ବିଏମ୍ସି କର୍ପୋରେସନ୍ ବୈଠକ: ମିସନ୍ ମୋଡ୍ରେ ଡେଙ୍ଗୁ ମୁକାବିଲା
ଅନ୍ଲାଇନ୍ ଭତ୍ତା, ଡ୍ରେନ୍କୁ ନେଇ ହୋ ହଲ୍ଲା
ଭୁବନେଶ୍ୱର: ନବ ନିର୍ବାଚିତ ଜନପ୍ରତିନିଧିଙ୍କୁ ନେଇ ଆଜି ବିଏମ୍ସିରେ ପ୍ରଥମ କର୍ପୋରେସନ ବୈଠକ ଅନୁଷ୍ଠିତ ହୋଇଯାଇଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଡେଙ୍ଗୁ ମୁକାବିଲା ମିସନ୍ ମୋଡ୍ରେ କରାଯିବାକୁ ନିଷ୍ପତ୍ତି ହୋଇଛି। ବର୍ଷାଋତୁ ପୂର୍ବରୁ ସମସ୍ତ ମଶା ଉତ୍ପତ୍ତି ସ୍ଥଳ ନଷ୍ଟ କରାଯିବା ସହ ଅନ୍ୟାନ୍ୟ ସମସ୍ତ ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ହୋଇଛି। ବୈଠକରେ ଡ୍ରେନ୍, ଅନ୍ଲାଇନ୍ ଭତ୍ତାକୁ ନେଇ ବହୁ ସମୟ ଧରି ହୋ ହଲ୍ଲା ହୋଇଥିଲା। ଏହା ସହିତ ଆୟ-ବ୍ୟୟର ହିସାବ ଉପସ୍ଥାପନ କରାଯାଇଥିଲା।
ପ୍ରତ୍ୟେକ ବର୍ଷ ବର୍ଷା ଋତୁରେ ରାଜଧାନୀ ଜଳମଗ୍ନ ହୁଏ। କୃତ୍ରିମ ବନ୍ୟା ସୃଷ୍ଟି ହୁଏ। ବର୍ଷ ବର୍ଷ ଧରି ଯୋଜନା ହେଉଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇପାରୁ ନ ଥିବାରୁ ବୈଠକରେ ହୋ ହଲ୍ଲା ହୋଇଥିଲା। ଡ୍ରେନ୍ ସଫା କରିବା ସହ ଆବଶ୍ୟକ ହେଉଥିବା ନୂଆ ଡ୍ରେନ୍ ତିଆରି କରିବା ଓ ପୁନରୁଦ୍ଧାର କରିବା ପାଇଁ ଦାବି ହୋଇଥିଲା। ଜବରଦଖଲ ଯୋଗୁ ସଫା କରିବା ସମ୍ଭବ ହେଉନଥିବାରୁ ଜଳ ନିଷ୍କାସନ ସବମସ୍ୟା ଉପୁଜୁଛି। ଏଣୁ ନଳା ଉପରେ ଥିବା ସମସ୍ତ ଜବରଦଖଲ ହଟାଇବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଉପବିଭାଗ ଯନ୍ତ୍ରୀ ଏବେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତାବସ୍ଥାକୁ ନେଇ ରିପୋର୍ଟ ଉପସ୍ଥାପନ କରିଥିଲେ। ଡ୍ରେନ୍ ପୁନରୁଦ୍ଧାର ଓ ନୂଆ ମରାମତିକୁ ନେଇ ବର୍ତ୍ତମାନ ୧୩୮ଟି ପ୍ରକଳ୍ପ ହାତକୁ ନିଆଯାଇଛି। ଏଥିରୁ ୬୬ଟି କାମ ଚାଲିଥିବା ବେଳେ ୩ଟି ଅଦାଲତି ମାମଲାରେ ଛନ୍ଦି ହୋଇଯାଇଛି। ୧୦ଟି ଟେଣ୍ଡର ପ୍ରକ୍ରିୟାରେ ରହିଥିବା ବେଳେ ୫୯ଟି ପ୍ରକଳ୍ପ ଟେଣ୍ଡର ସରିଛି, କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏଥିରେ ପାଖାପାଖି ୧୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି।
ବୈଠକରେ ଅନ୍ୟ ଏକ ପ୍ରମୁଖ ପ୍ରସଙ୍ଗ ଥିଲା ଅନ୍ଲାଇନ୍ ଭତ୍ତା। ଏହି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଅନ୍ଲାଇନ୍ କରାଯାଇଥିବାରୁ କେତେକ ହିତାଧିକାରୀ ଏହି କାରବାର ବିଷୟରେ ଅଜ୍ଞ ନାହାନ୍ତି। ଏଣୁ ଟଙ୍କା ଉଠାଇପାରୁ ନାହାନ୍ତି। ତା’ ଛଡ଼ା ଏ ପର୍ଯ୍ୟନ୍ତ ଶତପ୍ରତିଶତ ହିତାଧିକାରୀଙ୍କ ଅନ୍ଲାଇନ୍ରେ ସଂଯୋଗ କରାଯାଇ ପାରିନାହିଁ। ଅନ୍ଲାଇନ୍ କରିବା ଆଳରେ ମାସ ମାସ କାଳ ଭତ୍ତା ପ୍ରଦାନ କରାଯାଉନି। ଏହି ସମସ୍ୟା ବାବଦରେ ଅମରେଶ ଜେନାଙ୍କ ସମେତ ଏକାଧିକ କର୍ପୋରେଟର ପରିଷଦର ଦୃଷ୍ଟି ଆକର୍ଷଣ କରିଥିଲେ। ଏଭଳି ଅଭିଯୋଗର ସମାଧାନ ପାଇଁ ପ୍ରତି ୱାର୍ଡରେ ବୈଠକ ବସିବ। କେଉଁ ୱାର୍ଡରେ କେଉଁଦିନ ବସିବ ସେ ନେଇ ବିଏମ୍ସି ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରିବ। ଦୁଇମାସ ମଧ୍ୟରେ ଏହାକୁ ସୁବ୍ୟବସ୍ଥିତ କରିବାକୁ ସ୍ଥିର ହୋଇଛି।
ପୂର୍ତ୍ତବିଭାଗ ରାସ୍ତାରେ ବିଏମ୍ସି ଦାଦାଗିରି କରୁଛି। ମାଟି ତଳେ କିମ୍ବା ମୁଣ୍ଡ ଉପରେ ତାର ଟାଣିବା ବାରଣ ସତ୍ବେ ଏକ ଘରୋଇ ସଂସ୍ଥାକୁ ତାର ଟାଣିବାକୁ ବିଏମ୍ସି ସ୍ବୀକୃତି ଦେଇଦେଇଛି। ଏନେଇ ‘ସମ୍ବାଦ’ରେ ପ୍ରକାଶ ପାଇଥିବା ଖବରକୁ ବୈଠକରେ କର୍ପୋରେଟର ନୃପେଶ ନାୟକ ଉପସ୍ଥାପନ କରିଥିଲେ। କିଏ ଏଭଳି କାମ କରିଛି? ଆଇନ ସମ୍ମତ ହୋଇଛି ନା ବେଆଇନ ଭାବରେ ହୋଇଛି ତାହାର ଉତ୍ତର ରଖିବାକୁ ସେ ଚାହିଁଥିଲେ। ହେଲେ ଦାୟିତ୍ବରେ ଥିବା ଅଧିକାରୀମାନେ ଏହାର ଉତ୍ତର ଦେଇ ପାରିନଥିଲେ। ଏଣୁ କମିସନର ବିରକ୍ତି ପ୍ରକାଶ କରିବା ସହ ତୁରନ୍ତ ଏହାର ଉତ୍ତର ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ଜବରଦଖଲରେ ରହିଥିବା ବିଏମ୍ସିର ଜାଗାଗୁଡ଼ିକର ପୁନରୁଦ୍ଧାର ପାଇଁ ଏକ ସ୍ବତନ୍ତ୍ର ପ୍ଲାନ୍ କରିବାକୁ ସ୍ଥିର ହୋଇଛି।
ସପ୍ତମ ବେତନର ବକେୟା ଅର୍ଥ ୩୦ ପ୍ରତିଶତ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ସଫେଇ ଦାୟିତ୍ବ ନେଇଥିବା ତିନିଟି ସଂସ୍ଥାର ଚୁକ୍ତି ଅବଧି ଚଳିତ ୩୦ ତାରିଖ ପର୍ଯ୍ୟନ୍ତ ପରିବର୍ଦ୍ଧିତ କରାଯାଇଛି। ସେହିଭଳି ଯାନ୍ତ୍ରିକ ସଫେଇ କରୁଥିବା ଦୁଇଟି ସଂସ୍ଥାର ଚୁକ୍ତି ଅବଧି ମଧ୍ୟ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। କର୍ପୋରେଟର ତଥା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଅମରେଶ ଜେନାଙ୍କ ପ୍ରସ୍ତାବ ମୁତାବକ ନ୍ୟୁ ଏୟାରପୋର୍ଟ ଛକକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅଶୋକ ନଗର କାଳିବାଡ଼ି ବସ୍ତି ନିକଟ ପାର୍କ ଜବରଦଖଲ ହେଉଥିବାରୁ ଏହାର ପୁନରୁଦ୍ଧାର କରି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିବାକୁ କର୍ପୋରେଟର କବିତା ସ୍ବାଇଁଙ୍କ ପ୍ରସ୍ତାବ ଗୃହୀତ ହୋଇଛି।
ଭୁବନେଶ୍ବରର ତିନି ବିଧାୟକ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତଙ୍କ ସମେତ କମିସନର ସଞ୍ଜୟ ସିଂହ ବୈଠକରେ ସାମିଲ ହୋଇଥିଲେ। ବୈଠକରେ ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅତିରିକ୍ତ କମିସନର ବିନୟ କୁମାର ଦାଶ ବିଭିନ୍ନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ବିଏମସି ସେକ୍ରେଟାରି କମଳାକାନ୍ତ ବେହେରା ବିବରଣୀ ଉପସ୍ଥାପନ କରିଥିଲେ। ଅତିରିକ୍ତ କମିସନର୍ ବିନୟ କୁମାର ଦାଶ ଧନ୍ୟବାଦ ଦେଇଥିଲେ।