ଭୁବନେଶ୍ୱର,: ସହରରେ ଡ୍ରେନେଜ୍ ବ୍ୟବସ୍ଥାକୁ ସୁସଙ୍ଗଠିତ କରିବା ପାଇଁ ବିଏମ୍ସି ଡ୍ରେନେଜ୍ ଡିଭିଜନ୍ରେ ୩ଟି ସବ୍ଡିଭିଜନ୍ ଗଠନ କରାଯାଇଛି। ଏଥିସହ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକ ସଂଖ୍ୟକ ଇଂଜିନିୟର ଓ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଗତ ଅଗଷ୍ଟ ୧ରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ବିଏମ୍ସି ଡ୍ରେନେଜ୍ ଡିଭିଜନ୍ରେ ୪ ଜଣ ସହକାରୀ ଯନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ଡ୍ରେନେଜ୍ ଡିଭିଜନ୍ରେ ଦାୟିତ୍ୱ ଗ୍ରହଣ କରିବା ପରେ ଏହି ଯନ୍ତ୍ରୀମାନେ ନବଗଠିତ ସବ୍-ଡିଭିଜନ୍ର ଦାୟିତ୍ୱ ନେଇ କାର୍ଯ୍ୟ ତ୍ୱରାନ୍ଵିତ କରିବେ। ଡ୍ରେନେଜ୍ ନିର୍ବାହୀ ଯନ୍ତ୍ରୀ ସଂପୃକ୍ତ ଡିଭିଜନ୍ର ସାମଗ୍ରିକ ପରିଚାଳନାର ମୁଖ୍ୟ ଦାୟିତ୍ୱ ସମ୍ପାଦନ କରିବେ। ଜଣେ ଲେଖାଏଁ ସହକାରୀ ନିର୍ବାହୀ ଯନ୍ତ୍ରୀ ସମ୍ପୃକ୍ତ ସବ୍ଡିଭିଜନ୍ର ନେତୃତ୍ୱ ନେବେ। ସମ୍ପୃକ୍ତ ସବ୍-ଡିଭିଜନ୍ର କାର୍ଯ୍ୟକୁ ତ୍ୱରିତ ଭାବରେ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରତି ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅଧୀନରେ ୨ ଜଣ ସହକାରୀ ଯନ୍ତ୍ରୀ କିମ୍ବା କନିଷ୍ଠ ଯନ୍ତ୍ରୀ କାର୍ଯ୍ୟ କରିବେ। ମହାନଗର ନିଗମର ୩ଟି ସବ୍-ଡିଭିଜନ୍ ଉତ୍ତର, ଦକ୍ଷିଣ-ପଶ୍ଚିମ ଓ ଦକ୍ଷିଣ-ପୂର୍ବ ଭାବେ ପରିଗଣିତ ହେବେ। ଡ୍ରେନେଜ୍ ଡିଭିଜନ୍ର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ ସାଗର ଦୁରିଆ ଦାୟିତ୍ୱରେ ରହିଥିବା ବେଳେ ମଦନ ମୋହନ ମିଶ୍ର, ଗୌତମ ଚରଣ ଦାସ ଓ ଅଜିତ ଭୂଷଣ ଦାସ ସବ୍ ଡିଭିଜନ୍ ଦାୟିତ୍ୱରେ ରହିବେ।
ସୂଚନାଯୋଗ୍ୟ ଯେ ସହରରେ ପ୍ରାୟ ୧୦୦ କିମି ଦୈର୍ଘ୍ୟର ୧୨ଟି ଡ୍ରେନେଜ୍ ଚାନେଲ୍ ରହିଥିବା ବେଳେ ପ୍ରାୟ ୪୦୦ କିମି ଦୈର୍ଘ୍ୟର ମଧ୍ୟମ ଓ କ୍ଷୁଦ୍ର ଡ୍ରେନ୍ ରହିଛି। ସମସ୍ତ ଡ୍ରେନେଜ୍ ଚାନେଲ୍ ଜରିଆରେ ସହରର ବର୍ଷା ଜଳ ଗଙ୍ଗୁଆ ନାଳକୁ ନିଷ୍କାସିତ ହେଉଛି।