ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ଅତିରିକ୍ତ କମିସନର୍ ରତ୍ନାକର ସାହୁଙ୍କୁ ହୋଇଥିବା ଆକ୍ରମଣ ଓ ସେହି ମାମଲାରେ କର୍ପୋରେଟର୍ ଅପରୂପ ନାରାୟଣ ରାଉତ ଓରଫ ଜୀବନଙ୍କ ଗିରଫଦାରୀ ଘଟଣାକୁ ମାସେ ବିତିଗଲାଣି। କିନ୍ତୁ ମାମଲାର ତାତି ଅଦ୍ୟାବଧି ଥମିନି। ଏହି ପ୍ରସଙ୍ଗକୁ କେନ୍ଦ୍ର କରି ଆଜି ବିଏମ୍ସି କାର୍ଯ୍ୟାଳୟ ଭିତରେ ଓ ବାହାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିଏମ୍ସି କର୍ପୋରେସନ୍ ବୈଠକ ଆରମ୍ଭରୁ ବିଜେପି କର୍ପୋରେଟର୍ମାନେ ଜୋର୍ଦାର ହଙ୍ଗାମା କରିଥିଲେ। ୨୯ ନମ୍ବର କର୍ପୋରେଟର୍ ଜୀବନ ରାଉତଙ୍କ ସମର୍ଥକମାନେ ବିଏମ୍ସି ମୁଖ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମେୟର ସୁଲୋଚନା ଦାସଙ୍କ କ୍ଷମା ପ୍ରାର୍ଥନା ଓ ୪୪ ନମ୍ବର କର୍ପୋରେଟର୍ ଅଜିତ ବେହେରାଙ୍କ ଗିରଫ ଦାବିରେ ମୁଖ୍ୟାଳୟ ଆଗରେ ଗଣଧାରଣା ଦେଇଥିଲେ। ଅବଶ୍ୟ ପରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ସେମାନଙ୍କୁ ବୁଝାସୁଝା କରିବା ପରେ ସେମାନେ ଧାରଣା ପ୍ରତ୍ୟାହାର କରିଥିଲେ।
ଅତିରିକ୍ତ କମିସନର୍ ରତ୍ନାକର ସାହୁଙ୍କୁ ଜବାବ ମାଗିଲେ ବିଜେପି କର୍ପୋରେଟର୍
ଧାରଣାରେ ବସିଲେ କର୍ପୋରେଟର୍ ଜୀବନଙ୍କ ସମର୍ଥକ
ମେୟରଙ୍କ କ୍ଷମା ପ୍ରାର୍ଥନା ଦାବିକଲେ, ଜଗନ୍ନାଥଙ୍କ କଥାରେ ଉଠିଲେ
ଆଜି ଥିଲା ବିଏମ୍ସି କର୍ପୋରେସନ୍ ମାସିକ ବୈଠକ। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏକାମ୍ର ବିଧାୟକ ବାବୁ ସିଂ, ନୂଆ କମିସନର୍ ଚଞ୍ଚଳ ରାଣାଙ୍କ ସମେତ ସମସ୍ତ କର୍ପୋରେଟର୍ ଓ ବିଏମ୍ସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକ ଆରମ୍ଭରୁ ବିଜେପି କର୍ପୋରେଟର୍ମାନେ ଅତିରିକ୍ତ କମିସନର୍ ରତ୍ନାକର ସାହୁଙ୍କୁ ହୋଇଥିବା ଆକ୍ରମଣ ପ୍ରସଙ୍ଗ ଉଠାଇ ଜବାବ ମାଗିଥିଲେ। ସେମାନେ ଶ୍ରୀ ସାହୁଙ୍କୁ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରିଥିଲେ। କେଉଁ କାରଣରୁ ଆକ୍ରମଣ ହେଲା, କେଉଁମାନେ ଏହି ଆକ୍ରମଣରେ ସଂପୃକ୍ତ ଥିଲେ, ଏତେ ସୁରକ୍ଷା ଭିତରେ କିଭଳି ଆକ୍ରମଣ କରାଗଲା, କିଏ ଭିଡିଓ ରେକର୍ଡିଂ କରିଥିଲା, ଏଭଳି ପ୍ରଶ୍ନର ପାହାଡ଼ ଠିଆ କରି ଅତିରିକ୍ତ କମିସନର୍ ଶ୍ରୀ ସାହୁଙ୍କଠାରୁ ଜବାବ ମାଗିଥିଲେ। କିନ୍ତୁ ଶ୍ରୀ ସାହୁ ନିରବତା ଅବଲମ୍ବନ କରିଥିଲେ। କର୍ପୋରେସନ୍ ବୈଠକର ଏହା ଆଲୋଚ୍ୟ ପ୍ରସଙ୍ଗ ନୁହେଁ ବୋଲି ମେୟର୍ ଯେତେ ବୁଝାଇଲେ ବି କେହି ଶୁଣିନଥିଲେ। ପ୍ରବଳ ହୋହଲ୍ଲା ଓ ହଟ୍ଟଗୋଳ ଭିତରେ ପ୍ରାୟ ୧ ଘଣ୍ଟା ଧରି ବୈଠକ ବନ୍ଦ ରହିଥିଲା। ବହୁ ବୁଝାସୁଝା ଓ ଅନ୍ୟ କର୍ପୋରେଟର୍ମାନଙ୍କ ଅନୁରୋଧ ପରେ ଅନ୍ୟାନ୍ୟ ପ୍ରସଙ୍ଗ ବୈଠକରେ ଉପସ୍ଥାପିତ ହୋଇଥିଲା। କିନ୍ତୁ ଏହା ଭିତରେ ହଠାତ୍ ୨୯ ନମ୍ବର କର୍ପୋରେଟର୍ ଜୀବନ ରାଉତଙ୍କ ସମର୍ଥକମାନେ ଅର୍ଥାତ୍ ୨୯ ନମ୍ବର ୱାର୍ଡର ଶତାଧିକ ମହିଳା ଓ ପୁରୁଷ ବିଏମ୍ସି ମୁଖ୍ୟାଳୟରେ ଧସେଇ ପଶି ହଙ୍ଗାମା ଆରମ୍ଭ କରି ଦେଇଥିଲେ। ପ୍ଲାକାର୍ଡ ଧରି ମୁଖ୍ୟାଳୟ ଫାଟକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅଭିଯୋଗ କରିଥିଲେ ଯେ ମେୟର ପାତରଅନ୍ତର ନୀତି ଅବଲମ୍ବନ କରୁଛନ୍ତି। କିଛି ମାସ ତଳେ ୪୪ ନମ୍ବର କର୍ପୋରେଟର୍ ଶ୍ରୀ ବେହେରା ଜବରଦଖଲ ଉଚ୍ଛେଦ ବେଳେ ଏନ୍ଫୋର୍ସମେଣ୍ଟ ଟିମ୍ରେ ଥିବା ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ।
ସେ ସମୟରେ ମେୟର ଆପୋସ ବୁଝାମଣା କରି ମାମଲାର ସମାଧାନ କରିଥିଲେ। କିନ୍ତୁ ଅତିରିକ୍ତ କମିସନର୍ ଶ୍ରୀ ସାହୁଙ୍କୁ ଆକ୍ରମଣ ବେଳେ ୨୯ ନମ୍ବର କର୍ପୋରେଟର୍ ଶ୍ରୀ ରାଉତ ନ ଥିଲେ ମଧ୍ୟ ତାଙ୍କୁ ଦୋଷୀ ଦର୍ଶାଇ ଗିରଫ କରାଗଲା। ୧୪ ଦିନ ସେ ଜେଲ୍ରେ ରହିଲେ। ୧୪ ଦିନ ଧରି ଆମ ୱାର୍ଡରେ ଯେଉଁ କ୍ଷତି ହେଲା, ତାର ଭରଣା କିଏ କରିବ? ମେୟର ଚାହିଥିଲେ, ଏହାର ଆପୋସ ସମାଧାନ କରି ପାରିଥା’ନ୍ତେ। କିନ୍ତୁ ମେୟର କର୍ପୋରେଟର୍ ଶ୍ରୀ ରାଉତଙ୍କ ଗିରଫ ସମର୍ଥନରେ ରହିଲେ। ମେୟରଙ୍କ ଏହି ଭୁଲ୍ ପାଇଁ ୨୯ ନମ୍ବର ୱାର୍ଡବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ଧାରଣାରତ ୨୯ନମ୍ବର ୱାର୍ଡବାସୀ ଦାବି କରିଥିଲେ। ଯେ ପର୍ଯ୍ୟନ୍ତ ମେୟର୍ କ୍ଷମା ନ ମାଗିବେ, ସେମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଜିଦ୍ ଧରିଥିଲେ। ଅପ୍ରୀତିକର ପରିସ୍ଥିତିକୁ ଦେଖି ମୁଖ୍ୟାଳୟଠାରେ ପୁଲିସ ମୁତୟନ କରାଯାଇଥିଲା। ସେହିଭଳି ମୁଖ୍ୟାଳୟ ଫାଟକରେ ତାଲା ପକାଇ ବାହାର ଲୋକଙ୍କ ପ୍ରବେଶ ବନ୍ଦ କରି ଦିଆଯାଇଥିଲା। ପୂର୍ବାହ୍ଣ ପ୍ରାୟ ୧୧ଟାରୁ ଅପରାହ୍ଣ ପ୍ରାୟ ୨ଟା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁରହିଥିଲା। ଏହାପରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ସେଠାରେ ପହଞ୍ଚି ଧାରଣାରତ ଲୋକଙ୍କୁ ବୁଝାସୁଝା କରିବା ସହ ଆନ୍ଦୋଳନରୁ ଉଠିଯିବାକୁ ଅନୁରୋଧ କରିଥିଲେ। କଥା ନ ବଢ଼ାଇବାକୁ ପରାମର୍ଶ ଦେଇଥିଲେ। ଶ୍ରୀ ପ୍ରଧାନଙ୍କ ଅନୁରୋଧ ରକ୍ଷାକରି ଲୋକେ ଆନ୍ଦୋଳନରୁ ଉଠିଥିଲେ। ସୂଚନାଯୋଗ୍ୟ ଯେ ୪୪ ନମ୍ବର କର୍ପୋରେଟର୍ ଶ୍ରୀ ବେହେରା ଓ ଅବସରପ୍ରାପ୍ତ ସେନା କର୍ମଚାରୀ ବିବାଦ ଘଟଣାର ଆପୋସ ବୁଝାମଣା ସରିଛି। ଥାନାରୁ ଉଭୟ ପକ୍ଷ ଅଭିଯୋଗ ଉଠାଇ ନେଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/31/sfsfssf-2025-07-31-02-39-09.jpg)