ବୁଝୁବୁଝୁ ବିଦା : ୬ମାସରେ ୪ କମିସନର୍‌ଙ୍କ ବଦଳି, ବୁଧବାର ଦାୟିତ୍ବ ନେବେ ନୂଆ ବିଏମ୍‌ସି କମିସନର୍‌

ନୂଆ କମିସନର୍‌ଙ୍କ ପାଇଁ କ’ଣ ରହିବ ଚାଲେଞ୍ଜ୍

ଭୁବନେଶ୍ବର : ବିଏମ୍‌ସି ଇତିହାସରେ ଯାହା ହୋଇନଥିଲା ଗତ ୬ମାସରେ ତାହା ହୋଇଗଲାଣି। ୬ମାସ ମଧ୍ୟରେ ରାଜ୍ୟ ସରକାର ୪ଜଣ କମିସନରଙ୍କୁ ବଦଳି କରିଦେଲେଣି। ବର୍ତ୍ତମାନର ସମବାୟ ବିଭାଗ ସଚିବ କ୍ରିଷନ କୁମାର ୪ବର୍ଷ ୧୦ମାସ ବିଏମ୍‌ସି କମିସନର୍‌ ଭାବେ କାର୍ଯ୍ୟ କରିବା ପରେ ତାଙ୍କର ବଦଳି ହୋଇଥିଲା। ହେଲେ ଏହାପରେ ୬ମାସ ମଧ୍ୟରେ ତିନି ଜଣଙ୍କର ବଦଳି ହେଲାଣି। ସମସ୍ତେ ଆଇଏଏସ୍ ଅଧିକାରୀ ହୋଇଥିବାବେଳେ କାହାର ବି କାର୍ଯ୍ୟଦକ୍ଷତା ଉପରେ ରାଜ୍ୟ ସରକାର କାହିଁକି ଭରସା କରିପାରୁନାହାନ୍ତି ତାହା ଜଣାପଡ଼ୁନି।

ଏପଟେ ବିଏମ୍‌ସିରେ ଲୋକ ପ୍ରତିନିଧି (କର୍ପୋରେଟର, ମେୟର) ନଥିବାବେଳେ କମିସନର୍‌ମାନଙ୍କର ଘନଘନ ବଦଳି ଏବେ ଚିନ୍ତାଜନକ ପାଲଟିଛି। କ୍ରିଷନ କୁମାରଙ୍କର ଗତବର୍ଷ ଡିସେମ୍ବରରେ ବଦଳି ହେବା ପରେ ଏଠାରେ କାର୍ଯ୍ୟ କରୁଥିବା ଅତିରିକ୍ତ କମିସନର୍‌ ଶୁଭମ୍‌ ସାକସେନାଙ୍କୁ କମିସନର ଭାବେ ନିଯୁକ୍ତି ଦିଆଯାଇଥିଲା। ସେ କର୍ମଚାରୀଙ୍କ ସହିତ ପୂର୍ବରୁ କାର୍ଯ୍ୟ କରିଥିବାରୁ ବିଏମ୍‌ସିର ବିଭିନ୍ନ ଫାଇଲ୍‌ରେ ଦସ୍ତଖତ କରିବାରେ କି ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିବାରେ ବା କିଛି ନିଷ୍ପତ୍ତି ନେବାରେ ବିଶେଷ ସମସ୍ୟା ହେଉନଥିଲା। ହେଲେ ମାତ୍ର ମାସକରେ ତାଙ୍କର ବଦଳି ହୋଇଗଲା। ଶ୍ରୀ ସାକସେନାଙ୍କୁ ସମ୍ବଲପୁର ଜିଲ୍ଲାପାଳ ଭାବେ ବଦଳି କରି ସେଠାରେ କାର୍ଯ୍ୟ କରୁଥିବା ସମର୍ଥ ବର୍ମାଙ୍କୁ ବିଏମ୍‌ସି କମିସନର୍‌ ଭାବେ ନିଯୁକ୍ତି ଦିଆଯାଇଥିଲା। ନିର୍ବାଚନ ପୂର୍ବରୁ ଏହି ବଦଳି ହୋଇଥିବାବେଳେ ଶ୍ରୀ ବର୍ମା ଏଠାରେ ବେଶୀ ଦିନ କାମ କରିବେ ବୋଲି ଆଶା ଥିଲା। ହେଲେ କୌଣସି କାରଣରୁ କେଜାଣି ଶ୍ରୀ ବର୍ମା ପ୍ରଥମ ଏକ ମାସ ବିଏମ୍‌ସିର ବିଭିନ୍ନ କାର୍ଯ୍ୟରେ ବେଶୀ ମୁଣ୍ଡ ଖେଳାଉ ନଥିଲେ। ଏପରିକି କୌଣସି ଫାଇଲ୍‌ରେ ସଙ୍ଗେସଙ୍ଗେ ଦସ୍ତଖତ କରୁନଥିଲେ। ବିଭିନ୍ନ ବିଭାଗର ମୁଖ୍ୟ ମାନଙ୍କୁ ଡାକି ଆଲୋଚନା କରିବା ସହ ବିଏମ୍‌ସିର ବିଭିନ୍ନ ସମସ୍ୟା ବିଷୟରେ ଅବଗତ ହୋଇଥିଲେ। ଏନେଇ ସେମାନଙ୍କ ସ୍ତରରେ ପଦକ୍ଷେପ ନେବାକୁ କହୁଥିଲେ। ହେଲେ ବାତ୍ୟା ଫନି ସମୟରେ ଶ୍ରୀ ବର୍ମା ବିଏମ୍‌ସିର ସମସ୍ତ କାର୍ଯ୍ୟରେ ପ୍ର‌ତ୍ୟକ୍ଷ ଭାବେ ସାମିଲ୍‌ ହୋଇଥିଲେ। ତାଙ୍କ ତତ୍ତ୍ବାବଧାନରେ ବିଏମ୍‌ସିର ପୁନରୁଦ୍ଧାର କାର୍ଯ୍ୟ ହୋଇଥିଲା। ଏପରିକି ଭୁବନେଶ୍ବରକୁ ବହୁତ କମ୍‌ ଦିନରେ ସ୍ବାଭାବିକ କରିବାରେ ଶ୍ରୀ ବର୍ମାଙ୍କ ପଦକ୍ଷେପ ପ୍ରଶଂସନୀୟ ଥିଲା। ଶ୍ରୀ ବର୍ମା ବି ଲୋକଙ୍କ ଅଭିଯୋଗକୁ ନିଜେ ଗ୍ରହଣ କରୁଥିଲେ। ଏହାର ସମାଧାନ ପାଇଁ କହୁଥିଲେ। ଏପରିକି ବର୍ଷା ମୁକାବିଲା ପାଇଁ ସେ କିଛି ଅଞ୍ଚଳ ବୁଲି କାର୍ଯ୍ୟ ତଦାରଖ କରିବା ସହ ସମାଧାନ କରିବାର ପ୍ରତିଶ୍ରୁୂତି ଦେଉଥିଲେ। ଏହାପରେ ତାଙ୍କୁ ବିଡିଏ ଉପାଧ୍ୟକ୍ଷ ଭାବେ ଅତିରିକ୍ତ ନିଯୁକ୍ତି ଦିଆଯାଇଥିଲା। ତେଣୁ ସେ ବିଏମ୍‌ସିରେ କିଛି ବର୍ଷ କାମ କରିବେ ବୋଲି ଆଶା କରାଯାଉଥିଲା। ବିଏମ୍‌ସିର ଅଧିକାରୀ ଓ କର୍ମଚାରୀମାନେ ବି ତାଙ୍କ ସହ ଖାପ ଖୁଆଇ ଯାଇଥିଲେ। ଶ୍ରୀ ବର୍ମା ବି ସେହି ଅନୁଯାୟୀ ବିଭିନ୍ନ ନିଷ୍ପତ୍ତି ନେବା ଆରମ୍ଭ କରିଥିଲେ। ହେଲେ ହଠାତ୍ ତାଙ୍କର ବଦଳି ହୋଇଗଲା। ଶ୍ରୀ ବର୍ମାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ବଦଳି କରି ତାଙ୍କ ସ୍ଥାନରେ ସେଠାରେ କାର୍ଯ୍ୟ କରୁଥିବା ପ୍ରେମଚାନ୍ଦ ‌ଚୌଧୁରୀଙ୍କୁ କମିସନର୍‌ ଭାବେ ନିଯୁକ୍ତି ଦିଆଯାଇଛି। ‌ଶ୍ରୀ ବର୍ମା କେନ୍ଦ୍ରାପଡ଼ାରେ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କରି ସାରିଥିବାବେଳେ ନୂଆ କମିସନର୍‌ ଏବେ ବି କାର୍ଯ୍ୟରେ ଯୋଗଦେଇନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ଚୌଧୁରୀ ଆସନ୍ତା ବୁଧବାର ନୂଆ ଦାୟିତ୍ବ ଗ୍ରହଣ କରିପାରନ୍ତି। ହେଲେ ଶ୍ରୀ ଚୌଧୁରୀ ଏଠାରେ କେତେ ଦିନ ରହୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର। କାମ ବୁଝୁବୁଝୁ ତାଙ୍କର ବଦଳି ହୋଇଯିବନି ତ! ଏହା ଏବେ ସମସ୍ତଙ୍କ ମୁହଁରେ।

ନୂଆ କମିସନର୍‌ଙ୍କ ପାଇଁ କ’ଣ ରହିବ ଚାଲେଞ୍ଜ୍

ଘନଘନ କମିସନରଙ୍କ ବଦଳି ହେଉଥିବାବେଳେ ରାଜଧାନୀର ସମସ୍ୟା କିନ୍ତୁ ଯେପରି ଦୂର ହେବା କଥା ହେଉନି। ତେଣୁ ସମସ୍ତଙ୍କ ନଜର ନୂଆ କମିସନର କିପରି ଭୁବନେଶ୍ବରର ମୌଳିକ ସମସ୍ୟା ଦୂର କରିବା ପାଇଁ ପଦକ୍ଷେପ ନେଉଛନ୍ତି।

ରାଜଧାନୀ ଆଉ ପୂର୍ବ ଭଳି ସ୍ବଚ୍ଛ ସହର ହୋଇ ନାହିଁ। ଯେଉଁଠି ଆଖି ପଡ଼ୁଛି ସେଠାରେ କୁଢ଼କୁଢ଼ ଆବର୍ଜନା। ଆବର୍ଜନା କେଉଁଠି ବି ନିୟମିତ ଉଠୁନି। ଲୋକ ବାରମ୍ବାର ଅଭିଯୋଗ କଲେ ବି କିଛି ପଦକ୍ଷେପ ‌ନିଆଯାଉନି।

ଏହାବାଦ୍ ଡ୍ରେନ୍ ସଫେଇ ଜୋରଦାର ହେଉଥିଲେ ହେଁ ଏଥିରୁ ବାହାରୁଥିବା ଆବର୍ଜନାକୁ ଡ୍ରେନ୍ କଡ଼ରେ ଗଦା ହେଉଛି। ଯାହା ବର୍ଷା ପାଣିରେ ପୁଣି ଭାସି ଡ୍ରେନ୍‌ରେ ମିଶୁଛି। ମୁକୁଳା ଡ୍ରେନ୍‌ ବି ଚଳିତ ବର୍ଷା ଋତୁରେ ବଡ଼ ସମସ୍ୟା ସୃଷ୍ଟି କରିବ। ଏହାସହ ପ୍ଲାଷ୍ଟିକ ଓ ପଲିଥିନ୍ ମୁକ୍ତ ସହର ଭାବେ ଭୁବନେଶ୍ବର ଘୋଷଣା ହୋଇଥିଲେ ହେଁ ଏହା ଏବେ କାର୍ଯ୍ୟକାରୀ ହୋଇପାରିନି। ଯାହାକୁ କାର୍ଯ୍ୟକାରୀ କରିବା ନିତାନ୍ତ ଆବଶ୍ୟକ ହୋଇପଡ଼ିଲାଣି। ଏସବୁ ବାଦ୍‌ ଏବେ ଭୁବନେଶ୍ବରର ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଏମ୍‌ସିର ବିଭିନ୍ନ ସମସ୍ୟା ନେଇ କମିସନର୍‌ଙ୍କୁ ଚିଠି ଲେଖୁଥିବାରୁ, ନିଜ ଟୁଇଟର୍ ଆକାଉଣ୍ଟରେ ଲେଖୁଥିବାରୁ ପ୍ରଶାସନ ପାଇଁ ଅଡ଼ୁଆ ସୃଷ୍ଟି ହେଉଛି। ନୂଆ କମିସନର୍‌ କିପରି ଏସବୁକୁ ପରିଚାଳନା କରୁଛନ୍ତି ତାହା ଦେଖିବା ବାକି ରହିଲା।

ସମ୍ବନ୍ଧିତ ଖବର