ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମରେ ଜଳବନ୍ଦି ସମସ୍ୟା ବହୁଦିନର ହୋଇଥିବାବେଳେ ଏହାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛନ୍ତି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) କର୍ତ୍ତୃପକ୍ଷ। ପ୍ରତିଦିନ  ମେୟର ସୁଲୋଚନା ଦାସ ୱାର୍ଡ ପରିଦର୍ଶନ କରି ସ୍ଥିତି ପରଖିବା ସହ ଅଞ୍ଚଳବାସୀଙ୍କ ପ୍ରତ୍ୟକ୍ଷ ଦୁଃଖ ବୁଝି ସମାଧାନ ବାଟ କାଢ଼ୁଛନ୍ତି। ଏବେ ନୂଆ କରି କାର୍ଯ୍ୟରେ ଯୋଗ ଦେଇଥିବା କମିସନର୍ ଚଞ୍ଚଳ ରାଣା ବି ଅଧିକାରୀଙ୍କ ସହ ଜଳବନ୍ଦି ଅଞ୍ଚଳ ବୁଲିବା ଆରମ୍ଭ କରିଛନ୍ତି। କ୍ଷେତ୍ର ପରିଦର୍ଶନ ବେଳେ ଲୋକଙ୍କ ସହ ସମସ୍ୟା ସଂପର୍କରେ ଆଲୋଚନା କରୁଛନ୍ତି। ଆଜି ସକାଳେ କମିସନର୍ ଶ୍ରୀ ରାଣା ୬୪ ନମ୍ବର ୱାର୍ଡ ଅନ୍ତର୍ଗତ ପଞ୍ଚସଖାନଗରର ଜଳବନ୍ଦି ଅଞ୍ଚଳ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ଆଲୋଚନା କରିଥିଲେ। ତ୍ବରିତ ସମାଧାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରିଦର୍ଶନ ବେଳେ ବିଜୁଳି, ପାନୀୟ ଜଳଯୋଗାଣ ସମସ୍ୟାକୁ ନେଇ କମିସନର୍ ଅସନ୍ତୋଷ ପ୍ରକାଶ କରିଥିଲେ। ଅବହେଳା ଦେଖି ୱାଟ୍‌କୋକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ୪୮ ଘଣ୍ଟା ଭିତରେ ବିଟି ରୋଡ୍ ଓ ସମ୍ପୃକ୍ତ ଅଞ୍ଚଳରେ ଥିବା ସମସ୍ୟାର ସମାଧାନ ପାଇଁ ୱାଟ୍‌କୋକୁ ନିର୍ଦ୍ଦେଶ ଦେଇଥିଲେ। ଗସ୍ତକାଳରେ ଜବରଦଖଲ ଓ ଷ୍ଟ୍ରିଟ୍ ଲାଇଟ୍ ସମସ୍ୟା ମଧ୍ୟ ଚିହ୍ନଟ କରି ଜବରଦଖଲମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରିଦର୍ଶନ ଅବସରରେ ଭୁବନେଶ୍ବର ମହାନଗର ନିଗମ ଦ୍ୱାରା ସୌନ୍ଦର୍ଯ୍ୟୀକରଣ ପାଇଁ କିଛି ଅଞ୍ଚଳ ଚିହ୍ନଟ କରାଯାଇଛି। କମିସନର୍ ଏସବୁ ସମସ୍ୟାର ସମାଧାନ ପାଇଁ ଗୋଷ୍ଠୀ ସହଯୋଗ ଲୋଡ଼ିଥିଲେ। ପରିଦର୍ଶନ ସମୟରେ ୱାଟ୍‌କୋ ଓ ବିଏମ୍‌ସି ଅଧିକାରୀଙ୍କ ସହ ସ୍ଥାନୀୟ କର୍ପୋରେଟର୍‌ ଓ ଲୋକେ ଉପସ୍ଥିତ ଥିଲେ।