ସ୍ମାର୍ଟ ପାର୍କିଂ ବ୍ୟବସ୍ଥା ସ୍ଥିତି ପରଖିଲେ ବିଏମ୍‌ସି କମିସନର, ଜାଣିଶୁଣି ଗାଡ଼ି ପାର୍କ କଲେ, କଟିଲା ଚାଲାଣ

ଭୁବନେଶ୍ବର : ସ୍ମାର୍ଟ ଜନପଥରେ କାର୍ଯ୍ୟକ୍ଷମ ସ୍ମାର୍ଟ ପାର୍କିଂ ବ୍ୟବସ୍ଥାର ସ୍ଥିତି ପରଖିଛନ୍ତି ବିଏମ୍‌ସି କମିସନର ତଥା ବିଏସ୍‌ସିଏଲ୍‌ ସିଇଓ ସଞ୍ଜୟ ସିଂହ। ପୂର୍ବାହ୍ନରେ ସେ ଜାଣିଶୁଣି ରାଜମହଲ ଛକରେ ନିଜର ଗାଡ଼ି ପାର୍କିଂ କରିଥିଲେ। ଏଠାରେ ଖଞ୍ଜା ଯାଇଥିବା ସେନ୍ସର ଜରିଆରେ ପାର୍କିଂ ଏଜେଣ୍ଟଙ୍କ ପାଖରେ ଏହି ଖବର ପହଞ୍ଚିଥିଲା। ଏଜେଣ୍ଟ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ଗାଡ଼ି ନମ୍ବରରେ ଚାଲାଣ କାଟିଥିଲା। କିଛି ସମୟ ପରେ ଦୂରରେ ଛିଡ଼ା ହୋଇଥିବା କମିସନର ଗାଡ଼ି ପାଖକୁ ଆସିଥିଲେ। କମିସନରଙ୍କ ଗାଡ଼ି ବୋଲି ଏଜେଣ୍ଟ ଜାଣିନଥିବାରୁ ସେ କ’ଣ କରିବେ ଭାବି ଥତମତ ହୋଇଥିଲେ। ତେବେ ପାର୍କିଂ ବାବଦକୁ କମିସନର ଦେୟ ପୈଠ କରିଥିଲେ। ଏହି ସେନ୍‌ସର୍‌ ବ୍ୟବସ୍ଥା ଭୁବନେଶ୍ବର ଅପରେସନ ସେଣ୍ଟର ସହ ସମନ୍ବିତ ହୋଇ କିଭଳି କାମ କରୁଛି ତାହା ମଧ୍ୟ ଯାଞ୍ଚ କରିଥିଲେ କମିସନର।

ସେହିଭଳି ସ୍ମାର୍ଟ ଜନପଥର ବିଭିନ୍ନ ସ୍ଥାନରେ ଅଚାନକ ପହଞ୍ଚି ପାର୍କିଂ ବ୍ୟବସ୍ଥାର ସ୍ଥିତି ପରଖିଥିଲେ କମିସନର। କେତେକ ଜାଗାରେ ମେସିନ୍‌ ଉପଲବ୍ଧ ଥିଲେ ମଧ୍ୟ କାଗଜ ରସିଦ୍‌ କଟାଯାଉଥିବା ଦୃଷ୍ଟି ଗୋଚର ହୋଇଥିଲା। ଏହି କାଗଜ ରସିଦ୍‌ ବଳରେ ଠକାମିର ଆଶଙ୍କା ଥିବାରୁ ଆଗକୁ କୌଣସି ପରିସ୍ଥିତିରେ କାଗଜ ରସିଦ୍‌ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯଦି ଆବଶ୍ୟକ ପଡ଼େ ତେବେ ଯଥେଷ୍ଟ ପରିମାଣର ମେସିନ୍‌ ମଧ୍ୟ ଉପଲବ୍ଧ କରାଯିବ ବୋଲି କମିସନର କହିଥିଲେ।

ପାର୍କିଂ ବ୍ୟବସ୍ଥା ଅନୁଧ୍ୟାନ କଲା ବେଳେ ତାଙ୍କର ସ୍ମାର୍ଟ କିଓସ୍କ ଉପରେ ନଜର ପଡ଼ିଥିଲା। କେତେକ ବ୍ୟବସାୟୀ କିଓସ୍କ ବାହାରେ ଜିନିଷପତ୍ର ଗଦେଇଥିଲେ। କେହି କେହି କିଓସ୍କଠାରୁ ୧୦ ଫୁଟ ଦୂର ପର୍ଯ୍ୟନ୍ତ ମଧ୍ୟ ମାଲ୍‌ ଗଦେଇଥିଲେ। ସ୍ମାର୍ଟ ଜନପଥ ପ୍ରକଳ୍ପର ଏହା ବିରୋଧାଚରଣ କରୁଥିଲା। ତେଣୁ ଏସବୁ କିଓସ୍କରେ ସେ ଚଢ଼ଉ କରିବା ସହ ବ୍ୟବସାୟୀଙ୍କୁ ତାଗିଦ୍‌ କରିଥିଲେ। ଘଟଣାସ୍ଥଳରୁ ହିଁ ନିୟମିତ ଚଢ଼ଉ କରି ଉଚ୍ଛେଦ କରିବାକୁ ଏନ୍‌ଫୋର୍ସମେଣ୍ଟ ଟିମ୍‌କୁ ଫୋନ୍‌ ଜରିଆରେ ଚେତାଇ ଦେଇଥିଲେ।

ଏହା ପରେ କମିସନର ଶ୍ରୀ ସିଂହ ୟୁନିଟ୍‌-୨ ଅଞ୍ଚଳରେ ନିର୍ମାଣାଧୀନ ଏମ୍‌ଏଲ୍‌ସିପି(ମଲ୍ଟି ଲେବେଲ୍‌ କାର୍‌ ପାର୍କିଂ) ସ୍ଥିତି ଅନୁଧ୍ୟାନ କରିଥିଲେ। ଯଥାଶ୍ରୀଘ୍ର ଯେଭଳି କାମ ସରିବ ସେ ନେଇ ତତ୍ପର ହେବାକୁ ନିର୍ମାଣକାରୀ ସଂସ୍ଥାକୁ ତାଗିଦ୍‌ କରିଥିଲେ। ସେହିଭଳି ସହିଦନଗରରେ ନିର୍ମାଣାଧୀନ ଏମ୍‌ଏଲ୍‌ସିପି ଆସନ୍ତାମାସରେ କାର୍ଯ୍ୟକ୍ଷମ ହେବ। ଏହାକୁ ସଂଯୋଗ କରୁଥିବା ରାସ୍ତାରୁ ଜବରଦଖଲ ହଟି ସାରିଛି। ଖୁବ୍‌ଶୀଘ୍ର ରାସ୍ତା ତିଆରି ହେଲେ ଏହି ପାର୍କିଂ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ ବୋଲି ସେ ସୂଚନା ଦେଇଥିଲେ। କମିସନରଙ୍କ ସହ ବିଏସ୍‌ସିଏଲ୍‌ ଜିଏମ୍‌ କମଲଜିତ୍‌ ଦାସ ଓ ଜିଏମ୍‌ (ଇଞ୍ଜିନିୟରିଂ) ସରୋଜ ରଞ୍ଜନ ଦାଶ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର