ଶତାଧିକ ଲୋକଙ୍କୁ ଭଣ୍ଡାଇଲା ବିଏମ୍‌ସି

ଜଣକ ପାଇଁ ପ୍ରଶାସନ କରୁଛି କସରତ, ଜମି ପ୍ରଦାନକାରୀଙ୍କ ମଧ୍ୟ ‌କୁହୁଳୁଛି ଅସନ୍ତୋଷ

ଭୁବନେଶ୍ୱର : ଶ୍ରୀ ଲିଙ୍ଗରାଜ ମନ୍ଦିର ଚାରିପଟ ବିକାଶ ପାଇଁ ରାଜ୍ୟ ସରକାର କରିଥିବା ଏକାମ୍ର ଯୋଜନାର ସଫଳ ରୂପାୟନ ପାଇଁ ଶତାଧିକ ଲୋକ ଜମି ହରାଇଲେ। ଏହି ଜମି ହରାଇଥିବା ଲୋକ ଜମି ବଦଳରେ ଜମି ଦେବା ପାଇଁ ଦାବି କରିଥିଲେ। ହେଲେ ବିଏମ୍‌ସି କାହାରିକୁ ଜମି ଦେଲା ନାହିଁ। ଅଥଚ ଜଣେ ବ୍ୟକ୍ତିଙ୍କୁ ଜମି ବଦଳରେ ଲିଙ୍ଗରାଜ ମହାପ୍ରଭୁଙ୍କ ୪୬୨ଡିସିମିଲ ସମ୍ପତ୍ତି ପ୍ରଦାନ ହେବ ବୋଲି ମସୁଧା କରାଯାଇଛି। ଅଞ୍ଚଳ ବଟୁ ନାମକ ବ୍ୟକ୍ତିଙ୍କୁ ଏହି ଜମି ପ୍ରଦାନ ପାଇଁ ବିଏମ୍‌ସି ପକ୍ଷରୁ ଲିଙ୍ଗରାଜ ମନ୍ଦିର ପ୍ରଶାସନକୁ ଏପରି ଚିଠି କରାଯାଇଛି। ବିଏମ୍‌ସି ଚିଠି ନମ୍ବର ୬୯୯୫୩ରେ ବିଏମ୍‌ସି କମିସନରଙ୍କ ନିର୍ଦେଶକ୍ରମେ ଡେପୁଟି କମିସନର ଚିଠି କରିଛନ୍ତି। ଏପରିକି ଆସନ୍ତାକାଲି ହେବାକୁ ଥିବା ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡର ବୈଠକର ଏଜେଣ୍ଡାରେ ଏହି ପ୍ରସଙ୍ଗକୁ ରଖାଯାଇଛି। ବୋର୍ଡ ବୈଠକରେ ପ୍ରସ୍ତାବକୁ ପାରିତ କରି ଜମି ଦେବା ପାଇଁ ଷଡ଼ଯନ୍ତ୍ର ଚାଲିଛି।

ମିଳିଥିବା ସୂଚନା ଅନୁଯାୟୀ ସାନେଟୋରିୟମ୍‌ ଛକ ନିକଟରେ ହେବାକୁ ଥିବା ନୂତନ ବସ୍‌ ଷ୍ଟାଣ୍ଡ ନିକଟରେ ଗୌତମନଗର ମୌଜାର ବଉଳଗଡ଼ କ୍ଲବ୍‌ ଜମିରୁ ୪୧ଡିସିମିଲ, ଲିଙ୍ଗରାଜ ମହାପ୍ରଭୁଙ୍କ ନାମରେ ଥିବା ୪୨୧ଡିସିମିଲ ସମ୍ପତ୍ତି ପ୍ରଦାନ ପାଇଁ ଏପରି ଚିଠି କରାଯାଇଛି। ଜମି ହରାଇଥିବା ଜୟନ୍ତ ମହାପାତ୍ର କହିଛନ୍ତି ଯେ ଜମି ବଦଳରେ ନିକଟବର୍ତ୍ତୀ ଅଞ୍ଚଳରେ ଜମି ଦେବାକୁ ଆମେ ବିଏମ୍‌ସି ନିକଟରେ ଦାବି କରିଥିଲୁ। କିନ୍ତୁ ପ୍ରଶାସନ ଶୁଣିଲା ନାହିଁ। ଏବେ ଜମି ହରାଇଥିବା ଶତାଧିକ ଲୋକଙ୍କ ସହ ବିଏମ୍‌ସି ବିଶ୍ବାସଘାତ କରିଛି। କେବଳ ଜଣଙ୍କୁ ଜମି ଦେଇଥିବା ବେଳେ ଅନ୍ୟମାନଙ୍କୁ ମନା କରିଦେଇଛି।

ଏ ନେଇ ଆଇନଜୀବୀ ସରୋଜ ମିଶ୍ର କହିଛନ୍ତି ‌ଯେ ଗୌତମନଗର ମୌଜା ପ୍ଲଟ୍‌ ଗୁଡ଼ିକର ମୂଳ ମାଲିକ ହେଉଛନ୍ତି ଶ୍ରୀଲିଙ୍ଗରାଜ ମହାପ୍ରଭୁ, ମାର୍ଫତ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ। ଏହାର ସାବକ ରେକର୍ଡରେ ଲିଙ୍ଗରାଜ ମହାପ୍ରଭୁଙ୍କ ନାମରେ ଓ ଯାତ୍ରୀଙ୍କ ସୁବିଧା ପାଇଁ ଏହି ଜମି ରହିଛି ବୋଲି ରେକର୍ଡ଼ ରହିଛି। ଏବେ ଏକାମ୍ର ଯୋଜନାରେ ଏହାକୁ ଦଖଲରେ ରଖିଥିବା ବ୍ୟକ୍ତିଙ୍କୁ ଏହି ଜମିରେ ୪୦କୋଟି ଟଙ୍କାର କ୍ଷତିପୂରଣ ପାଇଁ ମସୁଧା ଚାଲିଛି। ବିଭିନ୍ନ ଅଫିସର ଓ କିଛି କୁଜି ନେତା ଏଥିରେ ସାମିଲ ହୋଇ ଏହା କରୁଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସେପଟେ ବିଏମ୍‌ସିର ଏପରି କାର୍ଯ୍ୟକୁ ଦୃଢ଼ ବିରୋଧ କରିଛି ଏକାମ୍ର ଜନ ଜାଗରଣ ମଞ୍ଚ। ମଞ୍ଚ ପକ୍ଷରୁ ଏ ନେଇ ମନ୍ଦିର ପ୍ରଶାସନ, ବିଏମ୍‌ସି କମିସନର, ଦେବୋତ୍ତର କମିସନର, ଜିଲ୍ଲାପାଳଙ୍କ ମାଧ୍ୟମରେ ୫ଟି ସଚିବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ମଞ୍ଚର କର୍ମକର୍ତ୍ତାମାନେ ବିକ୍ଷୋଭ କରିବାରୁ ହତ୍ୟା ଧମକର ସମ୍ମୁଖୀନ ହୋଇଛନ୍ତି। ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକଙ୍କ କହିବା ଅନୁଯାୟୀ ଏକାମ୍ର ଯୋଜନାରେ ଶତାଧିକ ଲୋକ ଜମି ହରାଇଥିଲେ ମଧ୍ୟ କହାରିକୁ ବିଏମ୍‌ସି ଜମି ଦେଲା ନାହିଁ। ଅଥଚ ଠାକୁରଙ୍କ ଜମିକୁ ଚଞ୍ଚକତା ଭାବେ ନିଜ ନାମରେ କରାଇଥିବା ବ୍ୟକ୍ତି ଅଞ୍ଚଳ ବଟୁଙ୍କୁ କ୍ଷତିପୂରଣ ଦିଆଯାଉଛି। ତାହା ପୁଣି ଠାକୁରଙ୍କ ଜମି ବଦଳରେ ବିଏମ୍‌ସି ଠାକୁରଙ୍କ ଜମି ଓ କ୍ଷତିପୂରଣ ଦେଇ କିଣିଥିବା ଜମି ପ୍ରଦାନ କରୁଛି। ଏନେଇ ଚିଠି କରି ମନ୍ଦିର ଟ୍ରଷ୍ଟ ବୋର୍ଡରେ ଅନୁମୋଦନ ପାଇଁ ପତ୍ର ଲେଖିଛି। ଏଭଳି କରି ଶତାଧିକ ଜମି ହରାଇଥିବା ଲୋକଙ୍କ ପ୍ରତି ଅନ୍ୟାୟ କରାଯାଇଛି। ତେଣୁ ଉକ୍ତ ଜମିର ସାବକ ରେକର୍ଡ ଯାଞ୍ଚ କରିବାକୁ ଦାବି ମଧ୍ୟ କରିଛି ଏକାମ୍ର ଜନ ଜାଗରଣ ମଞ୍ଚ। ତେବେ ପ୍ରଶାସନ ଏକଥାକୁ କର୍ଣ୍ଣପ‌ାତ କରୁନାହିଁ। ତେବେ ଏହି ପ୍ରସଙ୍ଗରେ ମନ୍ଦିର କାର୍ଯ୍ୟନୀର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ ବିଏମ୍‌ସି ପକ୍ଷରୁ ହୋଇଥିବା ଚିଠି ସମ୍ପର୍କରେ ଅଧିକ କିଛି କହିବି ନାହିଁ। ନିକଟରେ ମୁଁ ଦାୟିତ୍ବ ଛାଡ଼ୁଛି।

ସମ୍ବନ୍ଧିତ ଖବର