ବାୟୋମାଇନିଂ ପାଇଁ ଏମିତି ତତ୍ପର ବିଏମ୍‌ସି: ଆଲୋଚନାକୁ ଯାଉନାହାନ୍ତି ବଡ଼ବଡ଼ିଆ

ଜିଦ୍‌ରେ ଅଟଳ ଗ୍ରାମବାସୀ, ପୁଣିଥରେ ଆଲୋଚନା ବିଫଳ

ଭୁବନେଶ୍ବର/ବାରଙ୍ଗ: ବିଏମ୍‌ସିର ଶତଚେଷ୍ଟା ସତ୍ତ୍ବେ ନିଜ ଜିଦ୍‌‌ରେ ଅଡ଼ି ବସିଛନ୍ତି ଦାରୁଠେଙ୍ଗ ପଞ୍ଚାୟତବାସୀ। ଆଗ ଅଳିଆ ପକାଇବା ବନ୍ଦ ନ କଲେ, ଏଠାରେ କୌଣସି ପ୍ରକଳ୍ପ କରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଗତକାଲି ମଧ୍ୟ ବିଏମ୍‌ସି ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏନେଇ ଏକ ବୈଠକ ବସି ଆଲୋଚନା ହୋଇଥିଲା। କିନ୍ତୁ ଗ୍ରାମବାସୀ ଜିଦ୍‌ରେ ଅଟଳ ରହିବାରୁ ଆଲୋଚନା ଆଗକୁ ବଢ଼ି ପାରିନଥିଲା। ବାରମ୍ବାର ଏମିତି ଆଲୋଚନା ବିଫଳ ହେବା ଦ୍ବାରା ଏହି ବାୟୋମାଇନିଂ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି।

ମିଳିଥିବା ସୂଚନାନୁଯାୟୀ, ଗତକାଲି ୪ ନମ୍ବର ୱାର୍ଡ ମେମ୍ବର ପ୍ରଭାସିନୀ ବେହେରା, ୧୧ ନମ୍ବର ୱାର୍ଡ ମେମ୍ବର ମିନା ବେହେରା, ସରପଞ୍ଚ ତପନ କୁମାର ଚକ୍ରବର୍ତ୍ତୀ, ଉପାଧ୍ୟକ୍ଷ ଅଜିତ ଶ୍ରୀଚନ୍ଦନ, ବିଜୟ ତ୍ରିପାଠୀ, ଉମା ପଟ୍ଟନାୟକ, ଗ୍ରାମ କମିଟି ଉପାଧ୍ୟକ୍ଷ ତପନ କୁମାର ବଳିଆରସିଂହ, ପବିତ୍ର ମୋହନ ବଳିଆରସିଂହଙ୍କ ସହ ବିଏମସି ସାନିଟାରି ଅଫିସର୍‌ ମନୋରଞ୍ଜନ ମହାନ୍ତି ଓ ଚନ୍ଦକା ଥାନା ଅଧିକାରୀ ସୁରେନ୍ଦ୍ର କୁମାର ବଳ ପ୍ରମୁଖ ଆଲୋଚନା କରିଥିଲେ। କିନ୍ତୁ ତାହା ବିଫଳ ହୋଇଥିଲା। ଏହା ପୂର୍ବରୁ ମଧ୍ୟ ଚଳିତ ସପ୍ତାହରେ ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଆଉ ଏକ ବୈଠକ ବସିଥିଲା। ଦୀର୍ଘ ଏକ ଘଣ୍ଟା ଧରି ଏହି ବୈଠକ ଚାଲିଥିଲେ ମଧ୍ୟ ପ୍ରକଳ୍ପ ଆରମ୍ଭ ନେଇ ବାଟ ବାହାରି ପାରିନଥିଲା।

ତେବେ ବାରମ୍ବାର ଏଭଳି ବୈଠକ ବସି ଫଳ ଶୂନ ହେଉଥିଲେ ମଧ୍ୟ ବିଏମ୍‌ସି କାହିଁକି ଅନ୍ୟମାନଙ୍କୁ ଆଲୋଚନାରେ ସାମିଲ କରୁନାହିଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ସମସ୍ୟାର ସମାଧାନ ପାଇଁ ବିଏମ୍‌ସି କେବଳ ତଳତଳିଆ କର୍ମଚାରୀଙ୍କୁ ପଠାଇ ଆଲୋଚନା କରୁଛି। ଯେଉଁ ବରିଷ୍ଠ ଅଧିକାରୀ ପୂର୍ବରୁ ଅନେକଥର ଆଲୋଚନା କରି ଫେଲ୍‌ ମାରିଛନ୍ତି ସେଇମାନେ ହିଁ ବାରମ୍ବାର ଯାଇ ବୈଠକ କରୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ମେୟର, କମିସନର, ବିଧାୟକ କିମ୍ବା ସାଂସଦ, କେହି ପଞ୍ଚାୟତବାସୀଙ୍କ ସହ ଆଲୋଚନାରେ ସାମିଲ ହୋଇନାହାନ୍ତି। ତେଣୁ ନିର୍ଭର ପ୍ରତିଶ୍ରୁତି ପାଉନଥିବାରୁ ଗ୍ରାମବାସୀମାନେ ନିଜ ଜିଦ୍‌ରେ ଅଟଳ ରହିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର