ଭୁବନେଶ୍ବର : ମାତ୍ରାଧିକ ଭିଡ଼ ଓ କୋଭିଡ୍ ଗାଇଡ୍ଲାଇନ୍ ଉଲ୍ଲଂଘନ ଅଭିଯୋଗରେ ଏକାମ୍ରକାନାନ ପାର୍କକୁ ବିଏମ୍ସି ଶୁକ୍ରବାର ବନ୍ଦ କରିଛି। ଲକ୍ଡାଉନ୍ ସାମାନ୍ୟ କୋହଳ ହୋଇଥିଲେ ସୁଦ୍ଧା ପାର୍କ ଖୋଲିବାର ନିୟମ ନଥିବାରୁ ପାର୍କକୁ ବନ୍ଦ କରାଯାଇଛି। ସେହିଭଳି ୨୩ନଂ ଓ୍ୱାର୍ଡସ୍ଥିତ ଶ୍ୟାମପୁର ଜିମ୍ଖାନା ପାମ୍ ହାଇଟ୍କୁ ମାଇକ୍ରୋ କଣ୍ଟେନ୍ମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯାଇଛି। କିଛି ଦିନ ଭିତରେ ଏହି ଓ୍ୱାର୍ଡରୁ ୧୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପାମ୍ହାଇଟ୍ର ଇ-ବ୍ଲକ୍ରୁ କେବଳ ୬ଜଣ ଆକ୍ରାନ୍ତ ବାହାରିଛନ୍ତି। ତେବେ କାହା ସଂସ୍ପର୍ଶରେ ଆସି ଏମାନେ ସଂକ୍ରମିତ ହୋଇଛନ୍ତି, ଜଣାପଡ଼ୁନଥିବାରୁ ଏହାକୁ ମାଇକ୍ରୋ କଣ୍ଟେନମେଣ୍ଟ୍ କରିଛନ୍ତି ଦକ୍ଷିଣ ପଶ୍ଚିମ ଜୋନାଲ୍ ଡେପୁଟି କମିସନର୍ ରବିନାରାୟଣ ଜେଠୀ। ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍ରେ ଲୋକଙ୍କୁ ବାହାରକୁ ଯିବାକୁ ଅନୁମତି ନଥିବାରୁ ବିଏମ୍ସି ସ୍ଥାନୀୟ ଲୋକଙ୍କୁ ଔଷଧଠୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବ ବୋଲି ଜଣାପଡ଼ିଛି।
ଭିଏସ୍ଏସ୍ ମାର୍କେଟ୍ ସିଲ୍
ଭୁବନେଶ୍ବର : ଜୁଲାଇ ମାସ କୋଭିଡ୍ ଗାଇଡ୍ଲାଇନ୍ରେ ରାଜ୍ୟ ସରକାର କିଛି ମାତ୍ରାରେ କୋହଳ କରିଛନ୍ତି। ଯାହାର ସୁଯୋଗ ନେଇ ଲୋକେ ବେଧଡ଼କ ଭାବେ ଚଳପ୍ରଚଳ କରୁଛନ୍ତି। କୋଭିଡ୍ ଗାଇଡଲାଇନକୁ ଉଲ୍ଲଂଘନ କରି ମନଇଚ୍ଛା ମାର୍କେଟ୍ରେ ବୁଲୁଛନ୍ତି। ଅଯଥାରେ ଗହଳି କରୁଛନ୍ତି। ବ୍ୟବସାୟୀମାନେ ଆବଶ୍ୟକତାଠାରୁ ଅଧିକ ଲୋକଙ୍କୁ ଦୋକାନ ଭିତରେ ପୂରାଉଛନ୍ତି। କୋଭିଡ୍ ଗାଇଡ୍ଲାଇନ୍ ପାଳନ କରୁନାହାନ୍ତି। ଯେଉଁଥିପାଇଁ ବିଏମ୍ସି ସ୍କ୍ବାଡ୍ ଆଜି ଭିଏସ୍ଏସ୍ ନଗର ମାର୍କେଟକୁ ସିଲ୍ କରିଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହି ମାର୍କେଟ୍ ବନ୍ଦ ରହିବ ବୋଲି ବିଏମ୍ସି ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।
ଅନ୍ୟପକ୍ଷରେ ବିଏମ୍ସିର ଏକାଧିକ ସ୍କ୍ବାଡ୍ ଆଜି ସହରର ପ୍ରମୁଖ ହାଟ ଉପରେ ଚଢ଼ଉ କରିଥିଲା। ବିଏମ୍ସି ଦକ୍ଷିଣ-ପୂର୍ବ ଜୋନ୍ ସ୍କ୍ବାଡ୍ ପୂର୍ବାହ୍ନରେ ବଡ଼ଗଡ଼ ହାଟ, ସହିଦନଗର ହାଟ, ଝାରପଡ଼ା ହାଟ, ୟୁନିଟ୍-୧ ଓ ୟୁନିଟ୍-୪ ମାର୍କେଟ୍ରେ କଡ଼ାକଡ଼ି ଯାଞ୍ଚ କରିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ବ୍ୟବସାୟୀଙ୍କୁ ଚେତାବନୀ ଦେଇଥିଲା। ବିଏମ୍ସି ଉତ୍ତରଜୋନ୍ ପକ୍ଷରୁ ଚଢ଼ଉ କରାଯାଇ ୬ଟି ଦୋକାନ ବନ୍ଦ କରାଯିବା ସହ ୧୦ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଥିଲା।
୩୪୫ ଆକ୍ରାନ୍ତ ଚିହ୍ନଟ, ୩୫୩ ସୁସ୍ଥ
ଭୁବନେଶ୍ବର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ଭାବେ ୩୦୦ ଉପରେ ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ସହରରୁ ୩୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫୩ ଜଣ ସୁସ୍ଥ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୭୧ଜଣ କ୍ବାରାଣ୍ଟିନ୍ ଓ ୨୭୪ ଜଣ ସ୍ଥାନୀୟ ସଂକ୍ରମିତ। ଏହାକୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ହଜାର ୯୦୮ରେ ପହଞ୍ଚିଛି। ସେଥିମଧ୍ୟରୁ ୮୯ ହଜାର ୧୨୦ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୩୦୭ ରହିଛି। ଚନ୍ଦ୍ରଶେଖରପୁର ଅଞ୍ଚଳରୁ ସର୍ବାଧିକ ୧୨ଜଣ ଆକ୍ରାନ୍ତ କ୍ବାରାଣ୍ଟିନ୍ରୁ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଚନ୍ଦ୍ରଶେଖରପୁରରୁ ୧୯, ଖଣ୍ଡଗିରିରୁ ୧୮, ପଟିଆ ଓ ନୟାପଲ୍ଲୀରୁ ୧୭ଜଣ ଲେଖାଏଁ, ରସୁଲଗଡ଼ରୁ ୧୦, ପାତ୍ରପଡ଼ା ଓ ମଞ୍ଚେଶ୍ବରରୁ ୯ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଆଜି ବି ସହରର ସବୁ ଅଞ୍ଚଳରୁ ଆକ୍ରାନ୍ତ ବାହାରିଥିବା ସୂଚନା ମିଳିଛି।