ମାନସିକ ସନ୍ତୁଳନ ହରାଇଲେଣି ବିଏମ୍‌ସି କମିସନର: ବିଜୟ

ଭୁବନେଶ୍ବର: ରାଜଧାନୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି। ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବା ଭଳି ପରିସ୍ଥିତି ସୃଷ୍ଟି ହେଲାଣି। ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ଦାୟୀ। ତାଙ୍କର ଅଦୂରଦର୍ଶିତା ଯୋଗୁଁ ଆଜି ଏପରି ସ୍ଥିତି ହୋଇଛି। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ବିଏମ୍‌ସି କମିସନର ଯେଉଁ ଏତଲା ଦାୟର କରିଛନ୍ତି ତା’ର କିଛି ବି ଯଥାର୍ଥତା ନାହିଁ। ଆଜି ବିଏମ୍‌ସି କମିସନରଙ୍କ କାର୍ଯ୍ୟକୁ ନେଇ ଏପରି ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। କହିଛନ୍ତି, ଏଭଳି ଜଣେ ପ୍ରଶାସନିକ ଅଧିକାରୀ କୌଣସି ଗୁରୁତ୍ବପୂର୍ଣ୍ଣ ପଦ ପଦବିରେ ରହିବା ଯୋଗ୍ୟ ନୁହନ୍ତି। କମିସନର ଶ୍ରୀ ଚୌଧରୀ କିପରି ତାଙ୍କ ସରକାରୀ ଗାଡ଼ିରେ ନାଲିବତି ବ୍ୟବହାର କରୁଛନ୍ତି ବୋଲି ଶ୍ରୀ ମହାପାତ୍ର ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ସାଂସଦଙ୍କ ବିରୋଧରେ ଏତଲା ଅଯୁକ୍ତିକର
କମିସନରଙ୍କ ଅଦୂରଦର୍ଶିତା ପାଇଁ ରାଜଧାନୀରେ କରୋନା ସଂକ୍ରମଣ ବଢ଼ିଛି
ଗାଡ଼ିରେ ନାଲିବତି ଲଗାଇବା ଅଧିକାର ତାଙ୍କର ଆସିଲା କେଉଁଠୁ?

ଶ୍ରୀ ମହାପାତ୍ର କହିଥିଲେ, ଗତ ୪ ତାରିଖରେ ବିଏମ୍‌ସି ଅଞ୍ଚଳରେ କୌଣସି ଆନ୍ଦୋଳନ ଓ ବିକ୍ଷୋଭ ହୋଇପାରିବନି ବୋଲି କମିସନର ସବୁ ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଲେ। ଏହାକୁ ନେଇ ଉପର ମହଲରେ ତାଗିଦ ହେଲା ପରେ ପୁଣି ଗତ ୬ ତାରିଖରେ ଏହି ଶବ୍ଦକୁ ବଦଳାଇ ସବୁ ଥାନା ଆଇଆଇସିଙ୍କୁ ଅନୁରୋଧ କରି ଆନ୍ଦୋଳନ କରୁଥିବା ବ୍ୟକ୍ତିଙ୍କ ବିପକ୍ଷରେ ପୁଲିସ ନିଜ ଆଡ଼ୁ ଏତଲା ଦାୟର କରିପାରିବ ବୋଲି ଚିଠି କଲେ। ଏହି ଦୁଇଟି ଚିଠି ପ୍ରମାଣ କରୁଛି ଶ୍ରୀ ଚୌଧରୀଙ୍କ ମାନସିକ ସ୍ଥିତି ଭଲ ନାହିଁ। ବିଏମ୍‌ସିର ଜନୈକ ଅଧିକାରୀଙ୍କ କହିବାନୁଯାୟୀ, ଏବେ କୋଭିଡ୍‌ ପାଇଁ ରାଜଧାନୀରେ ଜରୁରୀ ପରିସ୍ଥିତି ଥିବାରୁ ବିଏମ୍‌ସି କମିସନରଙ୍କୁ କୋଭିଡ୍‌-୧୯ କ୍ଷମତାପ୍ରାପ୍ତ ଅଧିକାରୀ ଓ ଇନ୍‌ସିଡେଣ୍ଟ୍‌ କମାଣ୍ଡର ଭାବେ ସରକାର ଦାୟିତ୍ବ ଦେଇଛନ୍ତି। ସମସ୍ତ ଇନ୍‌ସିଡେଣ୍ଟ୍‌ କମାଣ୍ଡରମାନେ ଯେପରି ଗାଡ଼ିରେ ନାଲିବତି ଲଗାଇଛନ୍ତି ସେହିଭଳି ବିଏମ୍‌ସି କମିସନର ମଧ୍ୟ ବ୍ୟବହାର କରୁଛନ୍ତି। ଏଥିରେ ଆଇନତଃ କୌଣସି ଭୁଲ ନାହିଁ।

ସମ୍ବନ୍ଧିତ ଖବର