ମାର୍କେଟ୍‌ ଆସୋସିଏସନ୍‌କୁ ବୁଝାଇଲା ବିଏମ୍‌ସି; କଟକଣା ନମାନିଲେ ୫ ହଜାର ପର୍ଯ୍ୟନ୍ତ ଜରିମାନା, ଦୋକାନ ସିଲ୍‌ ହେବ

ଭଲ ପରିଚାଳନା କରୁଥିବା ଆସୋସିଏସନ୍‌କୁ ପୁରସ୍କୃତ କରାଯିବ

ଭୁବନେଶ୍ୱର: ବିଭିନ୍ନ ହାଟ ବଜାରରେ ବ୍ୟବସାୟୀମାନେ ସାମାଜିକ ଦୂରତା ମାନୁନଥିବାରୁ ଏବଂ ଅସମ୍ଭାଳ ଗହଳି ହେଉଥିବାରୁ ବିଏମ୍‌ସି ପକ୍ଷରୁ ବାପୁଜୀ ନଗର, ମାର୍କେଟ୍‌ ବିଲ୍‌ଡିଂ, ୟୁନିଟ-୪ ମାର୍କେଟ୍‌ ଆଦି ସିଲ୍‌ କରାଯାଇଥିଲା। ଏହାପରେ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ସବୁ ହାଟ, ବଜାର ଖୋଲୁଥିବାରୁ ବିଏମ୍‌ସି କର୍ତ୍ତୃପକ୍ଷ ଆଜି ବିଭିନ୍ନ ମାର୍କେଟ୍ ଆସୋସିଏସନ୍‌କୁ ଡାକି ଆଲୋଚନା କରିଛନ୍ତି।

ଭୁବନେଶ୍ବର ପର୍ଯ୍ୟବେକ୍ଷକ ଅନୁ ଗର୍ଗ, ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଏବଂ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ମାର୍କେଟ୍ ଆସୋସିଏସନ୍‌ଗୁଡ଼ିକୁ ବୁଝାଇବା ସହ କହିଛନ୍ତି ଯେ, ଯଦି କରୋନା କଟକଣା ନିୟମ ଉଲ୍ଲଂଘନ କରାଯାଏ ତେବେ ୫ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ସହ ଦୋକାନ ସିଲ୍‌ କରାଯିବ। ବ୍ୟବସାୟୀମାନେ ଯେପରି ଦୋକାନ ଓ ଏହା ନିକଟବର୍ତ୍ତୀ ଅଞ୍ଚଳକୁ ପରିଷ୍କାର ରଖିବେ, ପ୍ରତ୍ୟେକ ସାମଗ୍ରୀକୁ ପ୍ୟାକିଂ କରି‌ ଦେବେ, ଅନଲାଇନ୍ କାରବାରକୁ ପ୍ରାଧାନ୍ୟ ଦେବେ ସେନେଇ ବୁଝାଯାଇଥିଲା।

ବିଏମ୍‌ସି ଓ କମିସନେରଟ୍ ପୁଲିସ ପକ୍ଷରୁ ସମସ୍ତ ହାଟ ବଜାର ପରିଦର୍ଶନ କରି କୋଭିଡ୍‌ କଟକଣା କଡ଼ାକଡ଼ି ପାଳନ ହେଉଛି ନା ନାହିଁ ଯାଞ୍ଚ କରାଯିବ। ଯେଉଁଠି ନିୟମ ଉଲ୍ଲଂଘନ ହେଉଥିବ ସେଠାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

ଯେଉଁ ଲୋକ ମାସ୍କ ପିନ୍ଧି ନଥିବେ ସେମାନଙ୍କୁ କୌଣସି ସାମଗ୍ରୀ ଦେବେନି। ଏହାବାଦ୍ ସବୁ ଦୋକାନ ଆଗରେ ୬ମିଟର ଦୂରତାରେ ବୃତ୍ତାକାର ଚିହ୍ନ ଅଙ୍କାଯିବ। ଏହାସହ ମାର୍କେଟ୍‌ ଆସୋସିଏସନଗୁଡ଼ିକ ମଧ୍ୟରେ ଏକ ପ୍ରତିଯୋଗିତା ହେବ। ଯିଏ ନିୟମ କଡ଼ାକଡ଼ି ପାଳନ କରୁଥିବେ, ଲୋକଙ୍କୁ ଅଧିକ ସଚେତନ କରୁଥିବେ ସେମାନଙ୍କୁ ପୁରସ୍କୃତ କରାଯିବ।

ସମ୍ବନ୍ଧିତ ଖବର