ବରମୁଣ୍ଡା ଗାଁ’ରେ ଅଳିଆ ଉଠୁନି, ଦୁର୍ଗନ୍ଧରେ ଚାଲି ହେଉନି

ଭୁବନେଶ୍ବର: ରାସ୍ତା କଡ଼ ପାଲଟିଛି ଖୋଲା ଡମ୍ପିଂ। ଗଦା ହେଉଛି କୁଢ଼କୁଢ଼ ଅଳିଆ। ଅଥଚ ସପ୍ତାହେ ପରେ ବି ସଫା କରିବାକୁ ବିଏମ୍‌ସି ସଫେଇ କର୍ମଚାରୀଙ୍କ ପାଦ ପଡ଼ୁନାହିଁ। ବରମୁଣ୍ଡା ଗାଁ’ରେ ଏତାଦୃଶ ସମସ୍ୟା ଯୋଗୁ ବାଟ ଚାଲିବା ବେଳେ ବି ନାକରେ ହାତ ଦେବାକୁ ପଡ଼ୁଛି। ବିଶେଷକରି ବରମୁଣ୍ଡା ବାରିକଘର ଛକରେ ନାଳର ମଇଳା ପାଣି ରାସ୍ତାକୁ ଉଠି ଆସିଥିବା ବେଳେ ତା’ ଉପରେ ଅଳିଆ, ପେଜ, ଭାତ ପଡ଼ୁଥିବାରୁ ଅସହ୍ୟ ଦୁର୍ଗନ୍ଧ ବାହାରୁଛି। ଛୋଟିଆ ଡଷ୍ଟବିନ୍‌ ରଖାଯାଇଥିବାରୁ ତାହା ଦିନକରେ ପୂର୍ଣ୍ଣ ହୋଇଯାଉଛି। ମାତ୍ର ଡଷ୍ଟବିନ୍‌ ଖାଲି କରାଯାଉନି କି ସମ୍ପୃକ୍ତ ଅଳିଆ ସ୍ଥାନକୁ ବିଏମ୍‌ସିର ସଫେଇ କର୍ମଚାରୀମାନେ ସମ୍ପୂର୍ଣ୍ଣ ପରିଷ୍କାର କରୁନାହାନ୍ତି। ଦିନ ଦିନ ଧରି ଅଳିଆ ଜମା ରହୁଥିବାରୁ ସ୍ଥାନୀୟ ବାସିନ୍ଦା ଚଳପ୍ରଚଳ କରିବା ଅସହ୍ୟ ହୋଇପଡ଼ିଛି।

ମୁଖ୍ୟମନ୍ତ୍ରୀଙ୍କ ସଫେଇ ଅଭିଯାନ ଯେ ଫେଲ୍‌ ମାରିଛି ତାହା ଏଥିରୁ ଜଳଜଳ ବାରି ହେଉଛି। ସ୍ଥାନୀୟ ଜନ ପ୍ରତିନିଧିଙ୍କ କାର୍ଯ୍ୟକାଳ ପୂରି ସାରିଥିବାରୁ ଏ ବାବଦରେ ଲୋକେ କାହାକୁ ଅଭିଯୋଗ କରିବେ ଦ୍ବନ୍ଦ୍ବରେ ପଡ଼ୁଛନ୍ତି। ନିକଟରେ ସ୍ଥାନୀୟ ୱାର୍ଡ କାର୍ଯ୍ୟାଳୟ ମଧ୍ୟ ଖୋଲିଛି। ମାତ୍ର ବରମୁଣ୍ଡା ମଧ୍ୟରେ ଏ ବିକଳ ଚିତ୍ର ଉପରେ କାହାର ନଜର ପଡ଼ୁନାହିଁ।

ସମ୍ବନ୍ଧିତ ଖବର