ବିଏମ୍‌ସି ଡିଇଓ କେଳେଙ୍କାରୀ: ନାଁ ବଦଳାଇ ୫୫ଙ୍କୁ ନୂଆ ନିଯୁକ୍ତି, ମାମଲା ଯିବ ଲୋକାୟୁକ୍ତ

ଯିଏ ମନା କରିଥିଲେ, ସେ ସ୍ବୀକୃତି ଦେଲେ, ବାରମ୍ବାର ବେଆଇନ କାର୍ଯ୍ୟ କରୁଛନ୍ତି କର୍ତ୍ତୃପକ୍ଷ

ଭୁବନେଶ୍ବର: ବିଏମ୍‌ସିରେ ଡିଇଓ(ଡାଟା ଏଣ୍ଟ୍ରି ଅପରେଟର) ଛଟେଇ ପ୍ରସଙ୍ଗରେ ଆସିଛି ନୂଆ ମୋଡ଼। ଯେଉଁମାନଙ୍କୁ ଡିଇଓ ପଦରୁ ଛଟେଇ କରିଥିଲେ ସେଇମାନଙ୍କୁ ପୁଣି ନିଯୁକ୍ତି ଦେଇଛି ବିଏମ୍‌ସି। ପଦବିର ନାଁ ବଦଳାଇ ଡିଇଓ ପରିବର୍ତ୍ତେ ‘ସାନିଟାରି ମଲ୍ଟିଟାସ୍କିଙ୍ଗ୍‌ ଆସିଷ୍ଟାଣ୍ଟ’ ରଖିଛି। ନାଁ ବଦଳିଛି ସିନା ସେମାନେ ପୂର୍ବରୁ ଯାହା କାମ କରୁଥିଲେ ସେହି କାମ କରୁଛନ୍ତି। କେବଳ ନିଯୁକ୍ତି ଦେବାପାଇଁ ଏଭଳି ଏକ ଫନ୍ଦି କରିଛନ୍ତି ଅଫିସର। ଆଉଟ୍‌ ସୋର୍ସିଂ ସଂସ୍ଥାରୁ ଠିକା କର୍ମଚାରୀ ନିଯୁକ୍ତି ନ କରିବା ପାଇଁ ଯେଉଁ ଅଫିସର ଦିନେ କଡ଼ା ଚିଠି ଲେଖିଥିଲେ ସେହି ଅଫିସର ଏହି ନିଯୁକ୍ତିକୁ ସ୍ବୀକୃତି ଦେଇଛନ୍ତି। ନିଯୁକ୍ତିକୁ ବେଆଇନ ଦର୍ଶାଇ ଏକ ଗୋଷ୍ଠୀ ଲୋକାୟୁକ୍ତଙ୍କ ପର୍ଯ୍ୟନ୍ତ ମାମଲା ନେବାକୁ ସଜବାଜ ହେଉଛି। ସବୁ ନିର୍ଦ୍ଦେଶକୁ ପଛରେ ପକାଇ ଆଉଟ୍‌ ସୋର୍ସିଂ ସଂସ୍ଥା ଜରିଆରେ ୨୦୧୯ ମସିହାରେ ଡିଇଓ ନିଯୁକ୍ତି ମାମଲା ଲୋକାୟୁକ୍ତରେ ବିଚାରାଧୀନ ରହିଛି। ଏବେ ଏହି ମାମଲା ଲୋକାୟୁକ୍ତକୁ ଯିବାକୁ ବସିଥିବାରୁ ଅଧିକାରୀଙ୍କ ନିଦ ହଜିଛି। ଅଧିକାରୀଙ୍କର ଏଭଳି ବାରମ୍ବାର ବେଆଇନ କାର୍ଯ୍ୟ ଏବେ ଏହି କର୍ମଚାରୀଙ୍କର ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛି। ଭବିଷ୍ୟତରେ ଆଉ କେଉଁ ଅଫିସର ଦାୟିତ୍ବ ନେଲେ ସେ ଏହି ନିଯୁକ୍ତିକୁ ବେଆଇନ ଦର୍ଶାଇବା ସହ ଛଟେଇ କରିବା ଆଶଙ୍କା ରହିଛି।

ନୂଆ କମିସନର କାର୍ଯ୍ୟରେ ଯୋଗ ଦେଉ ଦେଉ ଅଧିକାରୀମାନେ ତାଙ୍କ ହାତରେ ଏହି କାମ କରାଇଛନ୍ତି। ମାମଲା ଲୋକାୟୁକ୍ତକୁ ଗଲେ ଅଫିସରଙ୍କ କାରସାଦି ପଦାରେ ପଡ଼ିବା ଥୟ ହୋଇଛି। ପ୍ରଶ୍ନ ଉଠୁଛି କମିସନର ଏହା ପଛରେ ଥିବା କେଳେଙ୍କାରୀ ବାବଦରେ ଜାଣିଛନ୍ତି ନା ଜାଣି ନାହାନ୍ତି? ନିଜ ଅଭିଳାଷ ପୂର୍ଣ୍ଣ କରିବା ପାଇଁ ଅଧିକାରୀମାନେ କମିସନରଙ୍କ କାନ୍ଧରେ ବନ୍ଧୁକ ଫୁଟାଇ ନାହାନ୍ତି ତ? ଏଭଳି ଅନେକ ପ୍ରଶ୍ନ ଏବେ ଅଧିକାରୀମାନଙ୍କୁ ବିବାଦକୁ ଟାଣିଛି। ଅଧିକାରୀଙ୍କ ଏଭଳି କାରବାର ଯୋଗୁ ବିଏମ୍‌ସି କାଠଗଡ଼ାକୁ ଯିବାକୁ ବସିଛି। ୨୦୧୯ ମସିହାରେ ବିଏମ୍‌ସି ଏସ୍‌ବିଏ(ସ୍ବଚ୍ଛ ଭାରତ ଅଭିଯାନ) ସେଲ ଏକ ଆଉଟ୍‌ସୋର୍ସିଂ ସଂସ୍ଥା ‘ପିଏମ୍‌ଆର’ ଜରିଆରେ ୫୫ ଜଣ ଡିଇଓଙ୍କୁ ନିଯୁକ୍ତି ଦିଆଯାଇଥିଲା। ସରକାରଙ୍କ ବିନା ସ୍ବୀକୃତିରେ ଏଭଳି ନିଯୁକ୍ତି ହୋଇ ପାରିବ ନାହିଁ ବୋଲି ନିୟମ ରହିଥିଲେ ମଧ୍ୟ ଡେପୁଟି କମିସନର(ପରିମଳ) ଦାୟିତ୍ବରେ ଥିବା ଶୁଭେନ୍ଦୁ କୁମାର ସାହୁଙ୍କ ପ୍ରସ୍ତାବ କ୍ରମେ ଏହି ନିଯୁକ୍ତି ଦିଆଯାଇଥିଲା। ଏହାକୁ ବେଆଇନ ଦର୍ଶାଇ ମାମଲା ଲୋକାୟୁକ୍ତକୁ ଯାଇଥିଲା। ଯାହା ଏବେ ବିଚାରାଧୀନ ରହିଛି। ବେଆଇନ ହୋଇଥିବାରୁ ବିଏମ୍‌ସି ଲୋକାୟୁକ୍ତଙ୍କୁ ସମୟ ମାଗି କେବଳ ଦିନ ଗଡ଼ାଉଛି।

ଇତିମଧ୍ୟରେ ପିଏମ୍‌ଆର୍‌ ସଂସ୍ଥାର ଚୁକ୍ତି ଅବଧି ଶେଷ ହୋଇ ଯିବା ପରେ ବିଏମ୍‌ସି ଏହାକୁ ଏକ ସୁଯୋଗ ଭାବି ସମ୍ପୃକ୍ତ ଡିଇଓମାନଙ୍କର ଚୁକ୍ତି ନବୀକରଣ କରିନଥିଲା। ବରଂ ନୂଆ ୩୦ ଜଣ ଡିଇଓ ନିଯୁକ୍ତି ପାଇଁ ତତ୍‌କାଳୀନ କମିସନର ସରକାରଙ୍କୁ ସ୍ବୀକୃତି ମାଗିଥିଲେ। ଟେଣ୍ଡର ଜରିଆରେ ନୂଆ ଠିକାସଂସ୍ଥା ଖୋଜିବା ସହ ନୂଆ ସଂସ୍ଥା ଜରିଆରେ ବିଧିବଦ୍ଧ ଭାବରେ ନିଯୁକ୍ତି ଦେବାକୁ ଚାହିଥିଲେ। କମିସନରଙ୍କ ଚିଠିର ଉତ୍ତର ରଖି ଗୃହ ଓ ନଗର ଉନ୍ନୟନ ବିଭାଗ ପୌର ପ୍ରଶାସନର ନି‌ର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ ଲେଖିଥି‌ଲେ, ପୂର୍ବରୁ ଏକ ଆଦେଶ ରହିଛି କି ଆଉଟ୍‌ସୋର୍ସିଂ ସଂସ୍ଥା ଜରିଆରେ କୌଣସି ନିଯୁକ୍ତି ହୋଇ ପାରିବ ନାହିଁ। ତା’ ଛଡ଼ା ନିକଟ ଅତୀତରେ ୧୧ ଜଣ କନିଷ୍ଠ ସହାୟକଙ୍କୁ ନିଯୁକ୍ତି ଦିଆଯାଇଛି। ପୂର୍ବରୁ କେମିତି କାମ ଚାଲୁଥିଲା? ହଠାତ୍‌ ଏତେ ସଂଖ୍ୟାରେ କର୍ମଚାରୀ କାହିଁକି ଦରକାର ପଡ଼ିଲେ ବୋଲି ପ୍ରଶ୍ନ କରିଥିଲେ। କମିସନରଙ୍କୁ ସ୍ବୀକୃତି ନ ମିଳିବାରୁ ନୂଆ ନିଯୁକ୍ତି ସମ୍ଭବ ହୋଇନଥିଲା।

ଜୁନ୍‌ ୨୦ ତାରିଖରେ ତତ୍‌କାଳୀନ କମିସନର ସଞ୍ଜୟ ସିଂହଙ୍କର ବଦଳି ହୋଇଗଲା। ଏହା ପରେ ଆରମ୍ଭ ହେଲା କେଳେଙ୍କାରୀ। ନୂଆ ଫାଇଲ୍‌ ଖୋଲିଲା। ଅଲ୍‌ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲୋକାଲ୍‌ ସେଲ୍ଫ ଗଭର୍ଣମେଣ୍ଟ ନାମକ ଏକ ଆଉଟ୍‌ ସୋର୍ସ ସଂସ୍ଥାକୁ ମାନବ ସମ୍ବଳ ଯୋଗାଇବା ପାଇଁ ବିଏମ୍‌ସି ସିଧାସଳଖ ଚିଠି ଲେଖିଲା। ନା ଏଥିପାଇଁ ଟେଣ୍ଡର ହୋଇଥିଲା ନା ସରକାରଙ୍କ ସ୍ବୀକୃତି ଥିଲା। ସମ୍ପୃକ୍ତ ସଂସ୍ଥା ବିଏମ୍‌ସିର ଆବଶ୍ୟକ ମୁତାବକ ୫୫ଜଣ ‘ସାନିଟାରି ମଲ୍ଟିଟାସ୍କିଙ୍ଗ୍‌ ଆସିଷ୍ଟାଣ୍ଟ’ଙ୍କୁ ନିଯୁକ୍ତି ଦେଲା ଯେଉଁମାନେ ଏଠାରେ ଡିଇଓ ଭାବରେ କାମ କରୁଥିଲେ ଓ ପୂର୍ବରୁ ବିଏମ୍‌ସି ସେମାନଙ୍କୁ ଛଟେଇ ନୋଟିସ୍‌ ଦେଇଥିଲା। ଜଣେ କମିସନର ଚିଠି ଲେଖିଲେ ତାଙ୍କୁ ସ୍ବୀକୃତି ମିଳିଲାନି। କିନ୍ତୁ ସେ ବଦଳିଯିବା ପରେ କେମିତି ତୁରନ୍ତ ସ୍ବୀକୃତି ମିଳିଗଲା? ନିଯୁକ୍ତି ଦେଇଥିବା ସଂସ୍ଥା ‘ଅଲ୍‌ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲୋକାଲ୍‌ ସେଲ୍ଫ ଗଭର୍ଣମେଣ୍ଟ କିଏ? ବିନା ଟେଣ୍ଡର ପ୍ରକ୍ରିୟାରେ ଏହି ସଂସ୍ଥାକୁ କାହିଁକି ବିଏମ୍‌ସି ଚୟନ କଲା? ଏଭଳି ଅନେକ ପ୍ରଶ୍ନ ଏବେ ଅଧିକାରୀମାନଙ୍କୁ ବିବାଦୀୟ କରିଛି। ତେବେ ବିଏମ୍‌ସି କହିଛି, ସମ୍ପୃକ୍ତ ସଂସ୍ଥା ମାନବସମ୍ବଳ ଯୋଗାଇବା ପାଇଁ ପୂର୍ବରୁ ଆବେଦନ କରିଥିଲା। ସେହି ଆଧାରରେ ତାକୁ କର୍ମଚାରୀ ଯୋଗାଇବା ପାଇଁ ସ୍ବୀକୃତି ଦିଆଯାଇଥିଲା। କିନ୍ତୁ ଯିଏ ଆବେଦନ କରିବ ତାକୁ କ’ଣ ସ୍ବୀକୃତି ଦେଇ ଦିଆଯିବ କି ପ୍ରଶ୍ନରେ ସମ୍ପୃକ୍ତ ଅଧିକାରୀ କିଛି କହି ପାରି ନାହାନ୍ତି।

ସମ୍ବନ୍ଧିତ ଖବର