ଟାଉନ୍‌ ଭେଣ୍ଡିଂ କମିଟିକୁ ନେଇ ଅଡ଼ୁଆରେ ବିଏମ୍‌ସି

୧୪ ଜଣଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

ଭୁବନେଶ୍ବର: ଉଠାଦୋକାନୀଙ୍କୁ ଥଇଥାନ ତଥା ସେମାନଙ୍କର ସମସ୍ୟା ସମାଧାନ କରିବାକୁ ତିଆରି ହୋଇଥିବା ଟାଉନ୍‌ ଭେଣ୍ଡିଂ କମିଟିକୁ ନେଇ ବିଏମ୍‌ସି ଅଡ଼ୁଆରେ ପଡ଼ିଛି। କେନ୍ଦ୍ରୀୟ ଉଠାଦୋକାନୀ ଆଇନ ‘ଦି ଷ୍ଟ୍ରିଟ ଭେଣ୍ଡର୍ସ (ପ୍ରୋଟେକ୍ସନ ଅଫ୍‌ ଲାଇଭିଲ୍‌ହୁଡ୍‌ ଆଣ୍ଡ ରେଗୁଲେସନ ଅଫ୍ ଷ୍ଟ୍ରିଟ ଭେଣ୍ଡିଂ) ଆକ୍ଟ- ୨୦୧୪ରେ ଏହି କମିଟିକୁ ନିର୍ବାଚନ ଜରିଆରେ ପ୍ରତିନିଧି ବାଛିବାକୁ ନିୟମ ଥିବା ବେଳେ ବିଏମ୍‌ସି ରାଜ୍ୟ ସରକାରଙ୍କ ଆଇନ ଅନୁସାରେ ସଦସ୍ୟମାନଙ୍କୁ ମନୋନୀତ କରିଥିବାରୁ ହାଇକୋର୍ଟ କମିଟିର ସମସ୍ତ ସଦସ୍ୟଙ୍କ ସମେତ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ନୋଟିସ୍‌ ଜାରି କରିଛନ୍ତି। କାହିଁକି କେନ୍ଦ୍ରୀୟ ଆଇନ ଉଲ୍ଲଂଘନ ହେଲା ସେନେଇ ଉତ୍ତର ରଖିବାକୁ କୁହାଯାଇଛି।

ଗତ ଜୁନ୍‌ ୨୨ ତାରିଖରେ ବିଏମ୍‌ସି ଅତିରିକ୍ତ କମିସନର ଏହି ଟାଉନ୍‌ ଭେଣ୍ଡିଂ କମିଟି ଗଠନ କରିଥିଲେ। କମିସନରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟିରେ ୧୧ ଜଣ ସଦସ୍ୟ ରହିଥିଲେ। ଭୁବନେଶ୍ବର ଡିସିପି, ବିଏମ୍‌ସି ପ୍ଲାନର, ଖୋର୍ଦ୍ଧା ଜିଲ୍ଲା ଲିଡ୍‌ ବ୍ୟାଙ୍କ୍‌ ମ୍ୟାନେଜରଙ୍କ ସମେତ ୱାର୍ଡ ନମ୍ବର ୧୨ କର୍ପୋରେଟର ଜୟନ୍ତୀ ସାହୁ, କଳିଙ୍ଗନଗର ରେସିଡେନ୍‌ସିଆଲ ଆସୋସିଏସନ ସଭାପତି ସୁଶାନ୍ତ ଦାସ, ୟୁନିଟ୍‌-୧ ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ ସଭାପତି ଗୟାଧର ସ୍ବାଇଁ, ଏନ୍‌ଜିଓ ସିଏଫ୍‌ଏଆର ସଦସ୍ୟ, ଆଇଆରସି ଗଜଲକ୍ଷ୍ମୀ ଭେଣ୍ଡିଂ ଜୋନ୍‌ର ମନୋଜ ସ୍ବାଇଁ, ୟୁନିଟ୍‌-୯ ଗଜଲକ୍ଷ୍ମୀ ଭେଣ୍ଡିଂ ଜୋନ୍‌ର ସନ୍ଧ୍ୟା ସେଠୀ, ସିଆରପି ଛକ ଲୋକନାଥ ଭେଣ୍ଡିଂ ଜୋନ୍‌ର ବିଜୟ ଦାସ ଓ ସ୍ମାର୍ଟ ଜନପଥ ବ୍ୟବସାୟୀ ଧୀରେନ୍ଦ୍ର ସ୍ବାଇଁ ରହିଥିଲେ।

କେନ୍ଦ୍ରୀୟ ଉଠାଦୋକାନୀ ଆଇନରେ ‘ଦି ଷ୍ଟ୍ରିଟ ଭେଣ୍ଡର୍ସ (ପ୍ରୋଟେକ୍ସନ ଅଫ ଲାଇଭିଲ୍‌ହୁଡ୍‌ ଆଣ୍ଡ ରେଗୁଲେସନ ଅଫ୍ ଷ୍ଟ୍ରିଟ ଭେଣ୍ଡିଂ) ଆକ୍ଟ- ୨୦୧୪ର ରୁଲ୍‌-୭ରେ କୁହାଯାଇଛି ଯେ, ଟାଉନ ଭେଣ୍ଡିଂ କମିଟିରେ ୪୦ ପ୍ରତିଶତ ଉଠାଦୋକାନୀ ପ୍ରତିନିଧି ରହିବେ ଏବଂ ସେମାନେ ନିର୍ବାଚିତ ହେବେ। ରାଜ୍ୟ ସରକାରଙ୍କ ଉଠା ଦୋକାନୀ ରୁଲ୍‌ରେ ମାତ୍ର ୪ଜଣ ପ୍ରତିନିଧି ରହିବେ ଓ ସେମାନେ ମନୋନୀତ ହେବେ। ଏଣୁ କେନ୍ଦ୍ରୀୟ ଆଇନକୁ ଉପେକ୍ଷା କରି ବିଏମ୍‌ସି କମିଟିକୁ ପ୍ରତିନିଧିମାନଙ୍କୁ ମନୋନୀତ କରିଥିବାରୁ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂ ଜୋନ ସୁରକ୍ଷା ଟ୍ରଷ୍ଟର ସାଧାରଣ ସମ୍ପାଦକ ଅନୁଜ କୁମାର ପ୍ରଧାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କମିଟିକୁ ତୁରନ୍ତ ଭାଙ୍ଗି କେନ୍ଦ୍ରୀୟ ଆଇନ ଆଧାରରେ ନୂଆ କମିଟି ଗଠନ କରିବାକୁ ପ୍ରାର୍ଥନା କରିଥିଲେ। ହାଇକୋର୍ଟ ଡିଭିଜନ ବେଞ୍ଚ ଜଷ୍ଟିସ ବିଶ୍ବଜିତ ମହାନ୍ତି ଓ ଜଷ୍ଟିସ ସାବିତ୍ରୀ ରଥ ଏହି ପିଟିସନର ବିଚାର କରି ୧୪ଜଣଙ୍କୁ ନୋଟିସ ଜାରି କରିଛନ୍ତି। ସରକାରଙ୍କ ତରଫରୁ ଆଡ୍‌ଭୋକେଟ ନିରଞ୍ଜନ ପଣ୍ଡା ମାମଲା ପରିଚାଳନା କରିଥିବା ବେଳେ ଟ୍ରଷ୍ଟ ତରଫରୁ ଆଡ୍‌ଭୋକେଟ ରାମଦାସ ଆଚାର୍ଯ୍ୟ, ଆଡ୍‌ଭୋକେଟ ଦେବୀଦତ୍ତ ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର