ବହୁ ଗୁରୁତର ରୋଗୀ ଚିକିତ୍ସା ପାଉନାହାନ୍ତି
ଘରୋଇ ହସ୍ପିଟାଲ ଦେଉଛନ୍ତି, ବିଏମ୍ସି ଦେଉନି
ରିପୋର୍ଟ ନଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ଚିକିତ୍ସା କରୁନାହାନ୍ତି
ବିଏମ୍ସିର କ’ଣ ନିଜ ରିପୋର୍ଟ ଉପରେ ଭରସା ନାହିଁ?
ଭୁବନେଶ୍ୱର : ଯଦି କେହି ବିଏମ୍ସି ବ୍ୟବସ୍ଥାରେ କରୋନା ପରୀକ୍ଷା କରୁଛନ୍ତି, ତେବେ ତାଙ୍କୁ ରିପୋର୍ଟ ଦିଆଯାଉନି। ଯଦି ରିପୋର୍ଟ ପଜିଟିଭ୍ ଆସୁଛି, ତେବେ ଫୋନ୍ କଲ୍ ଯାଉଛି। ନେଗେଟିଭ୍ ଆସିଲେ ଫୋନ୍ କଲ୍ ଯିବା ଦୂର କଥା, ପଚାରିଲେ ବି କେହି ନିଶ୍ଚିତ କରି କହୁନାହାନ୍ତି ଯେ ତୁମକୁ କରୋନା ହୋଇନି। ଫଳରେ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। କେବଳ ଲୋକଙ୍କ ଦ୍ବନ୍ଦ୍ବ ବଢ଼ୁନି, କରୋନା ରିପୋର୍ଟ ନଥିବାରୁ ବହୁ ଲୋକଙ୍କର ଜୀବନ ଚାଲି ଯାଉଛି।
କିଛି ଆକ୍ରାନ୍ତ ବିଏମ୍ସିରେ ସରକାରୀ ବ୍ୟବସ୍ଥାରେ କରୋନା ପରୀକ୍ଷା କରିବା ପରେ ନେଗେଟିଭ୍ ଆସିଲେ ବି କୌଣସି ହସ୍ପିଟାଲରେ ତାଙ୍କ କଥାକୁ ଗ୍ରହଣ କରାଯାଉନି। କାରଣ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷ ଆପଣଙ୍କର ନେଗେଟିଭ୍ ବୋଲି ରିପୋର୍ଟ ଅଛି କି ପଚାରୁଛନ୍ତି। ଯଦି ରିପୋର୍ଟ ନାହିଁ ଆମେ ବିଶ୍ବାସ କେମିତି କରିବୁ ବୋଲି କହୁଛନ୍ତି। ତେଣୁ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷ ହସ୍ପିଟାଲକୁ ଆସୁଥିବା ଆକ୍ରାନ୍ତଙ୍କୁ ସଙ୍ଗରୋଧ ୱାର୍ଡ କିମ୍ବା ହସ୍ପିଟାଲ ବାହାରେ ରଖି ନମୁନା ସଂଗ୍ରହ କରୁଛନ୍ତି। ସେଠାରେ ରିପୋର୍ଟ ପଜିଟିଭ୍ କି ନେଗେଟିଭ୍ ଆସିଲେ ସେହି ଅନୁଯାୟୀ ଚିକିତ୍ସା କରୁଛନ୍ତି। ଏହିଭଳି ପ୍ରକ୍ରିୟାରେ ଯାଇ ରାଜଧାନୀରେ କିଛି ଲୋକଙ୍କର ମୃତ୍ୟୁ ହୋଇଗଲାଣି।
ଏପରିକି କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସରେ ବି ଏହିଭଳି ଢଙ୍ଗରେ ଚିକିତ୍ସା କରାଯାଉଥିବାରୁ ବହୁ ଆକ୍ରାନ୍ତଙ୍କର ମୃତ୍ୟୁ ହେଉଛି। କିନ୍ତୁ ସରକାରୀ ବ୍ୟବସ୍ଥା ସୁଧୁରୁନି। କରୋନା ଏବେ ବଢ଼ୁଥିବାରୁ ଜଣଙ୍କୁ କରୋନା ହୋଇଛି ନାହିଁ, ନଜାଣି ଛୁଇଁବାକୁ ବି ଡରୁଛନ୍ତି। ଏଭଳି ସ୍ଥିତିରେ ବିଏମ୍ସି ରିପୋର୍ଟ ଲୁଚାଇ ବସୁଛି।
ଯଦି ବିଏମ୍ସିର ସବୁ ରିପୋର୍ଟ ଠିକ୍ ତେବେ ଲୋକଙ୍କୁ କାହିଁକି ଦିଆଯିବନି। ଯଦି ରିପୋର୍ଟ ପ୍ରସ୍ତୁତିରେ କିଛି ଭୁଲ୍ ରହୁଥିବାରୁ କର୍ତ୍ତୃପକ୍ଷ ଲୁଚାଉଛନ୍ତି, ତେବେ ଏହାକୁ କାହିଁକି ସୁଧାରୁନାହାନ୍ତି। ବିଏମ୍ସି ରିପୋର୍ଟ ଲୁଚାଇବ ବୋଲି କ’ଣ ଲୋକ ମରିବେ। କୌଣସି ସ୍ଥାନରେ ସରକାରୀ ନିର୍ଦ୍ଦେଶ ନାହିଁ ଯେ ଜଣେ ଆକ୍ରାନ୍ତଙ୍କୁ କରୋନା ରିପୋର୍ଟ ଦିଆଯିବନି। ଘରୋଇ ହସ୍ପିଟାଲ, ପାଥୋଲାବ୍ କରୋନା ପରୀକ୍ଷା କଲେ ଆକ୍ରାନ୍ତଙ୍କୁ କରୋନା ରିପୋର୍ଟ ଦେଉଛନ୍ତି। କିନ୍ତୁ ଯିଏ ବିଏମ୍ସିରେ କରୋନା ପରୀକ୍ଷା କରୁଛି, ତାଙ୍କୁ ରିପୋର୍ଟ ମିଳୁନି।
ଏପଟେ ଗୋଟିଏ ଘରୋଇ ହସ୍ପିଟାଲରେ କରୋନା ପରୀକ୍ଷା କଲେ ଆଉ ଏକ ହସ୍ପିଟାଲ ଏହାକୁ ଗ୍ରହଣ କରୁନି। ଯଦି ସରକାରୀ ବ୍ୟବସ୍ଥାରେ କରୋନା ପରୀକ୍ଷା ରିପୋର୍ଟ ମିଳନ୍ତା, ତେବେ ଏହାକୁ ଅନ୍ୟମାନେ ଗ୍ରହଣ କରିବାକୁ ବାଧ୍ୟ ହୁଅନ୍ତେ। ଏପରିକି କରୋନା ହୋଇନଥିବା ରୋଗୀ ସୁବିଧାରେ ଚିକିତ୍ସା ପାଇପାରନ୍ତେ। ବହୁ ଲୋକଙ୍କୁ ଅକାଳ ମୃତ୍ୟୁରୁ ବଞ୍ଚାଯାଇପାରନ୍ତା। ହେଲେ ଏତିକି କରିବାକୁ ସରକାରୀ ବାବୁମାନଙ୍କ ମୁଣ୍ଡରେ ବୁଦ୍ଧି ଜୁଟୁନି। ଅପରପକ୍ଷେ କରୋନା ପରୀକ୍ଷା କରୁଥିବା ଲୋକଙ୍କୁ ତୁରନ୍ତ ରିପୋର୍ଟ ମିଳୁ ନଥିବାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଏମ୍ସିରେ ଯେଉଁମାନେ କରୋନା ପରୀକ୍ଷା କରୁଛନ୍ତି, ଅଧିକାଂଶଙ୍କର ଦୁଇରୁ ତିନି ଦିନ ମଧ୍ୟରେ ରିପୋର୍ଟ ଆସୁଛି। ପଜିଟିଭ୍ ଆସିଲେ ବିଏମ୍ସି ପକ୍ଷରୁ ଫୋନ୍ କରି ଜଣାଯାଉଛି। ଯାହାକୁ ଦୁଇ ଦିନ ମଧ୍ୟରେ ଫୋନ୍ ଯାଉନି ସେ ନେଗେଟିଭ୍ ହୋଇଥିବ ଭାବି ଲୋକଙ୍କ ସହ ମିଳାମିଶା କରୁଛନ୍ତି। ପରେ ବିଏମ୍ସିରୁ ପଜିଟିଭ୍ ବୋଲି ଫୋନ୍ ଆସୁଥିବାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ହେଲେ ବିଏମ୍ସି ପକ୍ଷରୁ କାହାକୁ ରିପୋର୍ଟ ଦିଆଯାଉନି।
କିଛି ଆକ୍ରାନ୍ତଙ୍କର ରିପୋର୍ଟ ପଜିଟିଭ୍ ଥିଲେ ବି ସେମାନେ ଘରେ ରହି ଚିକିତ୍ସିତ ହେଉଛନ୍ତି। ହଠାତ୍ ଯଦି ସେମାନଙ୍କର କିଛି ଅସୁବିଧା ହେଉଛି ତେବେ ସେମାନେ ଘରୋଇ ହସ୍ପିଟାଲକୁ ଗଲେ ବି ସେମାନଙ୍କୁ ଭର୍ତ୍ତି କରାଯାଉନି। ପଜିଟିଭ୍ ରିପୋର୍ଟ ମଗା ଯାଉଛି। କୌଣସି ଉପାୟରେ ଦେଖାଇ ନପାରିଲେ ଆଗ କରୋନା ପରୀକ୍ଷା ହେଉଛି, ରିପୋର୍ଟ ଆସିବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଉଛି।
ଏନେଇ ଏଡିୟୁ ପିଏଚ୍ ଡା. ରାଓଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ପ୍ରଥମେ ପ୍ରଥମେ କରୋନା ପରୀକ୍ଷା କରୁଥିବା ଲୋକଙ୍କୁ ରିପୋର୍ଟ ଦିଆଯାଉଥିଲା। କିନ୍ତୁ ଲୋକ ଅଧିକ ଭୟଭୀତ ହୋଇଯିବାରୁ ଏହି ରିପୋର୍ଟ ଦେବାକୁ ମନା କରାଯାଇଛି। ଏବେ କରୋନା ରିପୋର୍ଟକୁ ଦେଖି ଲୋକ ଡରୁନାହାନ୍ତି, ତେଣୁ କିପରି ଲୋକଙ୍କୁ ରିପୋର୍ଟ ମିଳିବ, ସେ ବ୍ୟବସ୍ଥା କରିବୁ। କେବଳ ଏତିକି ନୁହେଁ, ଘରୋଇ ହସ୍ପିଟାଲରେ ଆର୍ଟିପିସିଆର୍ କରୋନା ପରୀକ୍ଷା କଲେ ଦିନକରେ ରିପୋର୍ଟ ଆସୁଛି। ହେଲେ ବିଏମ୍ସି ବ୍ୟବସ୍ଥାରେ ପରୀକ୍ଷା କଲେ ଦୁଇରୁ ତିନି ଦିନ ଲାଗୁଛି। କିଛି ଲୋକଙ୍କର ୫ରୁ ୬ଦିନ ପରେ ରିପୋର୍ଟ ଆସୁଛି। ଫଳରେ ବିଏ୍ସି ଯେତେ ପ୍ରଚାର କଲେ ବି କିଛି ଲୋକ ବିଏମ୍ସି ବ୍ୟବସ୍ଥାରେ କରୋନା ପରୀକ୍ଷା କରିବାକୁ ରାଜି ହେଉନାହାନ୍ତି। ଅଧିକାଂଶ କର୍ମଜୀବୀ ଲୋକ ବିଏମ୍ସିରେ କରୋନା ପରୀକ୍ଷା ନକରିବାର କାରଣ ହେଲା ସେମାନଙ୍କୁ କରୋନା ରିପୋର୍ଟ ନ ମିଳିବା। ରିପୋର୍ଟ ମିଳୁ ନଥିବାରୁ ଘରେ କରୋନା ପାଇଁ ହୋମ୍ ଆଇସୋଲେସନ୍ରେ ଅଛନ୍ତି କି ସେମିତି ଅଛନ୍ତି ଅଫିସ କର୍ତ୍ତୃପକ୍ଷ ଜାଣିପାରୁ ନାହାନ୍ତି। ତେଣୁ ଡିସ୍ଚାର୍ଜ ସାର୍ଟିଫିକେଟ୍ ନ ମିଳିବା ପର୍ଯ୍ୟନ୍ତ ଅଫିସ୍ କର୍ତ୍ତୃପକ୍ଷଙ୍କୁ ବୁଝାଇବା କଷ୍ଟକର ହୋଇପଡ଼ୁଛି।