ଚନ୍ଦ୍ରଶେଖରପୁର : ପଟିଆସ୍ଥିତ ଓମ୍ ବିହାର ଅଞ୍ଚଳରେ ରାସ୍ତା ଉପରେ ନିର୍ମାଣ ହୋଇଥିବା ଏକ ପାଚେରିକୁ ବିଏମ୍ସି ଭାଙ୍ଗି ଦେଇଛି। ବିଏମ୍ସିର ଉତ୍ତର-ଜୋନ୍ ଡେପୁଟି କମିସନର୍ ଶୁଭ୍ରାଂଶୁ ମିଶ୍ରଙ୍କ ନିର୍ଦେଶରେ ବିଏମସିର ଏକ ସ୍କ୍ଵାଡ୍ ଆଜି ଘଟଣାସ୍ଥଳରେ ପହଞ୍ଚି ଏହି ପାଚେରିକୁ ଉଚ୍ଛେଦ କରିଥିଲା। କିନ୍ତୁ ପାଚେରି ନିର୍ମାଣ କରିଥିବା କିଛି ବ୍ୟକ୍ତିଙ୍କ ତୀବ୍ର ବିରୋଧ ଯୋଗୁଁ ଉଚ୍ଛେଦ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିନଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ୨୦୧୬ ଡିସେମ୍ବରରେ ଏହି ଅଞ୍ଚଳରେ ଥିବା ସରକାରୀ ଜାଗାରେ ରାସ୍ତା ନିର୍ମାଣ ପାଇଁ ବିଏମ୍ସି ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା। ସେ ସମୟରେ କେହି ଏ ଜାଗା ଉପରେ ଅଧିକାର ଜାହିର କରିନଥିଲେ। କିନ୍ତୁ କିଛି ଦିନ ପରେ ହଠାତ୍ ବିଏମ୍ସି କିମ୍ବା ଓମ୍ ବିହାର ବାସିନ୍ଦାଙ୍କୁ କୌଣସି ସୂଚନା ନ ଦେଇ ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତି ସେଠାରେ ପାଚେରି ନିର୍ମାଣ କରିଥିଲେ। ଏହା ସରକାରୀ ଜାଗା ନୁହେଁ, ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି ବୋଲି ଯୁକ୍ତି ବାଢ଼ିଥିଲେ। ତେବେ ଏହି ରାସ୍ତା ଉପରେ ଓମ୍ ବିହାରରେ ବାସ କରୁଥିବା ବହୁ ପରିବାର ନିର୍ଭରଶୀଳ ହୋଇଥିବାରୁ ପାଚେରି ନିର୍ମାଣ ପରେ ସେମାନେ ନାହିଁ ନଥିବା ହଇରାଣ ହୋଇଥିଲେ। ଏନେଇ ସେମାନେ ବିଏମ୍ସି ନିକଟରେ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏହି ପାଚେରିକୁ ଭଙ୍ଗାଯିବା ସହ ଖୁବ୍ଶୀଘ୍ର ଏହି ଜାଗା ଉପରେ ବିଏମ୍ସି, ବିଡିଏ ଓ ଭୁବନେଶ୍ୱର ତହସିଲ୍ ପକ୍ଷରୁ ମାପ କରାଯିବ। ସେଥିରୁ ଏହି ସମ୍ପତ୍ତି ଉପରେ କାହାର ଅଧିକାର ଅଛି, ତାହା ସ୍ପଷ୍ଟ ହୋଇଯିବ ବୋଲି ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ତେବେ ହଠାତ୍ ବିଏମ୍ସି ସହ କୌଣସି ଆଲୋଚନା ନ କରି ସର୍ବସାଧାରଣ ଯାତାୟାତ ରାସ୍ତା ଉପରେ ଏପରି ପାଚେରି ନିର୍ମାଣ ଆଦୌ ଠିକ୍ ନୁହେଁ। ଏହି ରାସ୍ତାକୁ ବିଏମ୍ସି ପକ୍ଷରୁ ବିକଶିତ କରାଯିବାକୁ ନୋଟିସ୍ ଜାରି କଲା ବେଳେ କେହି ଅଭିଯୋଗ କରିନଥିଲେ। କିନ୍ତୁ ବର୍ତ୍ତମାନ ଏପରି କରିବା ସମୀଚୀନ ନୁହେଁ ବୋଲି ଉକ୍ତ ବରିଷ୍ଠ ଅଧିକାରୀଜଣଙ୍କ ପ୍ରକାଶ କରିଛନ୍ତି।