୧୩ କୋଟି ଧରି ବସିଛନ୍ତି, ବାତ୍ୟା ସହାୟତା ୧୦ହଜାର ଦେବେ କହିଥିଲେ ମିଳିଲାନି

ଦୋକାନ ଉଜୁଡ଼ିବା ପରେ ମୂଲ ଲାଗୁଛନ୍ତି, ବିଏମ୍‌ସି ସୁଧ ଖାଉଛି, ଉଠା ଦୋକାନୀ ଖାଇବାକୁ ପାଉନାହାନ୍ତି

ଭୁବନେଶ୍ବର: ମେ ୩ରେ ବାତ୍ୟା ରାଜଧାନୀରେ ପ୍ରଳୟ ରଚିଲା। ପୂରା ଧ୍ବଂସସ୍ତୁପ ପାଲଟିଗଲା ରାଜଧାନୀ। କାହାର ଘର ଭାଙ୍ଗିଲା ତ କାହାର କ୍ଷେତ ଉଜୁଡ଼ିଗଲା। କେଉଁଠି ଦୋକାନ ବଜାର ମାଟିରେ ମିଶିଗଲା ତ କେଉଁଠି ଫଳନ୍ତି ଗଛ ଉପୁଡ଼ି ଗଲା। ବାତ୍ୟାକୁ ୮ମାସ ବିତିଗଲାଣି। ଯାହାର ଘର ସମ୍ପୂର୍ଣ୍ଣ ଭାଙ୍ଗିଥିଲା ତାଙ୍କୁ ସହାୟତା ମିଳିସାରିଲାଣି, ‌ଯାହାର କ୍ଷେତ ଉଜୁଡ଼ିଥିଲା ତାଙ୍କୁ ବି ସହାୟତା ମିଳିଗଲାଣି, ଯାହାର ଫଳନ୍ତି ଗଛ କି ଅନ୍ୟ ଗଛ ଉପୁଡ଼ିଥିଲା ସେ ବାବଦକୁ ବି ସହାୟତା ମିଳିସାରିଲାଣି। ହେଲେ ଯେଉଁ ବ୍ୟବସାୟୀମା‌ନଙ୍କର ଦୋକାନ ଭାଙ୍ଗିଥିଲା ସେମାନଙ୍କୁ ଆଜି ପର୍ଯ୍ୟନ୍ତ ଟଙ୍କାଟିଏ ମିଳିନି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ମାସେ ଦୁଇ ମାସ ବିଳମ୍ବ ହେଉ ପଛେ ସର୍ଭେ ରିପୋର୍ଟ ପାଇବା ପରେ କ୍ଷତିପୂରଣ ଦେଇଦେଲେ। ହେଲେ ବିଏମ୍‌ସିର ଅପାରଗତା ଯୋଗୁଁ ଏବେ ରାଜଧାନୀର ୧୩ହଜାରରୁ ଅଧିକ ଉଠା ଦୋକାନୀ, ଭେଣ୍ଡିଂ ଜୋନ୍‌ ବ୍ୟବସାୟୀଙ୍କୁ ଟଙ୍କାଟିଏ ମିଳିନି। ଉଠା ଦୋକାନୀମାନଙ୍କୁ ୧୦ହଜାର ଟଙ୍କା ଲେଖାଏ ସହାୟତା ଦେବା ପାଇଁ ବିଏମ୍‌ସିକୁ ପ୍ରାୟ ୧୩କୋଟି ଟଙ୍କା ମିଳିଛି। ହେଲେ କର୍ତ୍ତୃପକ୍ଷ ବିଏମ୍‌ସି ଆକାଉଣ୍ଟରେ ଏହି ଟଙ୍କା ପକାଇ ରଖିଛନ୍ତି। ବିଏମ୍‌ସି ଏହି ୧୩କୋଟିର ସୁଧ ଖାଉଛି। ଏପଟେ ବାତ୍ୟା ସହାୟତା ପାଇବାକୁ ଥିବା ବ୍ୟବସାୟୀମାନେ ଅର୍ଥ ଅଭାବରୁ ପେଟକୁ ଦିଓଳି ଦାନା ଯୋଗାଡ଼ କରିପାରୁନାହାନ୍ତି। ବାତ୍ୟାରେ ରାଜଧାନୀର ଉଠାଦୋକାନୀମାନେ ବହୁ ମାତ୍ରାରେ ପ୍ରଭାବିତ ହେବା ପରେ ସେମାନଙ୍କ କ୍ଷତିପୂରଣ ପାଇଁ ମୁଖ୍ୟମନ୍ତ୍ରୀ ୧୦ହଜାର ଟଙ୍କା ଲେଖାଏ ସହାୟତା ପ୍ୟାକେଜ୍ ଘୋଷଣା ‌କଲେ। ଏହି ଟଙ୍କା ବିଏମ୍‌ସି ମାଧ୍ୟମରେ ଦେବାକୁ ଥିବାରୁ ବିଏମ୍‌ସିକୁ ଏହାର ସର୍ଭେ କରିବାକୁ କୁହାଗଲା। ଏହାପରେ ବିଏମ୍‌ସି ପକ୍ଷରୁ ୱାର୍ଡ ଅଫିସର, କମ୍ୟୁନିଟି ଅର୍ଗାନାଇଜରଙ୍କୁ ଲଗାଇ ୱାର୍ଡ ସ୍ତରରେ ସର୍ଭେ କରାଗଲା। ହେଲେ ସର୍ଭେ କରିବାକୁ ଯାଇଥିବା ୱାର୍ଡ ଅଫିସର ଓ ସିଓମାନେ କେତେକ ସ୍ଥାନରେ ଉଠାଦୋକାନୀଙ୍କୁ ହଜାରେ ଟଙ୍କା ଦେଲେ ୧୦ହଜାର ଟଙ୍କା ମିଳିବ ବୋଲି କହିଥିବା ଅଭିଯୋଗ ଆସିଥିଲା। କେତେକ ସ୍ଥାନରେ ବ୍ୟବସାୟୀମାନେ ୧୦ହଜାର କା‌ଳେ ମିଳିବନି ବୋଲି ଭାବି ହଜାରେ ଦେଲେ, ଆଉ କିଛି ସ୍ଥାନରେ ବ୍ୟବସାୟୀମାନେ କହିଲେ ଆମର ଭାଙ୍ଗିଛି, ଆମକୁ ମିଳିବ, ଆମେ ଲାଞ୍ଚ ଦେବୁନି କହି ହଜାରେ ଦେଲେନି।

ଏହାପରେ ତାଲିକାରେ ନାଁ ଚଢ଼ାଇବା, କାଟିବା ପ୍ରକ୍ରିୟା ଚାଲିଲା। ସେପ୍ଟେମ୍ବର ମାସରେ ବିଏମ୍‌ସି କର୍ତ୍ତୃପକ୍ଷ ତାଲିକା ଚୂଡ଼ାନ୍ତ କଲେ। ହେଲେ ନଗର ଉନ୍ନୟନ ବିଭାଗ କହିଲା ବିଏମ୍‌ସି ସର୍ଭେ କଲା, କିନ୍ତୁ ହିତାଧିକାରୀଙ୍କ ତାଲିକା ‘ସୁଡା’ ଯାଞ୍ଚ କରିବ। ଆଉ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ‘ସୁଡ଼ା’ ହିଁ ଟଙ୍କା ପଠାଇବ। ବିଏମ୍‌ସି ସୁଡାକୁ ତାଲିକା ଦେଇଦେଲା। କିନ୍ତୁ ସୁଡା କର୍ତ୍ତୃପକ୍ଷ କହିଲେ ଆମେ ତାଲିକା ଯାଞ୍ଚ କରିପାରିବୁନି କି ଟଙ୍କା ଦେଇପାରିବୁନି। ବିଏମ୍‌ସି ହିତାଧିକାରୀ ତାଲିକା ଚୂଡ଼ାନ୍ତ କରି ଟଙ୍କା ଦେଉ। ସୁଡାରେ ଉଠାଦୋକାନୀଙ୍କ ତାଲିକା ପ୍ରାୟ ଦୁଇ ମାସ ପଡ଼ିବା ପରେ ବିଏମ୍‌ସିକୁ ଆସିଲା। ହେଲେ ବିଏମ୍‌ସି କର୍ତ୍ତୃପକ୍ଷ ଦୁଇ ମାସ କାଳ ୧୩କୋଟି ବିଏମ୍‌ସି ଆକାଉଣ୍ଟରେ ରଖି ସୁଧ ଖାଉଛନ୍ତି କିନ୍ତୁ ଉଠା ଦୋକାନୀଙ୍କୁ ଦେଉନାହାନ୍ତି। ଏନେଇ ବିଏମ୍‌ସିର ଭେଣ୍ଡିଂ ଜୋନ୍‌ ଦାୟିତ୍ବରେ ଥିବା ଡେପୁଟି କମିସନର ଶୁଭେନ୍ଦୁ କୁମାର ସାହୁଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଆମେ ପ୍ରାୟ ୧୩ହଜାର ଉଠାଦୋକାନୀଙ୍କୁ ଖୁବ୍‌ ଶୀଘ୍ର ୧୦ହଜାର ଲେଖାଏ ପ୍ରଦାନ କରିବୁ। ବ୍ୟାଙ୍କ୍‌କୁ ହିତାଧିକାରୀଙ୍କ ତାଲିକା ଦିଆଯାଇଛି। ସେମାନେ ଖୁବ୍‌ ଶୀଘ୍ର ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍‌ କରିଦେବେ। ବିଏମ୍‌ସି ୮ମାସ ପର୍ଯ୍ୟନ୍ତ ଉଠାଦୋକାନୀଙ୍କୁ ସହାୟତା ଟଙ୍କା ନଦେବା ନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରାଜ୍ୟ ସରକାର ପ୍ରଥମେ ନିଷ୍ପତ୍ତି ‌ନେଲେ ଯେ, ସୁଡା ଉଠାଦୋକାନୀଙ୍କୁ ଟଙ୍କା ଦେବ। କିନ୍ତୁ ସୁଡା ରାଜି ନହେବାରୁ ଆମକୁ ପୁଣି ଦାୟିତ୍ବ ଦେଲେ। ହେଲେ ବିଏମ୍‌ସିକୁ ଏବାବଦକୁ ଟଙ୍କା ଦେଲେନି। ଫନି ସହାୟତା ପାଇବା ପାଇଁ ବିଏମ୍‌ସି ସ୍ବତନ୍ତ୍ର ରିଲିଫ କମିସନରଙ୍କୁ ବାରମ୍ବାର କହିବା ପରେ ବାତ୍ୟାର ୬ମାସ ପରେ ଆମକୁ ପର୍ଯ୍ୟାୟ କ୍ରମେ ଟଙ୍କା ମିଳିଲା। ଯେଉଁ ବାବଦକୁ ଟଙ୍କା ଦେଲେ ଆମେ ତାକୁ ଆଗ ଦେଲୁ। ତେଣୁ ଆମକୁ ଯେବେ ଟଙ୍କା ମିଳିଲା ଏବଂ ସୁଡା ବଦଳରେ ବିଏମ୍‌ସି ହିତାଧିକାରୀଙ୍କୁ ଟଙ୍କା ଦେବ ବୋଲି ନିଷ୍ପତ୍ତି ହେଲା ସେବେଠୁ ଆମେ ବାତ୍ୟା ସହାୟତା ପ୍ରଦାନ କରିବାକୁ ପ୍ରକ୍ରିୟା ଆରମ୍ଭ କରିଦେଇଛୁ। ବିଏମ୍‌ସି ୮ ମାସ ହେଲା ବାତ୍ୟା ସହାୟତା ନଦେବାରୁ ରାଜଧାନୀରେ ଥିବା କିଛି ଉଠାଦୋକାନୀ ଏବେ ରାଜଧାନୀ ଛାଡ଼ି ଗାଁକୁ ପଳାଇଛନ୍ତି। କିଏ ମୂଲ ଲାଗି ପେଟ ପୋଷୁଛି ତ କିଏ ଗାଁରେ ଆଉ କିଛି ବ୍ୟବସାୟ କରୁଛି। ସରକାରଙ୍କ ବାତ୍ୟା ସହାୟତା ପାଇବା ଆଶା‌େରେ ଯେତିକି ଦିନ ଭୁବନେଶ୍ବରରେ ରହିଥିଲେ ସେତିକିରେ ସବୁ ସଞ୍ଚୟ ସରିଯାଇଛି।

ସମ୍ବନ୍ଧିତ ଖବର