ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) କମିସନର୍ ଚଞ୍ଚଳ ରାଣା ଦାରୁଠେଙ୍ଗ ବାୟୋମାଇନିଂ ପ୍ଲାଣ୍ଟ ପରିଦର୍ଶନ କରି ଆବର୍ଜନା ପ୍ରକ୍ରିୟାକରଣର ସ୍ଥିତି ଅନୁଧ୍ୟାନ କରିଛନ୍ତି। ବାୟୋ ମାଇନିଂ ପ୍ଲାଣ୍ଟର ଟେଣ୍ଡର ନେଇଥିବା ଜାଗୃତିର ଅଧିକାରୀଙ୍କ ଅଗ୍ରଗତି ସଂପର୍କରେ ଆଲୋଚନା କରିଛନ୍ତି। କମିସନର୍ ଶ୍ରୀ ରାଣା କହିଛନ୍ତି, ଦାରୁଠେଙ୍ଗ ବାୟୋ ମାଇନିଂ ପ୍ଲାଣ୍ଟର ଚୁକ୍ତି ୨୦୨୬ ପର୍ଯ୍ୟନ୍ତ ରହିଛି। ଏଣୁ ଯଥାଶୀଘ୍ର ଓ ସମୟ ଭିତରେ ଆବର୍ଜନା ପ୍ରକ୍ରିୟାକରଣ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବର୍ଜନା ପ୍ରକ୍ରିୟାକରଣ କାମ ଭଲ ଚାଲିଛି। କିନ୍ତୁ ବର୍ତ୍ତମାନ ବର୍ଷା କାରଣରୁ କାମ ମନ୍ଥର ଚାଲିଛି। ତେଣୁ କାମକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଧାର୍ଯ୍ୟ ସମୟସୀମା ଭିତରେ ଆବର୍ଜନା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 
ସୂଚନାଯୋଗ୍ୟ, ଦାରୁଠେଙ୍ଗର ବାୟୋ ମାଇନିଂ ପ୍ଲାଣ୍ଟରେ ଏକାଧିକ ମେସିନ୍ ଜରିଆରେ ପ୍ରକ୍ରିୟାକରଣ କରି ଆର୍‌ଡିଏଫ୍, ଖତ ଆଦି ପ୍ରସ୍ତୁତ କରାଯାଉଛି। ଦାରୁଠେଙ୍ଗରେ ଗଦା ହୋଇଥିବା ଆବର୍ଜନାକୁ ୨୦୨୬ ମସିହା ସୁଦ୍ଧା ଖାଲି କରିବାକୁ ଜାଗୃତି ସହିତ ଚୁକ୍ତି ହୋଇଛି। କିନ୍ତୁ ଲଗାଣ ବର୍ଷା ଓ ପାଣି ଜମିବା କାରଣରୁ ଏବେ ଆବର୍ଜନା ପ୍ରକ୍ରିୟାକରଣ ବନ୍ଦ ରହିଛି। ଯେହେତୁ ଆବର୍ଜନା ପ୍ରକ୍ରିୟାକରଣ ବିଳମ୍ବ ହେଲାଣି, ଆବର୍ଜନାକୁ ଭାଗ ଭାଗ କରି ଯଥାଶୀଘ୍ର ପ୍ରକ୍ରିୟାକରଣ କାମ ସାରିବାକୁ କୁହାଯାଇଛି। ଏହି ଅବସରରେ ଅତିରିକ୍ତ କମିସନର୍‌ କୈଳାସ ଚନ୍ଦ୍ର ଦାସ, ଡେପୁଟି କମିସନର୍‌ ଏନ୍‌. ଗଣେଶ ବାବୁ ପ୍ରମୁଖ ଉପସ୍ଥିତ ଥିଲେ।