କର୍ପୋରେଟରଙ୍କ ଭତ୍ତା ବଢ଼ିବ!

ଭୁବନେଶ୍ୱର : ବିଏମ୍‌ସି କର୍ପୋରେଟରଙ୍କ ଭତ୍ତା ବଢ଼ୁ। ଏହାସହ ବିଧାୟକ ଓ ମନ୍ତ୍ରୀଙ୍କ ଭଳି ସେମାନଙ୍କୁ ମାସିକ ଦରମା ଓ କାର୍ଯ୍ୟକାଳ ପରେ ପେନସନ୍‌ ମିଳୁ। ଏନେଇ ଆସନ୍ତା ବିଧାନସଭା ଅଧିବେଶନରେ ଦାବି କରିବେ ବୋଲି ବିଧାୟକ ପ୍ରିୟଦର୍ଶୀ ମିଶ୍ର କହିଛନ୍ତି।

ଶନିବାର ଆୟୋଜିତ ବିଏମ୍‌ସି କାଉନସିଲ୍‌ ବୈଠକରେ ଶ୍ରୀ ମିଶ୍ର କହିିଛନ୍ତି ଯେ, କର୍ପୋରେଟରମାନେ ଏବେ ଗୋଟିଏ କାଉନସିଲ୍‌ ବୈଠକରେ ଯୋଗଦେଲେ ସେମାନଙ୍କୁ ମାତ୍ର ୭୦୦ଟଙ୍କା ମିଳୁଛି। ମାସିକ କିଛି ଦରମା ମିଳୁନି କି କାର୍ଯ୍ୟକାଳ ସରିବା ପରେ ପେନସନ୍‌ ମିଳୁନି। ତେଣୁ ସହରାଞ୍ଚଳରେ କାର୍ଯ୍ୟ କରୁଥିବା ଏହି ଜନପ୍ରତିନିଧିମାନଙ୍କୁ ଏତିକି ଭତ୍ତାରେ କାର୍ଯ୍ୟ କରିବା ଏକପ୍ରକାରର ଅସମ୍ଭବ। ସରକାର ବିଏମ୍‌ସି ସମେତ ସମସ୍ତ ସହରାଞ୍ଚଳର ଲୋକ ପ୍ରତିନିଧିଙ୍କ ଭତ୍ତା ବୃଦ୍ଧିି କରିବା ଦରକାର। କର୍ପୋରେଟରମାନେ ଭତ୍ତା ବୃଦ୍ଧି ଓ ଦରମା ଦାବିରେ ଦୀର୍ଘ ବର୍ଷ ହେଲା ଦାବି କରୁଥିବାବେଳେ ବିଧାୟକ ଶ୍ରୀ ମିଶ୍ରଙ୍କ ଏହି ପ୍ରତିଶ୍ରୁତି ସେମାନଙ୍କ ମଧ୍ୟରେ ଆଶା ସଞ୍ଚାର କରିଛି। ସେହିପରି କାଉନସିଲ୍‌ ବୈଠକରେ ଯୋଗଦେଇଥିବା ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି ଯେ, ଆସନ୍ତା ସଂସଦ ଅଧିବେଶନରେ ସେ ମଧ୍ୟ ଏ ନେଇ ଦାବି କରିବେ। ଦେଶର ସମସ୍ତ ସହରାଞ୍ଚଳ ଜନ ପ୍ରତିନିଧିଙ୍କ ଭତ୍ତା ବୃଦ୍ଧି କରିବା ସହ ଦରମା ପ୍ରଦାନ କରିବାକୁ ସେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର