ବିଏମ୍‌ସିର ଅଜବ ନୀତି: ଭୁବନେଶ୍ୱରରେ ଘର କରିଛ ମାନେ ଭୋଗିବ

ଭୁବନେଶ୍ୱର: ଉନ୍ନୟନ କର୍ତ୍ତୃପକ୍ଷଙ୍କ ବିନା ପ୍ଲାନ୍‌ ଅନୁମୋଦନରେ ବା ନେଇଥିବା ଅନୁମୋଦନ ଠାରୁ ଅଧିକ ଅଞ୍ଚଳରେ ନିର୍ମାଣ କରିଥିଲେ ଏହାକୁ ବେଆଇନ ନିର୍ମାଣ କୁହାଯାଉଛି। ତେଣୁ ଏହି ବେଆଇନ ନିର୍ମାଣକୁ ନିୟମିତ କରିବା ଏବଂ ଘର ନିର୍ମାଣ ପ୍ଲାନ୍‌ ଅନୁମୋଦନ କରିବାକୁ ରାଜ୍ୟ ସରକାର ସର୍ବକ୍ଷମା ଯୋଜନା ଘୋଷଣା କରିଛନ୍ତି। ସର୍ବକ୍ଷମା ଘୋଷଣା ହେବାର ୨୪ଘଣ୍ଟା ନପୂରୁଣୁ ଏବେ ରାଜଧାନୀବାସୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଲାଣି। ରାଜ୍ୟର ୮ଟି କର୍ତ୍ତୃପକ୍ଷଙ୍କ ଅଧୀନରେ ଥିବା ଅଞ୍ଚଳରେ ଆବାସିକ ପ୍ରକଳ୍ପ ପାଇଁ ଗୋଟିଏ ପ୍ରକାରର ଜରିମାନା ଆଦାୟ ହେବାକୁ ଥିବାବେଳେ ବିଡିଏ ଅଧୀନରେ ଥିବା ଅଞ୍ଚଳ ପାଇଁ ଆଉ ଏହାଠାରୁ ଅଧିକ ଜରିମାନା ଆଦାୟ କରିବାକୁ ନିଷ୍ପତ୍ତି ହୋଇଛି। ବିଡିଏ କର୍ତ୍ତୃପକ୍ଷ ଅଧିକ ଜରିମାନା ଆଦାୟ ଟାର୍ଗେଟରେ ଥିବାବେଳେ ରାଜଧାନୀରେ ଘର କରିଥିବା ଲୋକ ପ୍ରମାଦ ଗଣିଲେଣି। ଭୁବନେଶ୍ୱରରେ ଘର କରିଛ ମାନେ ଭୋଗିବ ଭଳି ପରିସ୍ଥିତି ଉପୁଜିଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସର୍ବକ୍ଷମା ଯୋଜନା ଆଣିବା ପୂର୍ବରୁ ମେ’ ମାସରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ପ୍ଲାନିଂ ଏବଂ ବିଲଡିଂ ଷ୍ଟାଣ୍ଡାର୍ଡସ) ରେଗୁଲେସନ୍ସ, ୨୦୧୭କୁ ଲାଗୁ କରାଯାଇଛି। ପୂର୍ବ ନିୟମ ଅନୁଯାୟୀ, ବିଡିଏ ଅଧୀନରେ ଆବାସିକ ଘର ନିର୍ମାଣ ପାଇଁ ବଗର୍ମିଟର ପିଛା ଥିବା କମ୍ପାଉଣ୍ଡିଂ ଫି’ ୧୦୦ଟଙ୍କା ଥିବାବେଳେ ଗତ ମାସରେ ଏହାକୁୁ ୧୫୦ଟଙ୍କାକୁ ବଢ଼ାଇ ଦିଆଯାଇଛି। ଯେତେବେଳେ କି ଅନ୍ୟ ୮ଟି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଞ୍ଚଳରେ ଏହା ବର୍ଗମିଟର ପିଛା’ ୧୦୦ଟଙ୍କା ରହିଛି। ବିଡିଏ ଅଧୀନରେ ଭୁବନେଶ୍ୱର, ଖୋର୍ଦ୍ଧା, ପିପିଲି ଏବଂ ଏହା ଉପକଣ୍ଠରେ ବହୁ ଅଞ୍ଚଳ ଥିବାବେଳେ ଏଠାରେ ବହୁ ଘର ଗଢ଼ି ଉଠିଛି। ଏପରିକି ରାଜଧାନୀରେ ଘର କରିବାକୁ ଆଶା ବାନ୍ଧିଥିବା ଲୋକ ଭୁବନେଶ୍ୱରରେ ଜାଗା ନ ପାଇ ଏହା ଉପକଣ୍ଠରେ କମ୍‌ ଦାମ୍‌ରେ ଜମି କିଣି ଘର କରିଛନ୍ତି। ଅଧିକାଂଶ ବିଡିଏର ନିୟମ ଅନୁଯାୟୀ ଘର ନିର୍ମାଣ କରିଛନ୍ତି। କିନ୍ତୁ ବିଡିଏ କର୍ତ୍ତୃପକ୍ଷଙ୍କ କାରସାଦି ଯୋଗୁଁ ଏବେ ଫସିବାକୁ ଯାଉଛନ୍ତି। ସର୍ବକ୍ଷମା ଆଣିବାକୁ ଯୋଜନା କରି ଉଦ୍ଦେଶ୍ୟମୂଳକ ଭାବେ ବିଡିଏ କର୍ତ୍ତୃପକ୍ଷ କମ୍ପାଉଣ୍ଡିଂ ଫି’ ବଢ଼ାଇଥିବା କୁହାଯାଉଛି। କିନ୍ତୁ ବିଡିଏ କର୍ତ୍ତୃପକ୍ଷଙ୍କ ଯୁକ୍ତି ଯେ, ଭୁବନେଶ୍ୱରରେ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକ ତୁଳନାରେ ଜମି ମୂଲ୍ୟ କମ୍‌ ରହିଛି। ତେଣୁ ଏଠାରେ ଅନ୍ୟମାନଙ୍କ ଅପେକ୍ଷା ଅଧିକ କମ୍ପାଉଣ୍ଡିଂ ଫି’ ଦେଲେ କିଛି ଅସୁବିଧା ନାହିଁ। ଅପରପକ୍ଷେ ସର୍ବକ୍ଷମାରେ ଆବେଦନ କରିବାକୁ ଆଶା ରଖିଥିବା ଘର ମାଲିକମାନେ କହିଛନ୍ତି ଯେ, ରାଜ୍ୟର ଅନ୍ୟ ଉନ୍ନୟନ କର୍ତ୍ତୃପକ୍ଷଙ୍କ ସହରାଞ୍ଚଳରେ ବି ଜମି ଦାମ୍‌ ଭୁବନେଶ୍ୱର ଭଳି ରହିଛି। କେତେକ ସ୍ଥାନରେ ତ ଭୁବନେଶ୍ୱର ଠାରୁ ଅଧିକ ଦାମ୍‌ରେ ଜମି ବିକ୍ରି ହେଉଛି। ରାଜଧାନୀ ଉପକଣ୍ଠରେ ଜମି କିଣିକି ଅନ୍ୟ ସହର ଠାରୁ କାହିଁକି ଅଧିକ ଦାମ୍‌ରେ କମ୍ପାଉଣ୍ଡିଂ ଫି’ ଦେବୁ ବୋଲି ପ୍ରଶ୍ନ କରିଛନ୍ତି। ଯଦି ପ୍ଲାନ୍‌ ଅନୁଯାୟୀ ଘର କରିନଥାନ୍ତୁ ତେବେ ଅଧିକ ଜରିମାନା ଲାଗୁ କରିଥିଲେ ପ୍ରଶ୍ନ ଉଠାଇ ନଥାନ୍ତୁ ବୋଲି କହିଛନ୍ତି।

ସାରା ରାଜ୍ୟରେ ଗୋଟିଏ ପ୍ଲାନିଂ ନିୟମ ଆଣିବାକୁ ଚଳିତବର୍ଷ ନଗର ଉନ୍ନୟନ ବିଭାଗ ପକ୍ଷରୁ ନୂଆ (ପ୍ଲାନିଂ ଏବଂ ବିଲଡିଂ ଷ୍ଟାଣ୍ଡାର୍ଡସ) ରେଗୁଲେସନ୍ସ, ୨୦୧୭ ଲାଗୁ ହୋଇଛି। ସାରା ରାଜ୍ୟରେ ଗୋଟିଏ ପ୍ରକାରର ନିୟମ କରାଯାଇଛି ବୋଲି ସରକାର କହୁଥିବାବେଳେ ବିଡିଏରେ ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇବା ପାଇଁ କାହିଁକି ଷଡ୍‌ଯନ୍ତ୍ର କରାଯାଇଥିବା ଅଭିଯୋଗ ହୋଇଛି। ଯଦି ବିଡିଏ ପାଇଁ ଅଲଗା ନିୟମ ହେଉଥିଲା ତେବେ ଅନ୍ୟ ସବୁ କ୍ୟାଟେଗୋରିରେ କାହିଁକି କମ୍ପାଉଣ୍ଡିଂ ଫି’ ବଢ଼ାଗଲାନି ବୋଲି ପ୍ରଶ୍ନ ଉଠିଛି। ଏପରିକି ବିଡିଏ ଅଧୀନରେ ସରକାରୀ କାର୍ଯ୍ୟାଳୟଗୁଡ଼ିକର କମ୍ପାଉଣ୍ଡିଂ ଫି’ ବଢ଼ାଯାଇ ନଥିବାବେଳେ ସାଧାରଣ ଲୋକଙ୍କୁ ଲୁଟିବାକୁ ଯୋଜନା ହୋଇଛି।

 ୮ ଉନ୍ନୟନ କର୍ତ୍ତୃପକ୍ଷଙ୍କ ପାଇଁ ଗୋଟେ ନିୟମ, ବିଡିଏ ପାଇଁ ଆଉ ଗୋଟେ, ଗୋଟିକିଆ ଘର ପାଇଁ ଥିବା କମ୍ପାଉଣ୍ଡିଂ ଫି’ କମାଇବାକୁ ଦାବି

ଅଧିକ ନିର୍ମାଣ କ୍ଷେତ୍ରରେ ବି ରାଜଧାନୀବାସୀଙ୍କ ଉପରେ ରୋକ୍‌

କେବଳ ଏତିକି ନୁହେଁ ଅନ୍ୟ ସମୟରେ ବି ଯଦି ପ୍ଲାନ୍‌ ଅନୁମୋଦନଠାରୁ ଅଧିକ ନିର୍ମାଣ କରିଥିବ ତେବେ ଏହାକୁ ଅନୁମୋଦିତ କରିବାର ନିୟମ ବି ହୋଇଛି। ଏଥିରେ ବି ରାଜଧାନୀବାସୀଙ୍କୁ ହଇରାଣ କରିବାକୁ ଏବଂ ଲୁଟିବାକୁ ଯୋଜନା ହୋଇଛି। ବିଡିଏ ଅଧୀନରେ ଅନୁମୋଦିତ ପ୍ଲାନ୍‌ଠାରୁ ୧୦% ଅଧିକ ନିର୍ମାଣ କରିଥିଲେ ଯେକୌଣସି ସମୟରେ ଜରିମାନା ଦେଇ ପ୍ଲାନ୍‌ ଅନୁମୋଦନ କରିହେବ। ଯେତେବେଳେ କି କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ଏହାକୁ ୨୦% ରଖାଯାଇଛି। ରାଜ୍ୟର ବାକି ୭ଟି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଞ୍ଚଳରେ ଏହା ୨୫% ଅଧିକ ରଖାଯାଇଛି। ଭୁବନେଶ୍ୱରରେ ଘର କରୁଥିବା ଲୋକଙ୍କ ପାଇଁ ବିଡିଏର କାହିଁକି ଅସୂୟା ମନୋଭାବ ବୋଲି ଲୋକ କହିଲେଣି। ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଅନ୍ୟ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ବିଡିଏର କମ୍ପାଉଣ୍ଡିଂ ଫି’ ମୂଲ୍ୟ ଅଧିକ ରହିଛି। ପ୍ଲାନ୍‌ ଅନୁମୋଦନଠାରୁ କେତେ ଅଧିକ ନିର୍ମାଣ କଲେ କୋହଳ କରାଯିବ ତାହା କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି। ତେଣୁ ବିଡିଏ କର୍ତ୍ତୃପକ୍ଷ ଯେଉଁ ଅନୁଯାୟୀ ପ୍ରସ୍ତାବ ଦେଲେ ତାହାକୁ ଆମେ ଗେଜେଟ୍‌ ବିଜ୍ଞପ୍ତିରେ ପ୍ରକାଶ କରିଛୁ।

ସର୍ବକ୍ଷମାକୁ ନେଇ ବିବାଦ ତେଜିଲାଣି

ସର୍ବକ୍ଷମା ଯୋଜନାରେ କ୍ଲିନିକ୍‌ ଏବଂ ହସ୍ପିଟାଲ ସଂସ୍ଥାଗୁଡ଼ିକ ପ୍ରତି କିଛି ମାତ୍ରାରେ କୋହଳ ମନୋଭାବ ପରିବେଷଣ କରାଯାଇଛି। ଏପରିକି କ୍ଲିନିକ୍‌ ଏବଂ ହସ୍ପିଟାଲ ସଂସ୍ଥାଗୁଡ଼ିକ ପାଇଁ ଏହି ଯୋଜନାରେ ସ୍ୱତନ୍ତ୍ର କ୍ୟାଟେଗୋରି କରାଯାଇଛି।  ଏନେଇ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି ବିବାଦ ଆରମ୍ଭ ହୋଇଛି। ହୋଟେଲ ଓ ରେଷ୍ଟୁରାଣ୍ଟ ଆସୋସିଏସନ୍‌ ଯୁକ୍ତି ବାଢ଼ିଛି ଯେ, ଆମ ପାଇଁ ବି କୋହଳ ନୀତି ଆପଣାଯାଉ। ଆମେ ବି ବୃହତ୍ତର ସ୍ୱାର୍ଥ ଦୃଷ୍ଟିକୁ ନଜରରେ ରଖି କାର୍ଯ୍ୟ କରୁଛୁ। ଯେଉଁ ହୋଟେଲ ଓ ରେଷ୍ଟୁରାଣ୍ଟ ଅନୁମୋଦିତ ପ୍ଲାନ୍‌ଠାରୁ ଅଧିକ ନିର୍ମାଣ କରିଛନ୍ତି ତାଙ୍କ ପାଇଁ କୋହଳ ନୀତି ଆପଣାଯାଉ ବୋଲି ଦାବି କରିଛନ୍ତି। ହୋଟେଲ ଓ ରେଷ୍ଟୁରାଣ୍ଟ ଆସୋସିଏସନ୍‌ ଏନେଇ ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବଙ୍କୁ ଭେଟି ଅଭିଯୋଗ କରିବା ପରେ ସଚିବ ଶୁକ୍ରବାର ଏକ ଜରୁରୀ ବୈଠକ ଡାକିଛନ୍ତି। ଏଥିରେ ହୋଟେଲ ଓ ରେଷ୍ଟୁରାଣ୍ଟ ଆସୋସିଏସନ୍‌ ଏବଂ ବିଡିଏ କର୍ତ୍ତୃପକ୍ଷଙ୍କୁ ଆଲୋଚନା କରି କିଛି ନିଷ୍କର୍ସ ବାହାର କରିବାକୁ ଡକାଯାଇଛି। ଅପରପକ୍ଷେ ହୋଟେଲ ଓ ରେଷ୍ଟୁରାଣ୍ଟ ଆସୋସିଏସନ୍‌ ସର୍ବକ୍ଷମା ବିଜ୍ଞପ୍ତି ପରେ କେଁ ବାହାର କରିବା ପରେ ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ, ବିଭିନ୍ନ ଘରୋଇ କଲେଜ ସଂଘ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେମାନଙ୍କ ପାଇଁ ସ୍ୱତନ୍ତ୍ର ନିୟମ ଆଣିବାକୁ ଦାବି କରିବାକୁ ସଜବାଜ ହେଲେଣି।

କ’ଣ ହୋଇଛି ନିୟମ

ରାଜ୍ୟରେ ଥିବା ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ସ୍ଥିରୀକୃତ ପ୍ଲାନିଂ ଆଣ୍ଡ ବିଲ୍‌ଡିଂ ଷ୍ଟାଣ୍ଡାର୍ଡସ ରେଗୁଲେସନ୍ସ ଅଧୀନରେ ଥିବା ନିୟମାବଳୀ ଅନୁସାରେ ନୂତନ ଭାବେ ପ୍ରଣୟନ କରାଯାଇଥିବା ‘ବେଆଇନ ନିର୍ମାଣକୁ ନିୟମିତ କରିବା ଯୋଜନା -୨୦୧୮’ରେ ସର୍ବକ୍ଷମା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ବିଡିଏ/ବିଏମ୍‌ସିରୁ ପ୍ଲାନ୍‌ ଅନୁମୋଦନ କରି ଘର ନିର୍ମାଣ  କରିଥିଲେ (ନିୟମ ଅନୁଯାୟୀ ନିର୍ମାଣ ହୋଇଥିଲେ) ଗୋଟିକିଆ ଘର ପାଇଁ ବର୍ଗମିଟର ପିଛା କମ୍ପାଉଣ୍ଡିଂ ଫି’ ୧୫୦ଟଙ୍କା, ସରକାରୀ କାର୍ଯ୍ୟାଳୟ ହୋଇଥିଲେ ୨୫ଟଙ୍କା ଏବଂ ଅନ୍ୟାନ୍ୟ ଗୃହ (ଆପାର୍ଟମେଣ୍ଟ, ଉଚ୍ଚଅଟ୍ଟାଳିକା) ହୋଇଥିଲେ ୩୦୦ଟଙ୍କା ଦେବାକୁ ହେବ। ବିଡିଏ/ବିଏମ୍‌ସିରୁ ପ୍ଲାନ୍‌ ନନେଇ ନିର୍ମାଣ କରିଥିଲେ  ଯଥାକ୍ରମେ ୨୫୦, ୨୫ ଓ ୫୦୦ଟଙ୍କା, ଅନୁମୋଦିତ ପ୍ଲାନ୍‌ଠାରୁ ୫% ଅଧିକ ନିର୍ମାଣ କରିଥିଲେ ଯଥାକ୍ରମେ ୧୦୦୦, ୧୦୦ ଏବଂ ୨୦୦୦ଟଙ୍କା, ୫%ରୁ ୧୦% ମଧ୍ୟରେ ନିର୍ମାଣ କରିଥିଲେ ଯଥାକ୍ରମେ ୨୦୦୦, ୨୦୦ ଏବଂ ୫୦୦୦ଟଙ୍କା ବର୍ଗମିଟର ପିଛା ଦେବାକୁ ପଡ଼ିବ। ୧୦%ରୁ ଅଧିକ ନିର୍ମାଣ କରିଥିଲେ ମହାନଗର ନିଗମ ପାଇଁ ୧.୪ଗୁଣା, ମ୍ୟୁନିସପାଲଟି ପାଇଁ ୧.୩ଗୁଣା, ଏନ୍‌ଏସି ପାଇଁ ୧.୨ଗୁଣା ଏବଂ ଗ୍ରାମାଞ୍ଚଳ ପାଇଁ ୧.୧ଗୁଣା ଦେବାକୁ ପଡ଼ିବ। ଏହା ୫%ରୁ ୧୦% ମଧ୍ୟରେ ଅଧିକ ନିର୍ମାଣ ପାଇଁ ଥିବା କମ୍ପାଉଣ୍ଡିଂ ଫି’ ଉପରେ ଲାଗୁ ହେବ।

ସମ୍ବନ୍ଧିତ ଖବର