ଭୁବନେଶ୍ବର : ମେୟରଙ୍କ ପରେ ଆକ୍ସନ ମୁଡ୍‌କୁ ଆସିଛନ୍ତି ବିଏମ୍‌ସି କମିସନର। ବାରମ୍ବାର ତାଗିଦ୍‌ ସତ୍ତ୍ବେ ହୋଟେଲ ବ୍ୟବସାୟୀ ବାହାରେ ଆବର୍ଜନା ପକାଇବା ଅଭିଯୋଗକୁ ନେଇ କଠୋର କାର୍ଯ୍ୟାନୁଷ୍ଠାନ ହୋଇଛି। କେବଳ ଜରିମାନା କିମ୍ବା ସିଲ୍‌ ନୁହେଁ, ବରଂ ଅନ୍ୟଆଡ଼ୁ ଟ୍ରାକ୍ଟରରେ ଆବର୍ଜନା ବୋହି ଆଣି ସମ୍ପୃକ୍ତ ଦୋକାନ ସାମ୍ନାରେ ଆବର୍ଜନା ଗଦା କରିଛି ବିଏମ୍‌ସି। ଗୁରୁବାର ସକାଳେ କଳ୍ପନା ଛକରେ ଥିବା ହୋଟେଲ ବଂଶୀଧର ଆଗରେ ଏଭଳି ଘଟଣା ଘଟଛି। ପୂର୍ବରୁ ସମାନ ଅଭିଯୋଗରେ ଏକ ଆପାର୍ଟମେଣ୍ଟ ଆଗରେ ମେୟର ଆବର୍ଜନା ଗଦା କରି ଚର୍ଚ୍ଚାକୁ ଆସିଥିଲେ। ଆଜି କମିସନର ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ଅନ୍ୟ ବ୍ୟବସାୟୀମାନେ ଆବର୍ଜନା ପରିଚାଳନାକୁ ନେଇ ସଚେତନ ହୋଇଛନ୍ତି। କିନ୍ତୁ ଅଧିକାଂଶ ଲୋକ ଏହାକୁ ଗ୍ରହଣ କରିନାହାନ୍ତି। ସଫା କରିବା ଦାୟିତ୍ବ ନେଇଥିବା ବିଏମ୍‌ସି ଏଭଳି ଆବର୍ଜନା ଗଦା କରିବ କେମିତି ବୋଲି ପ୍ରଶ୍ନ କରିଛନ୍ତି।

Advertisment

ସୂଚନା ମୁତାବକ, ଏହି ହୋଟେଲରୁ ବାହାରୁଥିବା ଆବର୍ଜନାକୁ ମାଲିକ ରାସ୍ତା କଡ଼ରେ ଗଦାଇ ଦେଉଥିଲେ। ଏହା କଳ୍ପନା-ବଡ଼ଗଡ଼ ମୁଖ୍ୟ ରାସ୍ତା ହୋଇଥିବାରୁ ସେଠାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏନେଇ ଲୋକମାନେ ବିଏମ୍‌ସିକୁ ଅଭିଯୋଗ କରିଥିଲେ। ଖୋଦ୍‌ କମିସନର ବିଜୟ ଅମୃତା କୁଲାଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲେ। ହୋଟେଲ ପାଖରେ ଆବର୍ଜନା ଗଦା ଦେଖି ଟ୍ରାକ୍ଟର ଡକାଇ ସେହି ସବୁ ଆବର୍ଜନା ସହ ଅନ୍ୟ ଆବର୍ଜନା ଆଣି ସେଠାରେ ଗଦାଇ ଦେବା ସହ ହୋଟେଲକୁ ସିଲ୍‌ କରିଥିଲେ।

କମିସନର ଶ୍ରୀ କୁଲାଙ୍ଗେ କହିଛନ୍ତି, ବ୍ୟବସାୟ ସ୍ଥଳର ୫ ମିଟର ପର୍ଯ୍ୟନ୍ତ ସଫା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସହରକୁ ସ୍ବଚ୍ଛ ରଖିବା ପାଇଁ ବିଏମ୍‌ସି ଦିନରାତି କାମ କରୁଛି। ସଫା ଆପ୍‌ ଜରିଆରେ ସୂଚନା ଦେଲେ ତୁରନ୍ତ ଗାଡ଼ି ପହଞ୍ଚି ଆବର୍ଜନା ଉଠାଇ ନେବ। କିନ୍ତୁ ସମ୍ପୃକ୍ତ ବ୍ୟବସାୟୀ ଏହାକୁ ମାନିବାକୁ ପ୍ରସ୍ତୁତ ନାହାନ୍ତି। ସାମାଜିକ ଗଣମାଧ୍ୟମ ଜରିଆରେ ସାଧାରଣ ଲୋକ ଅଭିଯୋଗ କରିବା ସହ ବିଏମ୍‌ସିକୁ ବଦନାମ କରୁଛନ୍ତି। ଏଭଳି ବ୍ୟବସାୟୀଙ୍କ ଯୋଗୁ ବିଏମ୍‌ସି ନିନ୍ଦିତ ହେଉଛି। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଅନୁରୂପ ଘଟଣା ଘଟିଥିଲା। ଗତ ବର୍ଷ ସେପ୍ଟମ୍ବର ୨୩ ତାରିଖରେ ୬୦ ନମ୍ବର ୱାର୍ଡ କୈଳାଶ ଏନ୍‌କ୍ଲେଭ୍‌ ନାମକ ଆପାର୍ଟମେଣ୍ଟ ଫାଟକ ସାମ୍ନାରେ ମେୟର ସୁଲୋଚନା ଦାସ ‘ବାହାରେ ଗଦାକଲେ ଘରେ ଅଳିଆ ପୁରାଇ ଦେବି’ ବୋଲି ଚେତାବନୀ ଦେବା ସହ ସମ୍ପୃକ୍ତ ଆପାର୍ଟମେଣ୍ଟ ସାମ୍ନାରେ ଆବର୍ଜନା ଗଦାଇ ଦେଇଥିଲେ। କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବା ସହ ସ୍ବଚ୍ଛତାକୁ ନେଇ ବୁଝାମଣା କରାଯିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ।