୩ ମାସରେ ୬ଲକ୍ଷ ୧୦ହଜାର ଆଦାୟ କଲାଣି ବିଏମ୍‌ସି

ଭୁବନେଶ୍ବର : ମାସ୍କ ନପିନ୍ଧିବା, ସାମାଜିକ ଦୂରତା ରକ୍ଷା ନକରିବା ଏବଂ ସର୍ବସାଧାରଣ ସ୍ଥାନକୁ ଅପରିଷ୍କାର କରିବା ଅପରାଧରେ ବିଏମ୍‌ସି ଏପ୍ରିଲ ୨୪ରୁ ଜୁଲାଇ ୨୯ ମଧ୍ୟରେ ରାଜଧାନୀବାସୀଙ୍କ ଠାରୁ ୬ଲକ୍ଷ୧୦ହଜାର ୧୯୦ଟଙ୍କା ଜରିମାନା ଆଦାୟ କରିଛି। ଏଥିରେ ଜୁଲାଇ ୨୪ରୁ ୨୮ତାରିଖ ମଧ୍ୟରେ ବିଏମ୍‌ସି ୪୭ହଜାର ଟଙ୍କା ଜରିମାନା ଆଦାୟ କରିଥିବା ଜଣାପଡ଼ିଛି।

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ ରାଜଧାନୀରେ ଲକ୍‌ଡାଉନ୍ ଘୋଷଣା ହୋଇଥିବାବେଳେ ଏହି ନିୟମ ଯେଉଁମାନେ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ଠାରୁ ଜରିମାନା ଆଦାୟ କରିବାକୁ ବିଏମ୍‌ସିର ସେଣ୍ଟ୍ରାଲ ଏନଫୋର୍ସମେଣ୍ଟ ଟିମ୍‌, କମିସନରେଟ୍‌ ପୁଲିସ, ଜୋନାଲ ଏନଫୋର୍ସମେଣ୍ଟ ଟିମ୍‌ ବିଭିନ୍ନ ଛକ, ହାଟ, ବଜାର ଓ ସର୍ବସାଧାରଣକୁ ସ୍ଥାନକୁ ଯାଇ ଲୋକଙ୍କୁ ସଚେତନ କରିବା ସହ ଜରିମାନା ଆଦାୟ କରୁଛି।

ଆଜି ଦକ୍ଷିଣ-ପୂର୍ବ ଜୋନ୍‌ ପକ୍ଷରୁ ମାସ୍କ ପିନ୍ଧି ନଥିବା ଲୋକଙ୍କ ଠାରୁ ୨ହଜାର ଟଙ୍କା ଓ ସର୍ବସାଧାରଣ ସ୍ଥାନକୁ ଅପରିଷ୍କାର କରୁଥିବା ଲୋକଙ୍କ ଠାରୁ ୩ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ଉତ୍ତର ଜୋନ୍‌ରେ ମାସ୍କ ନପିନ୍ଧିବା ପାଇଁ ୨ହଜାର ଟଙ୍କା ଓ ସର୍ବସାଧାରଣ ସ୍ଥାନକୁ ଅପରିଷ୍କାର କରିଥିବା ଲୋକଙ୍କ ଠାରୁ ୧ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ଏହି ଧାରା ଆଗାମୀ ଦିନରେ ବି ଜାରି ରହିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର