ଭୁବନେଶ୍ୱର : ମହାମାରୀ କରୋନାକୁ ବଳିଗଲା ବିଏମ୍ସିର ନିର୍ଯାତନା। ଜୀବନ ଓ ଜୀବିକା ପାଇଁ ସଂଘର୍ଷ କରିବାକୁ ପଡ଼ୁଥିବା ବେଳେ ବିଏମ୍ସି ଉଜାଡ଼ି ଦେଇଛି ଜୀବିକାର ଉତ୍ସ। ଭାଙ୍ଗି ଦେଇଛି ଭାତହାଣ୍ଡି। ଡ୍ରେନ୍ ଉପରେ ଦୋକାନ ଥିବା ଦର୍ଶାଇ ବିନା ନୋଟିସ୍ରେ ଭାଙ୍ଗି ଦେଇଛି ଦୋକାନ। ଫଳରେ କରୋନା ଭଳି ମହାବିପତ୍ତି ସମୟରେ ବଞ୍ଚିବାକୁ ରାହା ଖୋଜୁଥିବା ୪ଟି ଗରିବ ପରିବାର ବେସାହାରା ହୋଇଯାଇଛନ୍ତି। ବିଏମ୍ସିର ଏହି ଗରିବ ମାରଣନୀତି ୨୫ ନମ୍ବର ଵାର୍ଡ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।
ସୂଚନାନୁସାରେ, ଆଜି ବିଏମ୍ସି ପକ୍ଷରୁ ଆଇଆର୍ସି ଭିଲେଜ୍ ଅଞ୍ଚଳରେ ୪ଟି ଉଠାଦୋକାନକୁ ଭାଙ୍ଗି ଦିଆଯାଇଛି। ସେଗୁଡ଼ିକ ମଧ୍ୟରେ ରହିଛି ଗୋଟିଏ ହୋଟେଲ, ପାନ ଦୋକାନ, ସେଲୁନ୍ ଓ ପରିବା ଦୋକାନ। ଦୋକାନଗୁଡ଼ିକ ଡ୍ରେନ୍ ଉପରେ ଥିବା ଦର୍ଶାଇ ବିଏମ୍ସି ଉଚ୍ଛେଦ କରିଛି। ମାତ୍ର ପରିତାପର କଥା, ଦୋକାନ ଭଙ୍ଗା ଯିବା ବେଳେ ଦୋକାନୀମାନେ ଉପସ୍ଥିତ ନଥିଲେ। ବିନା ନୋଟିସ୍ରେ ଏହି ଉଚ୍ଛେଦ ହୋଇଥିବାରୁ ସେମାନେ ଜାଣିବା ବାଟ ନଥିଲା। ଜେସିବି ଭାଙ୍ଗି ଦେବା ପରେ ଦୋକାନ ଭିତରେ ଥିବା ବହୁ ଉପକରଣ ତଥା ଆସବାବପତ୍ର ଚୋରି ହୋଇଯାଇଥିଲା। ପରିବା ବ୍ୟବସାୟୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ କହିବା କଥା, ବିଏମ୍ସି ପକ୍ଷରୁ ତାଙ୍କୁ ଆଜି ଯାଏ ଭେଣ୍ଡିଂ ଜୋନ୍ରେ ସ୍ଥାନଟିଏ ମିଳିଲା ନାହିଁ। ଅଥଚ କରୋନା ଭଳି ଦୁଃସମୟରେ ବିଏମ୍ସି ତାଙ୍କ ଦୋକାନ ଭାଙ୍ଗି ଜୀବିକା ବୁଡ଼ାଇଦେଲା। ଦୋକାନ ଭାଙ୍ଗିବା ବେଳେ କେହି ନଥିବାରୁ ଓଜନ ମେସିନ୍, ପରିବା ଡାଲା ଓ ଅନ୍ୟାନ୍ୟ ଜିନିଷ ମଧ୍ୟ କେହି ଚୋରି କରି ନେଇଯାଇଛି। ତେଣୁ ଏବେ ସେ କିଭଳି ବଞ୍ଚିବେ ବୋଲି କୋହଭରା କଣ୍ଠରେ କହିଥିଲେ। ହୋଟେଲ କରିଥିବା ଅଭୟ ସାହୁଙ୍କ ଅଭିଯୋଗ ଅନୁସାରେ, ଯଦି ଦୋକାନ ଭାଙ୍ଗିବା ପୂର୍ବରୁ ଖବର ଦିଆଯାଇଥାଆନ୍ତା, ତେବେ ସେମାନେ ଦୋକାନର ଆସବାବପତ୍ରଗୁଡ଼ିକୁ ଖୋଲି ନେଇ ପାରିଥାନ୍ତେ। ମାତ୍ର ଭିତରେ ଜିନିଷପତ୍ର ଥାଇ ଜେସିବି ଚଢ଼ାଇ ଦିଆଯାଇଛି। ତେଣୁ ଦୋକାନରେ ଥିବା ବହୁ ଉପକରଣ ନଷ୍ଟ ହୋଇଛି ଓ କିଛି ଦାମୀ ଜିନିଷପତ୍ର ଚୋରି ହୋଇଯାଇଛି। ସେଲୁନ୍ କରିଥିବା ସୁକାନ୍ତଙ୍କ ଅଭିଯୋଗ ଯେ ତାଙ୍କ ସେଲୁନ୍ ଡ୍ରେନ୍ ଉପରେ ନଥିଲା। ଡ୍ରେନ ପାଇଁ ସେ ଦୋକାନକୁ ଘୁଞ୍ଚାଇ କରି କରିଥିଲେ ଓ ୫୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ବିନା ନୋଟିସ୍ ଭଙ୍ଗା ହେବାରୁ ସେ ପଇସାକର ଜିନିଷ ପାଇପାରିଲେ ନାହିଁ। କିନ୍ତୁ ବିଏମ୍ସି ଏରିଆ ଇନ୍ସପେକ୍ଟରଙ୍କ ସୁକାନ୍ତ ବେହେରାଙ୍କ ଯୁକ୍ତି ଯେ ବିଏମ୍ସିର ଧାରା ୪୦୭ ଅନୁଯାୟୀ ଅଭିଯୋଗ ଥିବା ଜାଗା ଏବଂ ଡ୍ରେନ୍ ଉପରେ ଥିବା ଦୋକାନକୁ ବିନା ନୋଟିସ୍ରେ ଉଚ୍ଛେଦ କରାଯାଇପାରିବ।