ଭୁବନେଶ୍ବର: ମାର୍କେଟ୍‌ ବିଲ୍ଡିଂ ଖୋଲିଲା, ହେଲେ ହରଡ଼ ଘଣାରେ ପଡ଼ିଛି ବିଏମ୍‌ସି। ସେଣ୍ଟ୍ରାଲ୍‌ ମାର୍କେଟ୍‌ ଆସୋସିଏସନ ସହ ହୋଇଥିବା ଚୁକ୍ତି ନବୀକରଣ ପରେ ବିବାଦ ବଢ଼ିଯାଇଛି। ଚୁକ୍ତି ମୁତାବକ, ଏହା ଭିତରେ ଶୃଙ୍ଖଳା ରକ୍ଷା କରିବା ସେଣ୍ଟ୍ରାଲ୍‌ ମାର୍କେଟ୍‌ ଆସୋସିଏସନର ଦାୟିତ୍ବ। ଉଠା ଦୋକାନୀଙ୍କୁ ନ ବସାଇବା ମଧ୍ୟ ଏହି ସଂଘର ଦାୟିତ୍ବ। ଏଣୁ ଏହି ଚୁକ୍ତି ଅନୁସାରେ ଏବେ ସଂଘ ଉଠାଦୋକାନୀଙ୍କୁ ବସାଇ ଦେଉ ନାହିଁ। ସେଣ୍ଟ୍ରାଲ୍‌ ମାର୍କେଟ୍‌ ଆସୋସିଏସନ ଦାବି ପୂରଣ ହୋଇଯିବା ପରେ ଏବେ ଟେନ୍‌ସନ୍‌ ହୋଇଛି ଉଠାଦୋକାନୀଙ୍କୁ ଥଇଥାନ।

Advertisment

ଆସନ୍ତା ୧୬ ତାରିଖ ଦିନ ବିଏମ୍‌ସିର ଏକ ଟିମ୍‌ ଯାଇ ଯୋଗ୍ୟ ଉଠାଦୋକାନୀଙ୍କୁ ଚିହ୍ନଟ କରିବା ସହ ଥଇଥାନ ବ୍ୟବସ୍ଥା କରିବ। ଏଣେ କିନ୍ତୁ ଉଠାଦୋକାନୀ ସଂଘ ବିଏମ୍‌ସି ବିରୋଧରେ କୋର୍ଟ ଅବମାନନା ଅଭିଯୋଗ ଆଣିଛି। ଥଇଥାନ କରିବା ପୂର୍ବରୁ ଏଠାରୁ ଉଠାଦୋକାନୀଙ୍କୁ ହଟା ଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ଆଦେଶ ଦେଇଛନ୍ତି। କିନ୍ତୁ ସେମାନଙ୍କୁ ଏହା ଭିତରେ ପୁରାଇ ଦିଆଯାଉ ନାହିଁ। ଏଣୁ କୋର୍ଟ ଅବମାନନା ହେଉଛି। ଆସନ୍ତାକାଲି ସଂଘ ଓକିଲଙ୍କ ଜରିଆରେ ବିଏମ୍‌ସିକୁ ଭେଟିବାକୁ ଯୋଜନା କରିଛି। ଏଣୁ ବିଏମ୍‌ସି ଏବେ ଚିନ୍ତାରେ ପଡ଼ିଛି। ହଠାତ୍‌ କିଭଳି ଥଇଥାନ କରିବ ସେ ନେଇ ମାନସମନ୍ଥନ ହୋଇଥିବା ଜଣାପଡ଼ିଛି।