ଚନ୍ଦ୍ରଶେଖରପୁର: ରାଜଧାନୀରେ ଦ୍ରୁତଗତିରେ ମାଡ଼ି ଚାଲିଛି ଡେଙ୍ଗୁ। ପ୍ରତିଦିନ ସହରରୁ ୨୦ରୁ ୩୦ ଜଣ ଆକ୍ରାନ୍ତ ବାହାରୁ ଥିବାବେଳେ ଗତକାଲି ଶୈଳଶ୍ରୀ ବିହାର ଅଞ୍ଚଳର ଜଣେ ନାବାଳିକାଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଛି। ଏ ନେଇ ଖବର ପ୍ରକାଶ ପରେ ରାଜଧାନୀରେ କୋକୁଆ ଭୟ ଖେଳିଯାଇଛି। ପ୍ରଶାସନ ସମେତ ରାଜନୈତିକ ଦଳଗୁଡ଼ିକ ମଧ୍ୟ ହଠାତ୍‌ ତତ୍ପର ହୋଇ ଉଠିଛନ୍ତି। ଘରୋଇ ଲ୍ୟାବ୍‌ରେ କରାଯାଇଥିବା ନାବାଳିକାଙ୍କ ଡେଙ୍ଗୁ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି। କିନ୍ତୁ ନିଜ ଅପାରଗତା ପଦାରେ ପଡ଼ିଯିବା ଆଶଙ୍କାରେ ନାବାଳିକା ଜଣକ ଡେଙ୍ଗୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା କଥାକୁ ସ୍ବୀକାର କରୁନି ବିଏମ୍‌ସି। ଆଶ୍ଚର୍ଯ୍ୟଜନକ ଭାବେ ମୃତ ନାବାଳିକାର ବାପା ମଧ୍ୟ ବଦନାମ ହେବା ଭୟରେ ଝିଅକୁ ଡେଙ୍ଗୁ ହୋଇଥିବା ମାନୁନାହାନ୍ତି।

Advertisment

ଆଜି ଭୁବନେଶ୍ବର ମହାନଗର ନିଗମର ଅତିରିକ୍ତ ସହରାଞ୍ଚଳ ଜନସ୍ବାସ୍ଥ୍ୟ ଅଧିକାରୀ (ଏଡିୟୁପିଏଚ୍‌) ଡ. ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ନିର୍ଦେଶକ୍ରମେ ବିଏମ୍‌ସିର ଏକ ତିନି ଜଣିଆ ଟିମ୍‌ ମୃତ ନାବାଳିକାଙ୍କ ଘରକୁ ଯାଇ ତନାଘନା କରି ଫେରିଛନ୍ତି। ଟିମ୍‌ର ସଦସ୍ୟମାନେ ବିଏମସିକୁ ପ୍ରାରମ୍ଭିକ ରିପୋର୍ଟ ପ୍ରଦାନ କରିଥିବା ବେଳେ ବୁଧବାର ଆଉ ଏକ ଟିମ୍‌ ଏହି ଅଞ୍ଚଳକୁ ଗସ୍ତ କରିବ ‌ବୋଲି ଜଣାପଡ଼ିଛି। ଖୋର୍ଧା ଜିଲ୍ଲାରେ ଥିବା କୀଟବାହିତ ରୋଗ(ଭେକ୍ଟର ବର୍ଣ୍ଣ ଡିଜିଜ୍‌)ର ବିଶେଷଜ୍ଞ ଟିମ୍‌ ନାବାଳିକାଙ୍କ ଘରକୁ ଯାଇ ତଦନ୍ତ କରିବା ସହ ଡେଙ୍ଗୁ ପରୀକ୍ଷା ହୋଇଥିବା ଘରୋଇ ଡାଇଗ୍ନୋଷ୍ଟିକ୍‌ ସେଣ୍ଟରରେ ତନାଘନା କରିବ ବୋଲି ଜଣାପଡ଼ିଛି।

ମୃତ ନାବାଳିକାଙ୍କୁ ଡେଙ୍ଗୁ ହୋଇଥିବା ନେଇ ୨୫ ତାରିଖ ପରୀକ୍ଷା ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ହୋଇଥିଲେ ମଧ୍ୟ ପରିବାର ଲୋକେ ଆଜି ଏହା ଲୁଚାଇବାକୁ ସବୁ ପ୍ରକାର ଉଦ୍ୟମ କରିଛନ୍ତି। ତାଙ୍କ ବାପା ହୃଦଘାତରେ ଝିଅର ମୃତ୍ୟୁ ହୋଇଛି ବୋଲି ‘ସମ୍ବାଦ’କୁ କହିଛନ୍ତି। ତାଙ୍କ ପଡ଼ୋଶୀଙ୍କ କହିବା କଥା ହେଉଛି; କେଉଁ କାରଣ ପାଇଁ ନାବାଳିକାର ମୃତ୍ୟୁ ହୋଇଛି ଆମେ ଜାଣିନୁ। ତେବେ କଲୋନିରେ ସମସ୍ତଙ୍କ ଘରେ ଜଣେ/ଦୁଇଜଣ ଇତିମଧ୍ୟରେ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ଦୁଇ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ବାକି ଘ‌େରେ ରହି ଚିକିତ୍ସିତ ହେଉଛନ୍ତି। କେବଳ ଯେ ନାବାଳିକାଙ୍କ ବାପା ଡେଙ୍ଗୁଜନିତ ମୃତ୍ୟୁକୁ ଲୁଚାଉଛନ୍ତି ତାହା ନୁହେଁ; ପ୍ରଶାସନ ବି ତଥ୍ୟ ଲୁଚାଇବାକୁ ଲାଗିପଡ଼ିଛି।

ଇନ୍‌ଫୋସିଟି ଥାନା ଅଧୀନ ଏକ ଘରୋଇ ହସ୍ପିଟାଲରେ ସୋମବାର ଭୋରରୁ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଖବର ପାଇବା ପରେ ପୁଲିସ ସେଠାରେ ପହଞ୍ଚିଥିଲା। ତେବେ ଏ ବାବଦରେ ଇନ୍‌ଫୋସିଟି ଥାନା ପକ୍ଷରୁ କୌଣସି ସୂଚନା ଦିଆଯାଇ ନ ଥିଲା। ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ମଙ୍ଗଳବାର ପୂର୍ବାହ୍ନ ପର୍ଯ୍ୟନ୍ତ ବିଏମ୍‌ସି ନିକଟ‌ରେ ମଧ୍ୟରେ ଏ ନେଇ କିଛି ବି ଖବର ନ ଥିଲା। ଡେଙ୍ଗୁରେ ନାବାଳିକାଙ୍କ ମୃତ୍ୟୁ ହେବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ବିଏମ୍‌ସି କମିସନର ସଞ୍ଜୟ କୁମାର ସିଂ କହିଥିଲେ ଯେ ଡେଙ୍ଗୁ ମତ୍ୟୁ ନେଇ ଆମ ପାଖରେ କୌଣସି ଖବର ନାହିଁ। ଆମର ପ୍ରତିଦିନ ସର୍ଭେଲାନ୍ସ ଚାଲିଛି। ଗତକାଲି ସୁଦ୍ଧା ବିଏମସି ୪୫୦ରୁ ଅଧିକ ଘର ସର୍ଭେଲାନ୍ସ କରିଛି। ରାଜଧାନୀରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୯୧ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରୁ ଭୁବନେଶ୍ବର ଉତ୍ତର ଜୋନ୍‌ରୁ ୫୬ ଡେଙ୍ଗୁ ରୋଗୀ ଅଛନ୍ତି। ୱାର୍ଡ ନମ୍ବର ୧୪, ୧୭, ୭, ୪୨ରେ ଅଧିକ ଡେଙ୍ଗୁ ରୋଗୀ ରହିଛନ୍ତି। ଡେଙ୍ଗୁରେ ରୋଗୀ ମରିବା ନେଇ ଆଜି ସକାଳୁ ଖବର ପାଇବା ପରେ ଆମର ଗୋଟିଏ ଟିମ୍ ତାଙ୍କ ଘରକୁ ଯାଇ ପରିବାର ଲୋକଙ୍କ ସହ କଥା ହୋଇଛନ୍ତି। ମୃତକ ଟେଷ୍ଟ କେଉଁଠି କରିଥିଲେ, କିଛି ହେଲଥ୍‌ ଇସ୍ୟୁ ରହିଛି କି ନାହିଁ, ଏସବୁ ଯାଞ୍ଚ ଚାଲିଛି। ଡେଙ୍ଗୁ ମୃତ୍ୟୁ ନେଇ ସନ୍ଧ୍ୟା ସୁଦ୍ଧା ଆମେ ସ୍ପଷ୍ଟ କରିବୁ ବୋଲି ସେ ଗଣମାଧ୍ୟମକୁ କହିଥିଲେ।

ତେବେ ଆଜି ସନ୍ଧ୍ୟା ସୁଦ୍ଧା ବିଏମ୍‌ସି ପକ୍ଷରୁ ଏ ସମ୍ପର୍କରେ କୌଣସି ରିପୋର୍ଟ ଦିଆଯାଇ ନାହିଁ। ବରଂ ରାଜଧାନୀରେ ଆଜି ଆଉ ୩୦ ଜଣ ଡେଙ୍ଗୁରେ ଆକ୍ରାନ୍ତ ‌ହୋଇଥିବା ତଥ୍ୟ ଦିଆଯାଇଛି। ଏଥିସହ ସହରରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୪୨୧ରେ ପହଞ୍ଚିଛି। ଜନସ୍ବାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ପୂର୍ବାହ୍ନରେ ଗଣମାଧ୍ୟମକୁ କହିଛନ୍ତି ଯେ ଗତକାଲି ସୁଦ୍ଧା ଭୁବନେଶ୍ବରରେ ୨୭୬ ଜଣ ଆକ୍ରାନ୍ତ ହୋଇଛନ୍ତି। ଗତମାସ ୩୦ ତାରିଖଠାରୁ ଭୁବନେଶ୍ବରରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ବର୍ତମାନ ପ୍ରତିଦିନ ୧୫ରୁ ୨୦ ଜଣ ଚିହ୍ନଟ ହେଉଛନ୍ତି। ସେଥିପାଇଁ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଏବେ ସଂକ୍ରମଣ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ତାହାକୁ ନିୟନ୍ତ୍ରଣ କରାଯାଇପାରିବ। ମୃତ ନାବାଳିକାଙ୍କ ଡେଙ୍ଗୁ ପରୀକ୍ଷା ଘରୋଇ ହସ୍ପିଟାଲରେ ହୋଇଥିବ। ତେଣୁ ଆମ ପାଖକୁ କୌଣସି ରିପୋର୍ଟ ଆସି ନାହିଁ।

ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତ ୫୦୦ ମୁହାଁ
ଚନ୍ଦ୍ରଶେଖରପୁର: କରୋନା ପରି ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ଏବେ ଉପରମୁହାଁ। ପ୍ରତିଦିନ ୩୦ରୁ ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯେଉଁଥିପାଇଁ ୨୦ ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ମୁହାଁ ହେଲାଣି। ଗତକାଲି ସୁଦ୍ଧା ୩୯୧ ଜଣ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ସହରରେ ମୋଟ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୪୨୧ରେ ପହଞ୍ଚିଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି। ତେବେ ବେସରକାରୀ ଭାବେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଉଛି। ବିଏମ୍‌ସି ତଥ୍ୟ ଅନୁଯାୟୀ ଏବେ ୭, ୧୪ ଓ ୮ ନମ୍ବର ୱାର୍ଡ ହଟ୍‌ସ୍ପଟ୍‌ ପାଲଟିଛି। ଏବେ ସୁଦ୍ଧା ୪୯୦୧ଟି ପରିବାର ୨୦ ହଜାର ୩୫୦ ଲୋକଙ୍କ ସର୍ଭେ କରାଯାଇଛି। ୪୬୯ଟି ସ୍ଥାନରୁ ଲାର୍ଭା ଚିହ୍ନଟ ହୋଇଛି। ମଶା ବଂଶ ବୃଦ୍ଧି ଆଶଙ୍କା ଥିବା ୧୧୩୪ଟି ସ୍ଥାନକୁ ନଷ୍ଟ କରାଯାଇଛି। ୭ ଓ ୧୪ ନମ୍ବର ୱାର୍ଡରେ ମଶା ଧୂଆଁ ଛାଡ଼ିବା ଲାଗି ଅଧିକ ଗାଡ଼ି ନିୟୋଜିତ କରାଯାଇଛି। ୨୪ ଘଣ୍ଟିଆ ସଫେଇ ଉପରେ ଗୁରୁତ୍ବ ଦେବାକୁ ୱାର୍ଡ ଅଧିକାରୀଙ୍କୁ କୁହାଯାଇଛି।