ଭୁବନେଶ୍ୱର : ଅଯୋଗ୍ୟ ଏବଂ ମୃତ ହିତାଧିକାରୀ ବିଏମ୍ସିରୁ ଭତ୍ତା ନେବା ନେଇ ଅଭିଯୋଗ ହେବା ପରେ ବିଏମ୍ସି ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଚଳିତ ମାସରେ କାହାକୁ ଭତ୍ତା ପ୍ରଦାନ କରାଯାଇ ନ ଥିବାବେଳେ ଆସନ୍ତା ମାସରେ ଆଧାର କାର୍ଡ ସଂଯୋଗ କରିଥିବା ହିତାଧିକାରୀଙ୍କୁ ହିଁ ଭତ୍ତା ଦେବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଭତ୍ତା ବଣ୍ଟା ହେବାକୁ ଥିବା ସମସ୍ତ କେନ୍ଦ୍ରରେ ଆଧାର କାର୍ଡ ତିଆରି କରିବାର ଏବଂ ଆଧାରକାର୍ଡ ସଂଯୋଗ କରିବାର ବ୍ୟବସ୍ଥା ହେବ। ଅକ୍ଟୋବର ଶେଷ ସୁଦ୍ଧା ସମସ୍ତ ହିତାଧିକାରୀଙ୍କର ଆଧାର କାର୍ଡ ସଂଯୋଗ କରିବାକୁ ଯୋଜନା ଅଛି ବୋଲି ବିଏମ୍ସି ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି।
ବିଏମ୍ସି କାଉନସିଲ୍ ବୈଠକରେ ଆଜି ଭତ୍ତା ବଣ୍ଟା ହୋଇ ନପାରିବା ନେଇ କର୍ପୋରେଟର୍ମାନେ ହୋହଲ୍ଲା କରିଥିଲେ। ଏଥିରୁ ଜାଣିବାକୁ ମିଳିଥିଲା ଯେ, ବିଏମ୍ସିରୁ ଏବେ ପ୍ରାୟ ୧୮ହଜାର ହିତାଧିକାରୀ ଭତ୍ତା ନେଉଥିବାବେଳେ ଅଧିକାଂଶ ହିତାଧିକାରୀଙ୍କର ଆଧାରକାର୍ଡ ଥିବା ସତ୍ତ୍ୱେ ସେମାନେ ଏହାକୁ ସଂଯୋଗ କରିନାହାନ୍ତି। ତେଣୁ ଆଧାରକାର୍ଡ ସଂଯୋଗ ବାଧ୍ୟତାମୂଳକ କରାଯାଇଛି। ଯେଉଁ ଶାରୀରିକ ଭିନ୍ନକ୍ଷମ, ବୟସାଧିକ ବ୍ୟକ୍ତି, କୁଷ୍ଠ ରୋଗୀ, ଦୃଷ୍ଟିହୀନ ବ୍ୟକ୍ତିମାନେ ଭତ୍ତା ପ୍ରଦାନ କେନ୍ଦ୍ରକୁ ଆସି ନପାରିବେ ସେମାନଙ୍କ ଆଧାରକାର୍ଡ ଯାଞ୍ଚ କରି ଭତ୍ତା ପ୍ରଦାନ କରାଯିବ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ରେ ୮୭% ହିତାଧିକାରୀ ଆଧାର ସଂଯୋଗ କରିଥିବାବେଳେ ବିଏମ୍ସି ଭତ୍ତା ପ୍ରଦାନ କ୍ଷେତ୍ରରେ ବି ଆଧାର ବାଧ୍ୟତାମୂଳକ ହେବ। ଏହାକୁ ତଦାରଖ କରିବା ପାଇଁ ଅତିରିକ୍ତ କମିସନର ମାନସୀ ନିମ୍ଭାଲଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାଦ୍ୱାରା ଅଯୋଗ୍ୟ ହିତାଧିକାରୀଙ୍କୁ ଆମେ ଚିହ୍ନଟ କରିପାରିବୁ ବୋଲି ବିଏମ୍ସି କମିସନର୍ କ୍ରିଷନ୍ କୁମାର କହିଛନ୍ତି।
ଆଜିର ବୈଠକରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ ମହାନ୍ତି, ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭିନିଲ କ୍ରିଷ୍ଣା, ଅତିରିକ୍ତ କମିସନର ମାନସୀ ନିମ୍ଭାଲ ପ୍ରମୁଖ ଉପସ୍ଥିତ ଥିଲେ।
ବର୍ଷକ ମଧ୍ୟରେ ୧୦ହଜାର ଲୋକଙ୍କୁ ଘର ମିଳିବ
ଆବାସ ଯୋଜନାରେ ବିଏମ୍ସି ପକ୍ଷରୁ ଆଜି ମହିଷାଖାଲରେ ୭୪ଜଣଙ୍କୁ ଘର ପ୍ରଦାନ କରାଯାଇଥିବାବେଳେ ଆସନ୍ତା ବର୍ଷକ ମଧ୍ୟରେ ୧୦ହଜାର ହିତାଧିକାରୀଙ୍କୁ ଘର ଦିଆଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି। ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ, ମଣ୍ଡପ ବସ୍ତିରେ ନିର୍ମାଣ ହୋଇଥିବା ୧୯୬ଟି ଘର ଖୁବ୍ ଶୀଘ୍ର ଆବଣ୍ଟନ ହେବ। ଏହାବାଦ୍ ଶାନ୍ତିପଲ୍ଲୀରେ ୧୦ହଜାର, ଗାଡ଼କଣରେ ୬୦୦, ନୀଳମାଧବ ବସ୍ତିରେ ୧୦୦୦ ଘର ନିର୍ମଣାଧୀନ ଓ ନିର୍ମାଣ ହେବାକୁ ଥିବାବେଳେ ଏହାକୁ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବ। ହିତାଧିକାରୀମାନଙ୍କୁ ଏଥିପାଇଁ ୧ଲକ୍ଷ ୨୦ହଜାର ଟଙ୍କା ଦେବାକୁ ନିୟମ ଥିବାବେଳେ ଏବେ ୨୦ହଜାର ଦେଇ ଘର ପାଇପାରିବେ। ବାକି ୧ଲକ୍ଷ ଟଙ୍କା ବ୍ୟାଙ୍କରୁ ଋଣ ଆକାରରେ ମିଳିବ। ଏହାକୁ ୫ବର୍ଷ ମଧ୍ୟରେ ସୁଝିବେ। ଯେଉଁ ହିତାଧିକାରୀ ବ୍ୟାଙ୍କରେ ଋଣ ନ ସୁଝିବେ ସେମାନଙ୍କୁ ଘରୁ ବାହାର କରିଦିଆଯିବ। ହିତାଧିକାରୀମାନେ ୧୦ବର୍ଷ ପରେ ଏହି ଘରକୁ ଯେ କୌଣସି ବସ୍ତିବାସିନ୍ଦାଙ୍କୁ ବିକ୍ରି କରିପାରିବେ।
ଆବାସିକ ଅଞ୍ଚଳ ପାର୍କ ପାଇଁ ବିଏମ୍ସି ଦେବ ୬୦% ସହାୟତା
ରାଜଧାନୀର ବିଭିନ୍ନ ଆବାସିକ ଅଞ୍ଚଳରେ ଥିବା ପାର୍କଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ବିଏମ୍ସି ସହଯୋଗର ହାତ ବଢ଼ାଇଛି। ଏଣିକି ପ୍ରତ୍ୟେକ ପାର୍କର ରକ୍ଷଣାବେକ୍ଷଣ ପାଇଁ ବିଏମ୍ସି ମୋଟ୍ ଖର୍ଚ୍ଚର ୬୦% ଦେବାକୁ ଥିବାବେଳେ ଆବାସିକ ସଂଘ ୪୦% ଦେବେ। ପୂର୍ବରୁ ପାର୍କ ନିର୍ମାଣର ପ୍ରଥମ ବର୍ଷ ପରେ ଆବାସିକ ସଂଘ ୨୫% ଦେଉଥିବାବେଳେ, ଦ୍ୱିତୀୟ ବର୍ଷ ୫୦%, ତୃତୀୟ ବର୍ଷ ୭୫% ଏବଂ ଚତୁର୍ଥ ବର୍ଷରୁ ଶତ ପ୍ରତିଶତ ଦେଉଥିଲେ।
ସତ୍ୟନଗର ମଶାଣିରେ ଜୁଇରେ କାଠ ଜଳିବନି
ସତ୍ୟନଗର ଶ୍ମଶାନ ସମ୍ମୁଖରେ ବିଏମ୍ସିର ମୁଖ୍ୟ କାର୍ଯ୍ୟାଳୟ ନିର୍ମାଣ ହେବାକୁ ଥିବାରୁ ଶ୍ମଶାନର ପୁନରୁଦ୍ଧାର କରିବାକୁ ବିଏମ୍ସି ପକ୍ଷରୁ ଯୋଜନା ହୋଇଛି। ଏଥିରେ ଶ୍ମଶାନର ସୌନ୍ଦର୍ଯ୍ୟକରଣ ପାଇଁ ଫୁଲଗଛ ଲଗାଯିବା ସହ ପୁଷ୍କରିଣୀ ପୁନରୁଦ୍ଧାର, ଶବଦାହ ଓ ସଂସ୍କାର ପାଇଁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ଶ୍ମଶାନକୁ ପାର୍କ ଭଳି ରୂପ ଦିଆଯିବ। ଏହାବାଦ୍ ଏଠାରେ ଆଉ କାଠ ଜାଳି ଶବଦାହ କରାଯିବନି। ଜୁଇରେ କାଠ ଜଳା ଯାଉଥିବାରୁ ବହୁ ଧୂଆଁ ବାହାରୁଛି। ଧୂଆଁ ଓ ପାଉଁଶ ଯୋଗୁ ବାୟୁ ପ୍ରଦୂଷଣ ହେଉଛି। ତେଣୁ ଜୁଇରେ କାଠ ନ ଜଳାଇବାକୁ ବିଏମ୍ସି ପକ୍ଷରୁ ଯୋଜନା ହୋଇଛି। ଏହାସହ ଆଉ ଏକ ବିଦ୍ୟୁତ ଚୁଲା ନିର୍ମାଣ ପାଇଁ ଯୋଜନା ହୋଇଛି। ଦୁଇଟି ବିଦ୍ୟୁତ ଚୁଲାରେ ଶବଦାହ ହେଲେ କୌଣସି ପ୍ରକାରର ଅବ୍ୟବସ୍ଥା ରହିବନି ବୋଲି କମିସନର୍ କହିଛନ୍ତି। ସତ୍ୟନଗର ଶ୍ମଶାନର ସୌନ୍ଦର୍ଯ୍ୟକରଣ ପାଇଁ ଖୁବ୍ ଶୀଘ୍ର ଆରଏଫ୍ପି ଆହ୍ଵାନ କରାଯିବ। ବର୍ଷକ ମଧ୍ୟରେ ଶ୍ମଶାନ ନୂଆ ରୂପ ପାଇବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି।
ସେହିପରି ବିଏମ୍ସିର ସ୍ୱର୍ଗ ରଥ ଗାଡ଼ିର ଅଧିକ ଚାହିଦା ଥିବାରୁ ଆଉ ଦୁଇଟି ଗାଡ଼ି କିଣିବାକୁ ଯୋଜନା ହୋଇଛି। ଏବେ ତିନିଟି ସ୍ୱର୍ଗ ରଥ ଥିବାବେଳେ ଏହାକୁ ୫କୁ ବୃଦ୍ଧି କରିବାକୁ ଯୋଜନା ହୋଇଛି।
ଦଶହରା ପାଇଁ ସ୍ୱତନ୍ତ୍ର ସଫେଇ ଅଭିଯାନ
ଦଶହରା ସମୟରେ ରାଜଧାନୀକୁ ପରିଷ୍କାର ଓ ପରିଛନ୍ନ ରଖିବା ପାଇଁ ବିଏମ୍ସି ପକ୍ଷରୁ ସ୍ୱତନ୍ତ୍ର ସଫେଇ ଅଭିଯାନ ଆରମ୍ଭ ହେବ। ଏଥିରେ ସମସ୍ତ ପୂଜା ମଣ୍ଡପ ଏବଂ ପ୍ରମୁଖ ରାସ୍ତାରେ ଦିନକୁ ଦୁଇବେଳା ସଫେଇ କରାଯିବାକୁ ଥିବାବେଳେ ଜନଗହଳି ସ୍ଥାନରେ ଡଷ୍ଟବିନ୍ ଲଗାଇବାକୁ ଯୋଜନା ହୋଇଛି। ଗଳିକନ୍ଦିରେ ଆଲୋକୀକରଣ ପାଇଁ ଆବଶ୍ୟକୀୟ ଷ୍ଟ୍ରିଟ ଲାଇଟ୍ ଲଗାଇବା, ମରାମତି କରିବାକୁ ଗୁରୁତ୍ୱ ଦିଆଯିବ ବୋଲି ମେୟର କହିଛନ୍ତି।