ବିଏମ୍‌ସିରେ ୫-ଟିକୁ ଫୁ’: ୩୦ ବର୍ଷ ହେଲା ଘରକୁ ରାସ୍ତା ହେଉନି, ଜିଏ ବିଭାଗ ଅନୁମତି ଦେଉଛି, ବିଏମ୍‌ସି କରୁନି

କମିସନରଙ୍କ ନିର୍ଦ୍ଦେଶ ମାନୁନାହାନ୍ତି ଡେପୁଟି କମିସନର, ବିଏମ୍‌ସି ହୋଲଡିଂ ଟିକସ ନେଉଛି, ରାସ୍ତା କରୁନି କାହିଁକି

ଭୁବନେଶ୍ବର: ବିଏମ୍‌ସି କହୁଛି ଆମେ ଲୋକଙ୍କୁ ଭଲ ରାସ୍ତା, ଡ୍ରେନ୍, ‌ଷ୍ଟ୍ରିଟ୍‌ ଲାଇଟ୍ ଯୋଗାଉଛୁ। ତେଣୁ ହୋଲ୍‌ଡିଂ ଟିକସ ବଢ଼ିବା ଦରକାର। କିନ୍ତୁ ଲୋକେ ବର୍ଷ ବର୍ଷ ଧରି ହୋଲଡିଂ ଟିକସ ଦେଉଥିଲେ ବି ବିଏମ୍‌ସି ରାସ୍ତାଟିଏ କରିବା ଦୂର କଥା ନା ଡ୍ରେନ୍ କରୁଛି ନା ଷ୍ଟ୍ରିଟ୍‌ଲାଇଟ୍ ଲଗାଉଛି। ତାହାର ଜ୍ବଳନ୍ତ ଉଦାହରଣ ହେଉଛି ପୋଖରୀପୁଟସ୍ଥିତ ନବୀନ ନଗର ବାସିନ୍ଦାଙ୍କ ସ୍ଥିତି। ନବୀନ ନଗରରେ ୨୦ଟି ପରିବାର ୩୦ବର୍ଷ ହେଲା ଘର କଲେଣି। ରାସ୍ତା ପାଇଁ ୩୦ଫୁଟ ଜମି ଛଡ଼ାଯାଇଛି। କିନ୍ତୁ ଏହି ବାସିନ୍ଦାମାନେ ଏବେ ବି ମାଟି, ‌େମାରମ୍‌ ରାସ୍ତାରେ ଯାତାୟତ କରୁଛନ୍ତି। ରାଜଧାନୀରେ ବିଏମ୍‌ସି ଅଞ୍ଚଳରେ ଏଭଳି ରାସ୍ତା ଅଛି ବୋଲି କେହି ବିଶ୍ବାସ କରିପାରିବେନି। ତେଣୁ ବିଏମ୍‌ସିରେ ରାଜ୍ୟ ସରକାରଙ୍କ ୫-ଟି ସଂସ୍କାର କାର୍ଯ୍ୟକାରୀ ହେଉଛି କି ନାହିଁ ସେନେଇ ସ୍ଥାନୀୟ ବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ କହିବାନୁଯା‌ୟୀ, ସାଧାରଣ ପ୍ରଶାସନ ବିଭାଗ ରାସ୍ତା ପାଇଁ ଥିବା ଜମିର ମାପଚୁପ କରିବା ସହ ରାସ୍ତା ନିର୍ମାଣ ପାଇଁ ବିଏମ୍‌ସିକୁ କହିଛି। ଏପରିକି ବିଏମ୍‌ସି, ଜିଏ, ବିଡିଏର କର୍ମଚାରୀଙ୍କ ଦ୍ବାରା ମିଳିତ ସର୍ଭେ ବି ହୋଇଛି। କିନ୍ତୁ ରାସ୍ତା ହେଉନି।

ଅପରପକ୍ଷେ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୯.୦୪.୨୦୧୫ରେ ପତ୍ର ସଂଖ୍ୟା ୧୧୪୯୫ରେ କୁହାଯାଇଛି ଯେ, ଜମିକୁ ଅନ୍ୟ କୌଣସି ବିକଳ୍ପ ରାସ୍ତା ନଥିଲେ, ଗୋଚର ଜମିକୁ ଜନସାଧାରଣଙ୍କ ସୁବିଧା ପାଇଁ ରାସ୍ତା ଓ ନାଳ ରୂପେ ଉନ୍ନୀତକରଣ କରାଯାଇପାରିବ। ଏହାକୁ ଭିତ୍ତି କରି ଫେବ୍ରୁଆରି ୨୮, ୨୦୧୮ରେ ବିଏମ୍‌ସିର କର୍ପୋରେସନ୍ ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ, ନବୀନ ନଗରର ଏହି ଅଞ୍ଚଳରେ ବିଏମ୍‌ସି ରାସ୍ତା ନିର୍ମାଣ କରିବ। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷ ରାସ୍ତା ନିର୍ମାଣ କରୁନାହାନ୍ତି। ଏନେଇ ସ୍ଥାନୀୟ ବାସିନ୍ଦା ନଗର ଉନ୍ନୟନ ବିଭାଗ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଏମ୍‌ସି କମିସନରଙ୍କ ପର୍ଯ୍ୟନ୍ତ ସବୁଠି ଅଭିଯୋଗ କଲେଣି। କିନ୍ତୁ ରାସ୍ତା ହୋଇପାରୁନି।

ଏହି ରାସ୍ତା ନିର୍ମାଣ ନହୋଇପାରିବା ପାଇଁ କମିସନର ବିଶେଷ ଭାବେ ଦାୟୀ ନୁହଁନ୍ତି। କାରଣ କମିସନର ଏନେଇ ପଦକ୍ଷେପ ନେବାକୁ ଡେପୁଟି କମିସନର (ଲ୍ୟାଣ୍ଡ)ଙ୍କୁ ଦାୟିତ୍ବ ଦେଇଛନ୍ତି। ନବୀନ ନଗର ବାସିନ୍ଦାଙ୍କ ଅଭିଯୋଗ ଯେ, ଡେପୁଟି କମିସନର ଫାଇଲ୍‌ଟିକୁ ମାସାଧିକ କାଳ ଚାପିକି ରଖିଛନ୍ତି। ସବୁ କାଗଜପତ୍ର, ନିର୍ଦ୍ଦେଶନାମା, ଚିଠି ଦେଖାଇବା ପରେ ବି ଆମକୁ ବିଭିନ୍ନ ଆଳ ଦେଖାଇ ଭୁତାଇ ଚାଲିଛନ୍ତି। ଏପରିକି କିଛି ବିଲଡର୍‌ ଆମ ପରେ ବିଏମ୍‌ସିରେ ଆବେଦନ କରିଥିଲେ ହେଁ ସେମାନଙ୍କର ରାସ୍ତା ନିର୍ମାଣ ହୋଇସାରିଲାଣି। ହେଲେ ନବୀନ ନଗରକୁ ରାସ୍ତା ହେଉନି। ସ୍ଥାନୀୟ ବାସିନ୍ଦା କହୁଛନ୍ତି, ଡେପୁଟି କମିସନର (ଲ୍ୟାଣ୍ଡ) କେଉଁ ଉଦ୍ଦେଶ୍ୟରେ ଆମ ଫାଇଲ୍ ଚାପି ରଖୁଛନ୍ତି ବୁଝି ହେଉନାହିଁ। ଯଦି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସାଧାରଣ ପ୍ରଶାସନ ବିଭାଗ ଚିଠି, ବିଏମ୍‌ସି କର୍ପୋରେସନ୍ ବୈଠକ ନିଷ୍ପତ୍ତି, କମିସନରଙ୍କ ନି‌ର୍ଦ୍ଦେଶକୁ ଜଣେ ଡେପୁଟି କମିସନର ମାନିବେନି ବୋଲି କ’ଣ ଆମ ଅଞ୍ଚଳକୁ ରାସ୍ତା ହେବନି!

ସମ୍ବନ୍ଧିତ ଖବର