ଭୁବନେଶ୍ବର : ରାଜଧାନୀର ଅଳିଆ ରାଜଧାନୀ ଭିତରେ ହିଁ ପ୍ରକ୍ରିୟାକରଣ ହେବ। ଆଉ ଭୁଆସୁଣିକୁ ଅଳିଆ ଯିବନି। ଏଥିପାଇଁ ରାଜଧାନୀରେ ୱାର୍ଡ ସ୍ତରରେ କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ ହେବ। ପ୍ରାୟ ୨୭କୋଟି ବ୍ୟୟରେ ୩୪ଟି କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କରିବାକୁ ଯୋଜନା ଅଛି। ଆଉ ମାସେ ଭିତରେ ୧୭ଟି କମ୍ପୋଷ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ବି ହୋଇଛି।
ଏଯାଏଁ ସବୁ ଯୋଜନା ଠିକ୍ ଅଛି। ହେଲେ କମ୍ପୋଷ୍ଟ ପ୍ଲାଣ୍ଟରୁ ପ୍ରତିଦିନ ଯେଉଁ ଖତ ବାହାରିବ ସେ ଖତ କିଏ ନେବ, କେମିତି ଦିଆଯିବ, ବିଏମ୍ସି ମାଗଣା ଦେବ ନା ବିକ୍ରି କରିବ। ଏନେଇ କିନ୍ତୁ କିଛି ଯୋଜନା ହୋଇନି। ବିଏମ୍ସିର ଅଧିକାରୀମାନେ ଏବେ ଯେଉଁଭଳି ଯୋଜନା କରୁଛନ୍ତି, ସେଥିରେ କମ୍ପୋଷ୍ଟ ପ୍ଲାଣ୍ଟରୁ ବାହାରିବାକୁ ଥିବା ଖତ କେବଳ ପ୍ଲାଣ୍ଟରେ ପଡ଼ି ଗନ୍ଧେଇବା ଛଡ଼ା ଆଉ କିଛି ବାଟ ଏବେ ଦିଶୁନି। ବିଏମ୍ସିର ହିସାବ ଅନୁଯାୟୀ, ବିଏମ୍ସି ଅଞ୍ଚଳରେ ଏବେ ଦିନକୁ ୫୫୦ଟନ୍ ଆବର୍ଜନା ବାହାରୁଥିବା ବେଳେ ଏଥିରୁ ୬୦% ଅର୍ଥାତ୍ ୩୩୦ଟନ୍ ଜୈବ ଆବର୍ଜନା। ବିଏମ୍ସି କର୍ତ୍ତୃପକ୍ଷ ସର୍ବାଧିକ ୫ଟନ୍ କ୍ଷମତାର କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କରିବାକୁ ଯୋଜନା କରିଥିବା ବେଳେ ଏଥିରୁ ଗୋଟିଏ ପ୍ଲାଣ୍ଟରୁ ଦିନକୁ ୧ଟନ୍ ଖତ ବାହାରିବ। ଏହି ହିସାବ ଦେଖିଲେ ଦିନକୁ ପ୍ରାୟ ୬୬ଟନ୍ ଖତ ବାହାରିବ। ଆଉ ମାସକୁ ଅତି କମ୍ରେ ୧୯୮୦ ଟନ୍ ଓ ବର୍ଷକୁ ୨୩୭୬୦ଟନ୍ ଖତ ବାହାରିବ।
କିନ୍ତୁ କମ୍ପୋଷ୍ଟ ପ୍ଲାଣ୍ଟ ବସାଇବା ପାଇଁ ଯୋଜନା କରୁଥିବା ବିଏମ୍ସି କର୍ତ୍ତୃପକ୍ଷ କିନ୍ତୁ ଏଥିରୁ ବାହାରିବାକୁ ଥିବା ଖତକୁ କିପରି ବ୍ୟବହାର କରିବେ, କାହାକୁ ଦେବେ ସେନେଇ ଯୋଜନା ପ୍ରସ୍ତୁତ କରିନାହାନ୍ତି। ଫଳରେ ଏଠାରେ ବାହାରିବାକୁ ଥିବା ଖତ ଏବେ କ’ଣ ହେବ ସେନେଇ ପ୍ରଶ୍ନ ଉଠିଲାଣି।
ଭୁଆସୁଣିରେ ବୁଝାଇପାରିଲେନି, ପୂରା ସହରରେ ପାରିବେ ତ!
ଏବେ ଭୁଆସୁଣିରେ ଅଳିଆ ପକାକୁ ନେଇ ବିରୋଧ ହେଉଥିବା ବେଳେ ୱାର୍ଡ ସ୍ତରରେ କମ୍ପୋଷ୍ଟ ପ୍ଲାଣ୍ଟ ହେଲେ ଏଠାରେ ପ୍ରତ୍ୟେକ ଦିନ ଟନ୍ ଟନ୍ ଅଳିଆ ଗଦା ହେବ। ୱାର୍ଡ ସ୍ତରରେ ଜାଗା ଚିହ୍ନଟ ହେବା ପରେ ଲୋକଙ୍କ ବିରୋଧ ଦାନା ବାନ୍ଧିଲାଣି। କେତେକ ସ୍ଥାନରେ ଲୋକ କମ୍ପୋଷ୍ଟ ପ୍ଲାଣ୍ଟ କରାଇ ନଦେବାକୁ ଏକାଠି ହେଲେଣି। ଯଦି ବିଏମ୍ସି କର୍ତ୍ତୃପକ୍ଷ ଏହାର ମୁକାବିଲା କରି ନପାରନ୍ତି, ତେବେ ଆଗକୁ ବିରୋଧ ଜୋରଦାର୍ ହୋଇପାରେ। ଏନେଇ ବିଏମ୍ସି କର୍ତ୍ତୃପକ୍ଷଙ୍କ ଯୁକ୍ତି ଯେ କମ୍ପୋଷ୍ଟ ପ୍ଲାଣ୍ଟରେ ପାରମ୍ପାରିକ ପ୍ରଣାଳୀରେ ଆବର୍ଜନାରୁ ଖତ ପ୍ରସ୍ତୁତ କରାଯିବ। ଆବର୍ଜନାରେ ଗୁଡ଼ ଓ ଦହି ମିଶାଇ ଏହାକୁ ୪୫ଦିନ ପର୍ଯ୍ୟନ୍ତ ରଖିବା ସହ ଖୋଲା ପବନ ବାଜିବାକୁ ଦିଆଯିବ। ଏହାପରେ ଆବର୍ଜନାରୁ ଖତ ବାହାରିବ। ହେଲେ ବିଏମ୍ସି କର୍ତ୍ତୃପକ୍ଷଙ୍କ ଏହି ପ୍ରଣାଳୀ ଚିନ୍ତା ବଢ଼ାଇଛି। ଏବେ ବିଏମ୍ସିର ପ୍ରତ୍ୟେକ ୱାର୍ଡରୁ ହାରାହାରି ୮ଟନ୍ ଆବର୍ଜନା ଦୈନିକ ବାହାରୁଥିବା ବେଳେ ଯଦି ୪୫ ଦିନ ଆବର୍ଜନା ପ୍ରକ୍ରିୟାକରଣ ହେବ ତେବେ କମ୍ପୋଷ୍ଟ ପ୍ଲାଣ୍ଟ ପରିସରରେ ଏହି ସମୟରେ ଅତିକମ୍ରେ ୩୬୦ଟନ୍ ଆବର୍ଜନା ଗଦା ହୋଇ ରହିବ। ଯେଉଁଠି ଦୁଇ ବା ତିନିଟି ୱାର୍ଡକୁ ମିଶାଇ ଗୋଟିଏ କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ ହେଉଛି ସେଠାରେ ତ ୬୦୦ରୁ ୭୦୦ଟନ୍ ଆବର୍ଜନା ଗଦା ହୋଇରହିବ। ଏହି ଆବର୍ଜନା ପ୍ରଭାବରେ ଯଦି ସ୍ଥାନୀୟ ଅଞ୍ଚଳରେ ବାୟୁ ପ୍ରଦୂଷଣ ହୁଏ, ତେବେ ବିଏମ୍ସି ଏହାକୁ କିପରି ମୁକାବିଲା କରିବ ସେନେଇ ବି ପ୍ରଶ୍ନ ଉଠିଲାଣି। ବିଏମ୍ସି ଭୁଆସୁଣିରେ ଗୋଟିଏ ଗାଁର ଲୋକଙ୍କୁ ବୁଝାଇବାରେ ବିଫଳ ହୋଇଥିବା ବେଳେ ଏବେ ସାରା ରାଜଧାନୀବାସୀଙ୍କୁ କିପରି ବୁଝାଇବ, ତାହା ଏବେ ବଡ଼ ଚାଲେଞ୍ଜ ହେଲାଣି। ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯଦି ରାଜଧାନୀବାସୀ ନିଜ ୱାର୍ଡର ଆବର୍ଜନା ନିଜ ୱାର୍ଡରେ ପ୍ରକ୍ରିୟାକରଣ କରିବାକୁ ଦେବେନି, ତେବେ ଆମେ ଅଳିଆ ଉଠାଇବୁନି ବୋଲି କହିଦେବୁ। ଚେନ୍ନାଇ, ଭୋପାଳ ଭଳି ସହରରେ ଏହିଭଳି ଆବର୍ଜନା ପ୍ରକ୍ରିୟାକରଣ ହେଉଥିବାରୁ ଆମେ ସେହିଭଳି କରିବାକୁ ଯାଉଛୁ। ଯେଉଁ ଅଞ୍ଚଳର ଆବର୍ଜନା ସେହି ଅଞ୍ଚଳରେ ପ୍ରକ୍ରିୟାକରଣ କରାଯିବ।
ଖତ ବିକିବାକୁ ଆଲୋଚନା ଚାଲିଛି: ବିଏମ୍ସି
ସେହିପରି ଖତ କ’ଣ ହେବ ବୋଲି ବିଏମ୍ସି କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ଉତ୍ତର ମିଳିଛି ଯେ ଖତ କିପରି ବ୍ୟବହାର ହେବ, ସେନେଇ ଆଲୋଚନା ଚାଲିଛି। ବିଏମ୍ସିର ପରିମଳ ଦାୟିତ୍ବରେ ଥିବା ଡେପୁଟି କମିସନର କହିଛନ୍ତି ଯେ ଆମେ ଉଦ୍ୟାନ କୃଷି ଓ କୃଷି ବିଭାଗକୁ ଖତ ଦେବାକୁ ଯୋଜନା କରୁଛୁ। ସେମାନଙ୍କର ବର୍ଷତମାମ ବହୁ ପରିମାଣର ଖତ ଆବଶ୍ୟକ ପଡ଼ୁଥିବାରୁ ବିଏମ୍ସି ଏହାକୁ ଯୋଗାଇବ ବୋଲ ଆମେ ଚିଠି ଲେଖିବୁ। ଏହାବାଦ୍ ଭୁବନେଶ୍ବରରେ ବିଏମ୍ସି ଓ ବିଡିଏ ଅଧୀନରେ ଥିବା ପ୍ରାୟ ୭୦ଟି ପାର୍କରେ ଖତ ବ୍ୟବହାର କରାଯିବ। ଗ୍ରାମାଞ୍ଚଳରେ ଲୋକଙ୍କୁ କମ୍ ଦାମ୍ରେ ଖତ ଯୋଗାଇବା ନେଇ ସଚେତନତା କରାଯିବ। ଏହାସହ ରାଜଧାନୀରେ ଏବେ କିଚେନ୍ ଗାର୍ଡେନ୍ ଚାହିଦା ବଢ଼ୁଥିବାରୁ ଲୋକଙ୍କୁ ଖତ ଆବଶ୍ୟକ ପଡ଼ୁଛି। ତେଣୁ ସାର ବ୍ୟବହାର ନକରି ବିଏମ୍ସିରୁ ଖତ ନେବାକୁ କହିବୁ। ବହୁତ କମ୍ ଦାମ୍େର ଖତ ବିକ୍ରି କରିବାକୁ ଯୋଜନା ଚାଲିଛି। କେଜି ପିଛା କେତେ ଟଙ୍କାରେ ବିକ୍ରି ହେବ ସେନେଇ କିଛି ନିଷ୍ପତ୍ତି ହୋଇନି।
ବିଏମ୍ସି କର୍ତ୍ତୃପକ୍ଷ ଆସନ୍ତା ୪ ମାସ ଭିତରେ କମ୍ପୋଷ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରିବାକୁ ଯୋଜନା କରିଥିବା ବେଳେ ଏବେ କ’ଣ କ’ଣ କରିବେ ବୋଲି ଯୋଜନା କରୁଛନ୍ତି। କେବେ ଏହାକୁ କାର୍ଯ୍ୟକାରୀ କରିବେ, ସେନେଇ କିନ୍ତୁ କିଛି ପଦକ୍ଷେପ ନିଆଯାଇନି। ମାସକୁ ୧୯୮୦ ଟନ୍ ହିସାବରେ ବର୍ଷକୁ ୨୩୭୬୦ ଟନ୍ ଖତ ବାହାରିବାକୁ ଥିବା ବେଳେ ଏହାକୁ କେତେ ପରିମାଣରେ କାହାକୁ ଯୋଗାଇବେ, ସେନେଇ ବି ଯୋଜନା ହୋଇନି। କେବଳ ବିଏମ୍ସି ନୁହେଁ ରାଜ୍ୟର ଅନ୍ୟ ପୌରସଂସ୍ଥାଗୁଡ଼ିକ ବି କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କରୁଥିବାରୁ ସେମାନେ ଯଦି ଏହି ଉପାୟ ଅବଲମ୍ବନ କରନ୍ତି ତେବେ ଏେତ ଖତ କ’ଣ ହେବ?