ଗ୍ରିନ୍‌ ଜୋନ୍‌ ହେବ କି ଭୁବନେଶ୍ୱର; ରାଜ୍ୟ ସରକାର ଜାରି କଲେ ଗାଇଡ୍‌ଲାଇନ୍‌, ବିଏମ୍‌ସି କମିସନର ଆଜି ଜାରି କରିବେ ଏସ୍‌ଓପି

ଭୁବନେଶ୍ବର : ଲକ୍‌ଡାଉନ୍‌ ୩ ଘୋଷଣା ହେବା ବେଳେ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ବିଏମ୍‌ସି ଅଞ୍ଚଳ (ଭୁବ‌େନଶ୍ବର) ଅରେଞ୍ଜ୍ ଜୋନ୍‌ ହୋଇପାରିଥାନ୍ତା। କିନ୍ତୁ ବିଏମ୍‌ସି କମିସନରଙ୍କ ନିର୍ଦ୍ଦେଶକ୍ରମେ ବିଏମ୍‌ସି ରେଡ୍‌ ଜୋନ୍‌ରେ ରହିଲା। ଆଜିଠାରୁ ଲକ୍‌ଡାଉନ୍‌ ନିୟମ ଲାଗୁ ହୋଇଥିବା ବେଳେ ଭୁବନେଶ୍ବର ଏବେ କରୋନା ଆକ୍ରାନ୍ତ ମୁକ୍ତ ହୋଇଯାଇଛି। ଅର୍ଥାତ୍‌ ଭୁବନେଶ୍ବରର କୌଣସି ବାସିନ୍ଦା ଏବେ କରୋନା ଆକ୍ରାନ୍ତ ନାହାନ୍ତି। ତେଣୁ ଭୁବନେଶ୍ବର ଗ୍ରିନ୍‌ ଜୋନ୍‌ ହେବା ପାଇଁ ଯୋଗ୍ୟ ହୋଇଯାଇଛି। ହେଲେ ଭୁବନେଶ୍ବରକୁ ଗ୍ରିନ୍‌ ଜୋନ୍‌ ଘୋଷଣା କରାଯିବ ତ!

ରବିବାର କେନ୍ଦ୍ର ସରକାର ଲକ୍‌ଡାଉନ୍‌ ୪ ଗାଇଡଲାଇନ୍ ଜାରି କରିଥିବା ବେଳେ ଆଜି ସଂଧ୍ୟାରେ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି। କେଉଁ ଅଞ୍ଚଳ ରେଡ୍‌ ଜୋନ୍‌, ଅରେଞ୍ଜ୍‌ ଜୋନ୍‌, ଗ୍ରିନ୍‌ ଜୋନ୍‌ରେ ରହିବ, ତାହାର ନିଷ୍ପତ୍ତି ଜିଲ୍ଲାପାଳ/କମିସନରମାନେ ନେଇପାରିବେ ବୋଲି ରାଜ୍ୟ ସରକାର କହିଛନ୍ତି। ତେଣୁ ଭୁବନେଶ୍ବର ଗ୍ରିନ୍‌ ଜୋନ୍‌ ହେବ କି ଅରେଞ୍ଜ୍‌ ଜୋନ୍‌ କି ବର୍ତ୍ତମାନ ଭଳି ରେଡ୍‌ ଜୋନ୍‌ରେ ରହିବ, ସେ ନିଷ୍ପତ୍ତି ବିଏମ୍‌ସି କମିସନର୍‌ ହିଁ ନେବେ। ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌କୁ ଆଧାର କରି ବିଏମ୍‌ସି ଗାଇଡଲାଇନ୍‌ ଜାରି କରିବାକୁ ଥିବାରୁ ମଙ୍ଗଳବାର ଭୁବନେଶ୍ବର କେଉଁ ଅଞ୍ଚଳରେ ରହିବ, ସେ ନିଷ୍ପତ୍ତି ହୋଇପାରେ। କେନ୍ଦ୍ର ସରକାର ରେଡ୍‌, ଅରେଞ୍ଜ୍‌ ଓ ଗ୍ରିନ୍‌ ଜୋନ୍‌ରେ ଦୋକାନ ବଜାର, ଗାଡ଼ି ଚଳାଚଳ କୋହଳ କରିଥିବାରୁ ବିଏମ୍‌ସି ଅଞ୍ଚଳରେ ବି ଏବେ ନିୟମ କୋହଳ କରାଯାଇଛି। କିନ୍ତୁ ଗ୍ରିନ୍‌ ଜୋନ୍‌ ଭଳି କୋହଳ ନାହିଁ। ତେଣୁ ମାର୍କେଟ୍ କମ୍ପ୍ଲେକ୍ସ, ହାଟ, ସୋ’ରୁମ୍‌ ଆଦି ଖୋଲିନି। ବସ୍‌ ଚଳାଚଳ କି ଟ୍ୟାକ୍ସି ଚଳାଚଳ କୋହଳ ହୋଇନି। ତେଣୁ ଭୁବନେଶ୍ବରକୁ ଗ୍ରିନ୍‌ ଜୋନ୍‌ କରିବାକୁ ଦାବି ହେଉଛି।

ଅପରପକ୍ଷେ ରାଜଧାନୀ ଦେଇ ବିଭିନ୍ନ ରାଜ୍ୟକୁ ଓ ବିଭିନ୍ନ ଜିଲ୍ଲାକୁ ପ୍ରବାସୀ ଶ୍ରମିକ ଯାଉଥିବାରୁ ଏଠାରେ ଅଟକାଇ ସଙ୍ଗରୋଧ ଷ୍ଟାମ୍ପ୍‌ ଲଗାଯାଉଛି। ଏପରିକି ରାଜଧାନୀକୁ ଗ୍ରିନ୍‌ ଜୋନ୍‌ କରିଦେଲେ ବାହାର ଜିଲ୍ଲାରୁ ବହୁ ଲୋକ ଏଠାକୁ ଆସିବେ। ସାମାଜିକ ଦୂରତା ରକ୍ଷା କରିବା ସମ୍ଭବ ହେବନି। ତେଣୁ ବିଏମ୍‌ସି କର୍ତ୍ତୃପକ୍ଷ ଭୁବନେଶ୍ବରକୁ କେଉଁ ଜୋନ୍‌ରେ ରଖିବେ, କେଉଁ କେଉଁ ଦୋକାନ ଖୋଲିବାକୁ ଅନୁମତି ଦେବେ, କିପରି ଏସ୍‌ଓପି ଜାରି କରିବେ, ସେନେଇ ଦ୍ବନ୍ଦ୍ବରେ ପଡ଼ି ଯାଇଛନ୍ତି। ଆଜି ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍ ଆସି ଯାଇଥିବାରୁ ରାଜ୍ୟ ସରକାରଙ୍କ ପରାମର୍ଶକ୍ରମେ ଭୁବନେଶ୍ବରକୁ କେଉଁ ଜୋନ୍‌‌ରେ ରଖାଯିବ, ତାହା ବୁଧବାର ଘୋଷଣା ହେବ ବୋଲି ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର