ। କିନ୍ତୁ ଆଜି ହଠାତ୍ ସମସ୍ତେ ଦୋକାନ ଖୋଲିବାକୁ ଆସିଥିଲେ। ଏନେଇ ବିଏମ୍‌ସିକୁ ଖବର ମିଳିବା ପରେ ସ୍କ୍ବାଡ୍‌ ଆସି ଦୋକାନ ବନ୍ଦ କରିବାକୁ କହିଥିଲା। ଏହାପରେ ଦୋକାନୀମାନେ ବିରୋଧ କରିଥିଲେ। ଆଉ କେତେ ଦିନ ଏମିତି ଦୋକାନ ବନ୍ଦ ରହିବ? ଦୋକାନ ବନ୍ଦ କଲେ କେମିତି ଚଳିବୁ ବୋଲି ବ୍ୟବସାୟୀମାନେ ପଚାରିଥିଲେ। ହେଲେ କର୍ତ୍ତୃପକ୍ଷଙ୍କ ପାଖରେ କିଛି ଉତ୍ତର ନଥିଲା। କିନ୍ତୁ ଦୋକାନ ବନ୍ଦ କରିଦେଇଥିଲେ।

ମାର୍କେଟ୍‌ ବିଲଡିଂ ବ୍ୟବସାୟୀ ସଂଘ କହିଛି ଯେ ରାଜଧାନୀର ୮୦% ଦୋକାନ ଖୋଲିଗଲାଣି। କିନ୍ତୁ ମାର୍କେଟ୍ ବିଲଡିଂ ଖୋଲିବାକୁ ଅନୁମତି ଦିଆଯାଉନି। ବିଏମ୍‌ସି ବି ଏନେଇ କିଛି କହୁନି। ବିଏମ୍‌ସି ଯାହା ଏସ୍‌ଓପି ଜାରି କରିବ ଆମେ ତାକୁ ମାନିବୁ। ସାମାଜିକ ଦୂରତା ରଖି ବ୍ୟବସାୟ କରିବୁ। ଆମକୁ ଦୋକାନ ଖୋଲିବାକୁ ଅନୁମତି ଦିଆଯାଉ। ବିଏମ୍‌ସି କର୍ତ୍ତୃପକ୍ଷ କହିଛନ୍ତି ଯେ ଆମେ ଖୁବ୍‌ ଶୀଘ୍ର ନୂଆ ଗାଇଡ୍‌ଲାଇନ୍ ପ୍ରସ୍ତୁତ କରିବୁ। ଏଥିରେ କେଉଁ ଦୋକାନ ଖୋଲିବ କି ନାହିଁ, ଜଣାଇ ଦିଆଯିବ।

ସମ୍ବନ୍ଧିତ ଖବର