ଭୁବନେଶ୍ବର: ନାଳ ମରାମତିର ଟେଣ୍ଡର୍‌ ନେଉଛନ୍ତି, କିନ୍ତୁ ଧାର୍ଯ୍ୟ ଅବଧି ଭିତରେ କାମ ସାରୁନାହାନ୍ତି। ଯାହାର ଦୁର୍ଦ୍ଦଶା ଭୋଗୁଛନ୍ତି ସହରବାସୀ। ତେଣୁ ତୁରନ୍ତ ଠିକାସଂସ୍ଥାକୁ ପରିବର୍ତ୍ତନ କରାଯାଇ ନୂଆ ଠିକାସଂସ୍ଥାକୁ ନାଳ କାମ ଦିଆଯାଉ। ଆଜି ବିଏମ୍‌ସି କର୍ପୋରେସନ୍ ବୈଠକରେ କର୍ପୋରେଟର୍‌ମାନେ ଏଭଳି ହୋହଲ୍ଲା କରିଛନ୍ତି। ବିଏମ୍‌ସି ମୁଖ୍ୟାଳୟରେ ବିଏମ୍‌ସି କର୍ପୋରେସନ୍ ବୈଠକ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କମିସନର୍ ରାଜେଶ ପ୍ରଭାକର ପାଟିଲ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ୧ ନମ୍ବର ୱାର୍ଡ କର୍ପୋରେଟର୍ ମିହିର କୁମାର ରାଉତ, ୩୪ ନମ୍ବର ୱାର୍ଡ କର୍ପୋରେଟର୍ ପୁଷ୍ପାଞ୍ଜଳି ସେଠୀ ପ୍ରମୁଖ ଆଜି ନାଳ ସମସ୍ୟା ଉଠାଇ କହିଥିଲେ, ବର୍ଷା ଆରମ୍ଭ ହେଲାଣି, ଅଥଚ ନାଳ ମରାମତି ସରିନି। ୬୭ଟି ୱାର୍ଡ ପାଇଁ  ଗୋଟିଏ ଠିକା ସଂସ୍ଥାକୁ ଟେଣ୍ଡର ଦିଆଯାଉଛି ।  ଯଦି ଏହି ଠିକାସଂସ୍ଥା କାମ କରିପାରୁନି, ତାକୁ ପରିବର୍ତ୍ତନ କରି ଅନ୍ୟ ଠିକାସଂସ୍ଥାକୁ କାମ ଦିଅ। ୬୭ଟି ୱାର୍ଡ ପାଇଁ ଏକାଧିକ ଠିକାସଂସ୍ଥାକୁ ନାଳ ମରାମତିର ଟେଣ୍ଡର ଦିଅ ବୋଲି କର୍ପୋରେଟର୍ମାନେ ଦାବି କରିଥିଲେ। ଏ ଦିଗରେ ବିଚାର କରିବାକୁ ମେୟର ପ୍ରତିଶ୍ରୁତି ଦେଇଥିଲେ।

Advertisment

ସେହିଭଳି ୪୩ ନମ୍ବର କର୍ପୋରେଟର୍ ଭରତ କୁମାର ଲେଙ୍କା ହୋର୍ଡିଂ ଟିକସ ଆଦାୟ ପ୍ରସଙ୍ଗ ଉଠାଇଥିଲେ।  ଗତ ୩ ବର୍ଷରେ ସଂସ୍ଥା ପ୍ରାୟ ୩୪ କୋଟି ଟଙ୍କା ବିଏମ୍‌ସିକୁ ଦେବ। କିନ୍ତୁ ମାତ୍ର ୭.୨୩ କୋଟି ଟଙ୍କା ଦେଇଛି। ଏହି ଠିକାସଂସ୍ଥାକୁ ପରିବର୍ତ୍ତନ କରିବାକୁ ଶ୍ରୀ ଲେଙ୍କାଙ୍କ ସହ ଅନ୍ୟ କର୍ପୋରେଟର୍‌ମାନେ ଦାବି କରିଥିଲେ।  ସେହିପରି ୫୭ ନମ୍ବର ୱାର୍ଡ କର୍ପୋରେଟର ସନ୍ତୋଷ ସିଂହ ବିଏମ୍‌ସିର ବିଭିନ୍ନ ପାର୍କରେ ବିଭିନ୍ନ ଉତ୍ସବ, ରଜ ମହୋତ୍ସବ ଓ ଅନ୍ୟାନ୍ୟ ପର୍ବପର୍ବାଣୀ ଆୟୋଜନ ହେଉଥିବା ଓ ଏହାକୁ ବନ୍ଦ କରିବାକୁ ଦାବି କରିଥିଲେ। ଏଭଳି କାର୍ଯ୍ୟକୁ ବନ୍ଦ କରିବା ସହ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ହୋଇଛି।

ଠିକାସଂସ୍ଥା ପରିବର୍ତ୍ତନ କର, ଏକାଧିକ ସଂସ୍ଥାକୁ କାମ ଦିଅ
ଟଙ୍କା ଦେଇନି ହୋର୍ଡିଂ ଟେଣ୍ଡର ନେଇଥିବା ଠିକା ସଂସ୍ଥା

ନଳକୂପ ଖୋଳିବା ପୂର୍ବରୁ ଅନୁମତି ବାଧ୍ୟତାମୂଳକ
ଏଥର ନଳକୂପ ଖୋଳିବା ପୂର୍ବରୁ ବିଏମ୍‌ସିଠାରୁ ଅନୁମତି ବାଧ୍ୟତାମୂଳକ ହେବ। ଆଜି କର୍ପୋରେସନ୍‌ ବୈଠକରେ ଏହି ପ୍ରସ୍ତାବରେ ସହମତି ମିଳିଛି। ୫୫ ନମ୍ବର ୱାର୍ଡ କର୍ପୋରେଟର୍ ନୃପେଶ କୁମାର ନାୟକ କହିଥିଲେ, ଭୁବନେଶ୍ବରରେ ଯେଉଁଭଳି ଭୂତଳ ଜଳସ୍ତର ହ୍ରାସ ପାଉଛି, ଆଗାମୀ ଦିନରେ ଏହା ବେଙ୍ଗାଲୁର ପରି ହେବ। ଏହା ପୂର୍ବରୁ ଅବାଧ ନଳକୂପ ଖନନରେ ପ୍ରତିବନ୍ଧକ ଲଗାଯାଉ। 
ୱାର୍ଡ ଅଫିସ ଉପର ମହଲାରେ ହେବ ଗୋଷ୍ଠୀ କେନ୍ଦ୍ର
ବିଏମ୍‌ସିର ୬୭ରୁ ମାତ୍ର ୩୮ଟି ୱାର୍ଡରେ ୱାର୍ଡ ଅଫିସ ଖୋଲିଛି। ତୁରନ୍ତ ସବୁଠି ୱାର୍ଡ ଅଫିସ ଖୋଲିବାକୁ ଆଜି ଦାବି ହୋଇଥିଲା। ମେୟର ସୁଲୋଚନା ଦାସ କହିଛନ୍ତି, ଏ ଦିଗରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ହୋଇଛି। ୱାର୍ଡ ଅଫିସ ଓ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ସରକାର ଅନୁଦାନ ଦେବାକୁ ରାଜି ଅଛନ୍ତି। ତଳେ ୱାର୍ଡ କାର୍ଯ୍ୟାଳୟ ଓ ଉପରେ ଗୋଷ୍ଠୀ କେନ୍ଦ୍ର ଖୋଲାଯିବ। 
ବଦଳିବ ଏନ୍‌ଫୋର୍ସମେଣ୍ଟ୍‌ଏଜେନ୍ସି
ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ରେ ନିୟୋଜିତ ଅବସରପ୍ରାପ୍ତ ସୈନ୍ୟଙ୍କୁ ଯେଉଁ ଏଜେନ୍ସି ନିଯୁକ୍ତି ଦେଇଛି, ତାକୁ ବଦଳାଇବାକୁ ନିଷ୍ପତ୍ତି ହୋଇଛି। କର୍ପୋରେଟର୍ ନୃପେଶ କୁମାର ନାୟକ ଅଭିଯୋଗ କରିଥିଲେ, ଏନ୍‌ଫୋର୍ସମେଣ୍ଟ୍‌ ଟିମରେ ଥିବା ଅବସରପ୍ରାପ୍ତ ସେନାମାନେ ମେୟର, କମିସନର୍‌ଙ୍କୁ ଯେଉଁଭଳି ବ୍ୟବହାର କଲେ,  ତାହା ଗ୍ରହଣଯୋଗ୍ୟ ନୁହେଁ। ଯେଉଁ ଏଜେନ୍ସି ଅବସରପ୍ରାପ୍ତ ସୈନ୍ୟଙ୍କୁ ନିଯୁକ୍ତି ଦେଇଛନ୍ତି, ତାକୁ ପରିବର୍ତ୍ତନ କରାଯାଇ, ନୂଆ ଏଜେନ୍ସିକୁ ନିୟୋଜନ କରାଯାଉ। ଏହାକୁ କର୍ପୋରେସନ୍ ଗ୍ରହଣ କରିଛି ଓ ଏଜେନ୍ସି ବଦଳାଇବା ଦିଗରେ ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି।

ଆୟଠାରୁ ବ୍ୟୟ ବଢ଼ିଲା: ଆୟ ୧୦ କୋଟି, ବ୍ୟୟ ୬୯ କୋଟି
ଗତ ଏପ୍ରିଲ ମାସରେ ବିଏମ୍‌ସିର ଆୟଠାରୁ ବ୍ୟୟ ବଢ଼ିଛି। ଏହି ମାସରେ ରାଜସ୍ବ ଆୟ ୯କୋଟି ୮୯ଲକ୍ଷ ୩୫ହଜାର ୩୬୦ ଟଙ୍କା ଥିବାବେଳେ ବ୍ୟୟ ୬୯କୋଟି ୧୨ଲକ୍ଷ ୯୮ହଜାର ୭୨୬ ଟଙ୍କା ରହିଛି। ହୋଲ୍ଡି ଟ୍ୟାକ୍ସରୁ ସର୍ବାଧିକ ୬କୋଟି ୯୫ଲକ୍ଷ ୪୩ହଜାର ୩୫୭ ଟଙ୍କା ଆୟ ହୋଇଛି। ସେହିଭଳି ୟୁଜର୍ସ ଫିରୁ ୮୪ଲକ୍ଷ ୯୬ହଜାର ୩୮୦ ଟଙ୍କା, ଟ୍ରେଡ୍ ଲାଇସେନ୍ସ ଫିରୁ ୫୭ଲକ୍ଷ ୩୯ହଜାର ୬୬୪ ଟଙ୍କା, ପଶୁ ମଙ୍ଗଳ କାର୍ଯ୍ୟକ୍ରମରୁ ୩୫ଲକ୍ଷ ଟଙ୍କା ମିଳିଛି। ପରିମଳରେ ସର୍ବାଧିକ ୧୫କୋଟି ୯୪ଲକ୍ଷ ୮୧ହଜାର ୯୫୩ ଟଙ୍କା ଖର୍ଚ୍ଚ କରାଯାଇଛି। ସେହିଭଳି ଦରମାରେ ୩କୋଟି ୮୨ଲକ୍ଷ ୬୭ହଜାର ୬୮ ଟଙ୍କା, ବିଭିନ୍ନ ଜୋନ୍‌କୁ ୩କୋଟି ୧୬ଲକ୍ଷ ୭୫ହଜାର ଟଙ୍କା, ରାସ୍ତା ନିର୍ମାଣରେ ୩କୋଟି ୩୮ଲକ୍ଷ ୫୪ହଜାର ୬୨୫ ଟଙ୍କା, ଡ୍ରେନ୍ ନିର୍ମାଣରେ ୩କୋଟି ୪୮ଲକ୍ଷ ୭୫ହଜାର ଟଙ୍କା, ମୁକ୍ତା ଯୋଜନାରେ ୪କୋଟି ୫୮ଲକ୍ଷ ୭୬ହଜାର ୬୩୭ ଟଙ୍କା ଖର୍ଚ୍ଚ କରାଯାଇଛି।
ଇସ୍କନ୍ ମନ୍ଦିର ଓ ବମିଖାଲ ଠାରେ ଜଳ ନିଷ୍କାସନର ସ୍ଥାୟୀ ପ୍ରତିକାର
ଜୁନ୍ ପ୍ରଥମ ସପ୍ତାହରୁ ପ୍ରତ୍ୟେକ ଵାର୍ଡରେ ସଚେତନତା କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ହୋଇଛି। ରାସ୍ତା ପାର୍ଶ୍ୱ ଓ ବିଭିନ୍ନ ହୋଟେଲରେ ଖାଦ୍ୟ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯିବ। ଇସ୍କନ ମନ୍ଦିରଠାରେ ବର୍ଷା ପାଣି ହେଉଥିବାରୁ ସେଠାରେ ୧.୬ କିଲୋମିଟର ଡ୍ରେନେଜ୍ ଚ୍ୟାନେଲ ନିର୍ମାଣ ଓ ବମିଖାଲଠାରେ ବକ୍ସ ଡ୍ରେନ ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ୧ ନମ୍ବର ହାଟରୁ ବାହାରୁଥିବା ବର୍ଜ୍ୟରୁ ବାୟୋଗ୍ୟାସ୍ ପ୍ରସ୍ତୁତ କରିବା ପାଇଁ ଦୈନିକ ୩ ମେଟ୍ରିକ୍‌ ଟନ୍ ବର୍ଜ୍ୟ ପ୍ରକ୍ରିୟାକରଣ ହୋଇଥିବା ଏକ ମେସିନ୍ ବସିବ। ଚଳିତ ବର୍ଷ ସହରରେ ବୃକ୍ଷରୋପଣ ପାଇଁ ବ୍ୟାପକ ଅଭିଯାନ ଆରମ୍ଭ କରାଯିବ। ବିଡିଏ ପାଖରେ ଯେଉଁସବୁ ବଡ଼ ବଡ଼ ପାର୍କ ରହିଛି, ସେଗୁଡିକୁ ବିଏମ୍‌ସିକୁ ଆଣିବା ପାଇଁ ବ୍ୟବସ୍ଥା ହେବ। ବିଏମ୍‌ସି ଅଞ୍ଚଳରେ ଯେଉଁମାନେ ବିନା ପ୍ଲାନ୍‌ ଅନୁମୋଦନରେ ନିର୍ମାଣ କରୁଛନ୍ତି କିମ୍ବା ଜବରଦଖଲ କରିଛନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ବିଏମ୍‌ସିରେ ବର୍ତ୍ତମାନ ଗୋଟିଏ ଓଡିଏ କୋର୍ଟ ରହିଛି। ଆଉ ୩ଟି ଓଡିଏ କୋର୍ଟ କୋଲିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।