ଲୋକଙ୍କ ସମସ୍ୟା ମାଳମାଳ, ନାହାନ୍ତି ନିର୍ବାଚିତ ପ୍ରତିନିଧି : ୱାର୍ଡ ୱାର୍ଡ ବୁଲିଲେଣି ବିଏମ୍‌ସି କମିସନର

ତିନି ମାସରେ ୬୭ୱାର୍ଡ ପରିଦର୍ଶନ କରିବେ, ଦୀର୍ଘ ବର୍ଷର ସମସ୍ୟା ସମାଧାନ ହେବ

ଭୁବନେଶ୍ବର : ଗତବର୍ଷ ଜାନୁଆରି ୧୫ରୁ ବିଏମ୍‌ସିର ନିର୍ବାଚିତ ପରିଷଦର କାର୍ଯ୍ୟକାଳ ଶେଷ ହେଲାଣି। ୱାର୍ଡ ସ୍ତରରେ ନିର୍ବାଚିତ ପ୍ରତିନିଧି ନଥିବାରୁ ଲୋକଙ୍କର ବହୁ ସମସ୍ୟା ସମାଧାନ ହୋଇପାରୁନି। ନା ଲୋକ ପୂର୍ବତନ କର୍ପୋରେଟରଙ୍କୁ ଜୋର୍‌ ଦେଇ ସମସ୍ୟା କହିପାରୁଛନ୍ତି ନା ପୂର୍ବତନ ‌କର୍ପୋରେଟର ସମସ୍ୟା ନେଇ ବିଏମ୍‌ସି ଅଫିସକୁ ଯାଉଛନ୍ତି। ଲୋକଙ୍କ ସମସ୍ୟା ସମାଧାନ ହେଉ ନଥିବାରୁ ରାଜଧାନୀରେ ଏକରକମ ଜନ ଅ‌ସନ୍ତୋଷ ସୃଷ୍ଟି ହେଲାଣି। ଏହାର ଯେପରି ପ୍ରତିକୂଳ ପ୍ରଭାବ ନପଡ଼େ ସେଥିପାଇଁ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ଏବେ ୱାର୍ଡ ପରିଦର୍ଶନ ଆରମ୍ଭ କରିଛନ୍ତି।

ବିଏମ୍‌ସି କମିସନର୍‌ ଦୁଇ ଦିନରେ ଦୁଇଟି ୱାର୍ଡ ବୁଲିଲେଣି। ବୁଧବାର ୱାର୍ଡ-୮ ବୁଲିଥିବା ବେଳେ ଆଜି ୱାର୍ଡ-୪୫ ବୁଲିଛନ୍ତି। କମିସନର ପୂରା ୱାର୍ଡ ଚାଲି ଚାଲି ୱାର୍ଡ ପରିକ୍ରମା କରୁଛନ୍ତି। ସ୍ଥାନୀୟ ଲୋକଙ୍କ ସହ ସିଧାସଳଖ ଆଲୋଚନା କରୁଛନ୍ତି। ଲୋକଙ୍କର କେଉଁ ସମସ୍ୟା ଦୀର୍ଘ ବର୍ଷ ହେଲା ସମାଧାନ ହୋଇପାରୁନି, ପଚାରୁଛନ୍ତି। ଲୋକ ଅଭିଯୋଗ କହିବା ପରେ କମିସନର ସାଙ୍ଗରେ ଯାଇଥିବା ଅଧିକାରୀଙ୍କୁ ତାହାର କାରଣ ଓ ନିରାକରଣ ପଚାରୁଛନ୍ତି। ଅଧିକାରୀ-ଜନତାଙ୍କୁ ମୁହାଁମୁହିଁ କରି ଘଟଣାସ୍ଥଳରେ ହିଁ ସମସ୍ୟାର ସମାଧାନ କରୁଛନ୍ତି। ଲୋକଙ୍କର ଯାହା ଆବଶ୍ୟକ ତାହା ଯେପରି ତୁରନ୍ତ ସମାଧାନ ହେବ ସେନେଇ ନିର୍ଦ୍ଦେଶ ଦେଉଛନ୍ତି। ଆସନ୍ତା ତିନି ମାସ ମଧ୍ୟରେ କମିସନର ରାଜଧାନୀର ସବୁ ୱାର୍ଡ ବୁଲିବେ ବୋଲି ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

କରୋନା କଟକଣା ପାଇଁ ଲୋକ ବିଏମ୍‌ସି ଆସୁ ନଥିବା ବେଳେ ବହୁ ସ୍ଥାନରେ ୱାର୍ଡ ଅଫିସର ଓ ଜୋନାଲ ଡେପୁଟି କମିସନରଙ୍କ ସ୍ତରରେ ଅଭିଯୋଗ ସମାଧାନ ହେଉନି। ଏପରିକି ବିଭିନ୍ନ ୱାର୍ଡରୁ ଦିନ ଦିନ ଧରି ଅଳିଆ ଉଠୁନି। ଡ୍ରେନ୍‌ କାମ ବର୍ଷାଧିକ କାଳ ଧରି ଚାଲୁଛି। ଲୋକ ଯେତେ‌ ଅଭିଯୋଗ କଲେ ବି ସମାଧାନ ହେଉନି। ବିଏମ୍‌ସି କମିସନରଙ୍କୁ ଭେଟି ସବୁ ଅଭିଯୋଗ ଜଣାଇବା ବି ସମ୍ଭବ ହେଉନି। ତେଣୁ କମିସନରଙ୍କ ୱାର୍ଡ ପରିଦର୍ଶନ ରାଜଧାନୀବାସୀଙ୍କ ସମସ୍ୟା ସମାଧାନ ନେଇ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି ଏବଂ ରାଜଧାନୀବାସୀଙ୍କ ମଧ୍ୟରେ ଏକ ନୂଆ ବିଶ୍ବାସ ସୃଷ୍ଟି ହୋଇଛି। ଯେଉଁ ଅଞ୍ଚଳରେ ଦୀର୍ଘ ଦିନ ହେଲା ରାସ୍ତା ନିର୍ମାଣ ହେଉନି, ଡ୍ରେନ୍ ନ ଥିବାରୁ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହେଉଛି, ପୁରୁଣା ପୋଖରୀ ପୁନରୁଦ୍ଧାର ହେଉନି, କାହାକୁ ଭତ୍ତା ମିଳୁନି, କାହାର ସ୍ବେରେଜ ଲାଇନ୍ ନାହିଁ, ‌ପାର୍କ ପାଇଁ ଜାଗା ‌ଅଛି ହେଲେ ପାର୍କ ହେଉନି, ମଶାଙ୍କ ଦୌରାତ୍ମ୍ୟ ବଢ଼ିଲାଣି; ଏହିଭଳି ଅଭିଯୋଗ କମିସନରଙ୍କୁ ଜଣାଉଛନ୍ତି। କମିସନର ମଧ୍ୟ ସବୁ ସମସ୍ୟା ଶୁଣି ଏହାର ସମାଧାନ କେବେ ସୁଦ୍ଧା ହେବ ସେହିଠାରେ ଘୋଷଣା କରୁଛନ୍ତି।

ୱାର୍ଡ ପରିଦର୍ଶନ କାର୍ଯ୍ୟକ୍ରମ ନେଇ ବିଏମ୍‌ସି କମିସନର ‌ପ୍ରେମଚନ୍ଦ୍ର ଚୌଧରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ରାଜଧାନୀବାସୀଙ୍କର ବହୁ ସମସ୍ୟା ଅଛି, ଯାହାର ତ୍ବରିତ ସମାଧାନ ହୋଇପାରିବ। କିଛି କିଛି ସମସ୍ୟା ଦୀର୍ଘ ବର୍ଷ ହେଲା ଜାରି ରହିଛି। ତେଣୁ ଲୋକଙ୍କ ପାଖରେ ପହଞ୍ଚି ତାଙ୍କ ମୁହଁରୁ ସମସ୍ୟା ଶୁଣି ସମାଧାନ କରାଯିବ। ବିଏମ୍‌ସିର ୬୭ଟି ଯାକ ୱାର୍ଡ ବୁଲି ଲୋକଙ୍କ ସମସ୍ୟା ଶୁଣିବୁ, ଏହାର ସମାଧାନ କରିବୁ। ରାଜ୍ୟ ସରକାର ଅର୍ଥର ଅଭାବ ରଖିବେନି। ଯେଉଁ ସମସ୍ୟା ୫/୧୦ବର୍ଷ ହେଲା ସମାଧାନ ହୋଇପାରୁନି, ସେଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରାଯିବ।

ଆଗକୁ ପୌର ନିର୍ବାଚନ ଥିବା ବେଳେ ଏବେ ଲୋକଙ୍କର ମାଳମାଳ ସମସ୍ୟା। ଅଧିକାଂଶ ପୂର୍ବତନ କର୍ପୋରେଟରମାନେ ବି ସ୍ଥାନୀୟ ଲୋକଙ୍କଠାରୁ ଦୂରେଇ ଗଲେଣି। ବିଏମ୍‌ସିରେ ଶାସକ ଦଳର ଦବ୍‌ଦବା ଥିଲେ ବି ଏବେ ଲୋକଙ୍କ ସମସ୍ୟା ସମାଧାନ ହେଉ ନଥିବାରୁ ଅସନ୍ତୋଷ ବଢ଼ିଲାଣି। ତେଣୁ ବିଏମ୍‌ସି କମିସନରଙ୍କ ୱାର୍ଡ ପରିଦର୍ଶନ ଓ ସମସ୍ୟାର ତ୍ବରିତ ସମାଧାନ ଜନଅସନ୍ତୋଷକୁ କମାଇବ ବୋଲି କୁହାଯାଉଛି।

ଅପରପକ୍ଷେ ଭୁବନେଶ୍ବର ସାଂସଦ ତଥା ପୂର୍ବତନ ବିଏମ୍‌ସି କମିସନର୍‌ ଅପରାଜିତା ଷଡ଼ଙ୍ଗୀ ୱାର୍ଡସ୍ତରରେ ଲୋକସମ୍ପର୍କ ପଦଯାତ୍ରା କରୁଥିବା ବେଳେ ଲୋକଙ୍କ ନିକଟତର ହେଉଛନ୍ତି। ଏପରିକି ସେ କେତେକସ୍ଥଳରେ ଲୋକଙ୍କ ମଧ୍ୟରେ ସରକାର ବିରୋଧୀ ମନୋଭାବ ସୃଷ୍ଟି କରିବାରେ ସକ୍ଷମ ହେଉଛନ୍ତି। ତେଣୁ ବିଏମ୍‌ସି କମିସନରଙ୍କ ୱାର୍ଡ ପରିଦର୍ଶନ ସରକାରଙ୍କ ପାଇଁ ସକାରାତ୍ମକ ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର