କଟକ: ହାଇକୋର୍ଟରେ ବିଏମ୍ସି କମିସନର୍ ପ୍ରେମଚନ୍ଦ୍ର ଚୌଧରୀ ବ୍ୟକ୍ତିଗତ ଭାବେ ହାଜର ହୋଇ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିବା ସହିତ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇଥିବା ନେଇ ଅବଗତ କରିଛନ୍ତି। ହାଇକୋର୍ଟଙ୍କ ୨୦୨୯, ଏପ୍ରିଲ ୨ର ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇଛି ବୋଲି କମିସନରଙ୍କ ପକ୍ଷରୁ ଦର୍ଶାଯାଇଥିଲା। ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇଥିବା ପ୍ରସଂଗକୁ ବିଚାରକୁ ନେଇ ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଅଦାଲତ ଅବମାନନା ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ ସତ୍ତ୍ବେ ଆବେଦନକାରୀ ଘନଶ୍ୟାମ ପଟ୍ଟନାୟକଙ୍କୁ କ୍ବାର୍ଟର୍ ଖାଲି କରିବାକୁ ବିଏମସି ନୋଟିସ୍ ଜାରି କରିଥିଲା। ଜାନୁଆରି ୨୧ରେ ଆବେଦନକାରୀଙ୍କୁ ବିଏମ୍ସି ନୋଟିସ୍ ଜାରି କରି ୧୫ଦିନ ଭିତରେ କ୍ବାର୍ଟର୍ ଖାଲି କରିବାକୁ କହିଥିଲା। ଏପରି ନୋଟିସ୍ ହାଇକୋର୍ଟଙ୍କ ୨୦୨୦ ନଭେମ୍ବର ୬ ନିର୍ଦ୍ଦେଶର ଉଲ୍ଲଂଘନ ବୋଲି ଆବେଦନକାରୀ ଦର୍ଶାଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏଥି ସହିତ ୨୦୧୯, ଏପ୍ରିଲ ୨ର ନିର୍ଦ୍ଦେଶ ମଧ୍ୟ କାର୍ଯ୍ୟକାରୀ କରାଯାଇ ନାହିଁ ବୋଲି ଆବେଦନକାରୀ ଦର୍ଶାଇଥିଲେ। ମାର୍ଚ୍ଚ ୯ରେ ହାଇକୋର୍ଟ ମାମଲାର ଶୁଣାଣି କରି ଗତ ୩୧ ତାରିଖରେ ବିଏମସି କମିସନରଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ କାହିଁକି ତାଙ୍କୁ ଅଦାଲତ ଅବମାନନା ମାମଲାରେ ଦଣ୍ଡିତ କରା ନଯିବ, ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ମାର୍ଚ୍ଚ ୩୧ରେ ବିଏମସି କମିସନର ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହୋଇ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ। ୨୦୧୯, ଏପ୍ରିଲ ୨ର ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ କମିସନର ପ୍ରତିଶ୍ରୁତି ଦେଇଥିଲେ। ଅଦାଲତରେ ବ୍ୟକ୍ତିଗତ ହାଜିରା ପାଇଁ କମିସନର ଗସ୍ତ ଖର୍ଚ୍ଚ ନିଜେ ବହନ କରିବେ ବୋଲି ମାର୍ଚ୍ଚ ୩୧ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/Odisha_high_court.jpg)