ଅପରାଜିତା, ସମୀରଙ୍କ ପାଇଁ ସମ୍ମାନର ପ୍ରଶ୍ନ
ପ୍ରାର୍ଥୀ ଚୟନରେ ବାବୁ ସିଂହଙ୍କ ଗୁରୁତ୍ବ ରହିବ ତ?
ପୁଣି ସକ୍ରିୟ ହେବେ ଜଗନ୍ନାଥ!

Advertisment

ଭୁବନେଶ୍ୱର  : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପାଇଁ ନିର୍ବାଚନ ବିଗୁଲ୍‌ ବାଜିଲାଣି। ୱାର୍ଡ ସଂରକ୍ଷଣ, ସୀମା ନିର୍ଧାରଣ, ଭୋଟର୍‌ ତାଲିକା ଇତିମଧ୍ୟରେ ପ୍ରକାଶ ସରିଲାଣି। ସର୍ବଦଳୀୟ ବୈଠକ ବି ଶେଷ ହୋଇଛି। ଯେକୌଣସି ମୁହୂର୍ତ୍ତରେ ତାରିଖ ଘୋଷଣା ହୋଇପାରେ। ହାତରେ କମ୍‌ ସମୟ ଥିବାରୁ ରାଜ‌ନୈତିକ ଦଳଗୁଡ଼ିକ ନିଜ ନିଜ ସ୍ତରରେ ପ୍ରସ୍ତୁତି ଚଲାଇଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନେତାମାନେ ବ୍ୟସ୍ତ ଥିଲେ ମଧ୍ୟ ବିଜେଡି ଓ ବିଜେପି ଭୁବନେଶ୍ବରରେ ସଂଗଠନକୁ ସୁଦୃଢ଼ କରିବାକୁ ଲାଗି ପଡ଼ିଛନ୍ତି। ବିଜେଡି ଏ କ୍ଷେତ୍ରରେ ଆଗରେ ରହିଛି। ୱାର୍ଡସ୍ତରୀୟ କମିଟି ଗଠନ କରି ତୃଣମୂଳସ୍ତରୀୟ ନେତାଙ୍କୁ ସଂଗଠନ ଦାୟିତ୍ବ ଦେଇଛି। ଦଳର ତିନି ବିଧାୟକ ପ୍ରସ୍ତୁତି ଜୋର୍‌ଦାର କରିଛନ୍ତି। ମାତ୍ର ବିଜେପିରେ ଏ ପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ ହେଉନାହିଁ। ଏଥର ବିଏମ୍‌ସି ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ସିଧାସଳଖ ଲଢ଼େଇ ହେବ ବୋଲି କୁହାଯାଉଥିଲେ ମଧ୍ୟ ତିନି ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳ ଏ ପର୍ଯ୍ୟନ୍ତ ନିଜକୁ ସଙ୍ଗଠିତ କରିପାରିନାହିଁ।

ବିଜେପି ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂହ ଏକାମ୍ର ନିର୍ବାଚନ ମଣ୍ଡଳୀରେ ଦଳର ମଙ୍ଗ ଧରିଛନ୍ତି। ଭୋଟର୍‌ଙ୍କ ନିକଟକୁ ଯିବା ସହ ସମ୍ପର୍କରେ ରହିଛନ୍ତି। ୱାର୍ଡସ୍ତରରେ ସଂଗଠନକୁ ସଂଗଠିତ କରୁଛନ୍ତି। ମାତ୍ର ମଧ୍ୟ ଓ ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ଏକପ୍ରକାର ନେତାଶୂନ୍ୟ ହୋଇଯାଇଛି। ଏଠାରେ ବିଜେପିର ସେଭଳି ଆଖିଦୃଶିଆ କାର୍ଯ୍ୟକଳାପ ଦେଖିବାକୁ ମିଳୁନାହିଁ। ୨୦୧୯ରେ ମଧ୍ୟ ଭୁବନେଶ୍ବରର ବିଜେପି ପ୍ରାର୍ଥୀ ତଥା ନେତା ଜଗନ୍ନାଥ ପ୍ରଧାନ କିଛି ମାସ ତଳେ ଅଭିମାନ କରି ଦଳରୁ ମୁହଁ ‌ମୋଡ଼ିବାକୁ ସଜବାଜ ହେଉଥିଲେ। ମାତ୍ର ଠୋସ୍‌ ପଦକ୍ଷେପ ନେଇ ନଥିଲେ। ନିରବ ରହିବା ସହ ସଂଗଠନର କାର୍ଯ୍ୟକ୍ରମଠାରୁ ନିଜକୁ ଦୂରେଇ ରଖିଥିଲେ। ଏବେ ରାଜନୈତିକ ପାଣିପାଗ ବଦଳିବା ସହ ପୁଣିଥରେ ଦଳରେ ସକ୍ରିୟ ‌ହେବା ନେଇ ସୂଚନା ମିଳିଛି। ତାଙ୍କ ମାନଭଞ୍ଜନ ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଉତ୍ତର ଭୁବନେଶ୍ବରରେ ବିଜେପି ନେତା ଦିଲ୍ଲୀପ ମହାନ୍ତି ନେତୃତ୍ବ ନେଉଥିଲେ ମଧ୍ୟ ଦଳର ସେତେଟା କାର୍ଯ୍ୟକଳାପ ଦେଖିବାକୁ ମିଳୁ ନାହିଁ।

publive-image

ଯଦି ବର୍ତମାନ ସମୟରେ ବିଏମ୍‌ସି ନିର୍ବାଚନ ହୁଏ, ତେବେ ସବୁ ୱାର୍ଡରେ ପ୍ରାର୍ଥୀ ଦେବା ଦଳ ପାଇଁ କାଠିକର ହୋଇପଡ଼ିବ। କାରଣ ୱାର୍ଡସ୍ତରରେ ବିଜେପିର ପ୍ରଭାବ ସେତେଟା ସକ୍ରିୟ ହୋଇପାରି ନ ଥିବା ଦେଖିବାକୁ ମିଳୁଛି। ହାତଗଣତି କିଛି ୱାର୍ଡକୁ ଛାଡ଼ି ଦେଲେ ୱାର୍ଡସ୍ତରରେ ଦଳର ସେଭଳି ଆଖିଦୃଶିଆ ନେତା ନାହାନ୍ତି। ଯେଉଁଥିପାଇଁ ଦଳ ଏବେ ଅସନ୍ତୁଷ୍ଟ ବିଜେଡି ଟିକେଟ୍‌ ଆଶାୟୀଙ୍କ ଉପରେ ନଜର ରଖିବା ସ୍ବାଭାବିକ। ଯେଉଁ ପୂର୍ବତନ କର୍ପୋରେଟର୍‌ ବିଜେଡିରୁ ଟିକେଟ୍‌ ପାଇବେ ନାହିଁ, ସେମାନଙ୍କୁ ବିଜେପି ପ୍ରାର୍ଥୀ କରିବାକୁ ଏକପ୍ରକାର ସ୍ଥିର କରିଛି। ଯେଉଁ ୱାର୍ଡରେ ବିଜେପି ସୁଦୃଢ଼ ରହିଛି, ସେଠାରେ ଆଗୁଆ ପ୍ରାର୍ଥୀ ତାଲିକା ଘୋଷଣା କରିବ।

କର୍ପୋରେଟର୍‌ ପ୍ରାର୍ଥୀ ଚୟନରେ କାହାର ପତିଆରା ରହିବ, ତାହା ହିଁ ଦଳର ଆଭ୍ୟନ୍ତରୀଣ ମହଲରେ ସର୍ବାଧିକ ଚର୍ଚ୍ଚାର ବିଷୟ। ବର୍ତ୍ତମାନ ରାଜଧାନୀରେ ବିଜେପି ସଂଗଠନର ଆଖିଦୃଶିଆ ଉପସ୍ଥିତି ଜାହିର କରିବାକୁ ଦଳର ଜିଲ୍ଲା ସଭାପତି ବାବୁ ସିଂହ ହିଁ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ବିଭିନ୍ନ ପ୍ରସଙ୍ଗରେ ଦଳ ତାଙ୍କରି ନେତୃତ୍ବରେ ରାଜରାସ୍ତାକୁ ଓହ୍ଲାଉଛି। ଭୁବନେଶ୍ବର ମଧ୍ୟ ଓ ଉତ୍ତର ନିର୍ବାଚନମଣ୍ଡଳୀରେ ଦଳର କୌଣସି ଆଗଧାଡ଼ିର ନେତା ନ ଥିବାରୁ ପୂରା ଭୁବନେଶ୍ବରରେ ଶ୍ରୀ ସିଂହଙ୍କ ଗୁରୁତ୍ବ ରହୁଛି। ତେଣୁ ବିଏମ୍‌ସି ନିର୍ବାଚନର ପ୍ରାର୍ଥୀ ଚୟନରେ ଶ୍ରୀ ସିଂହଙ୍କ ପ୍ରଭାବ ରହିବ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ସେହିପରି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଭୂମିକାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ଭୁବନେଶ୍ବରର ତିନି ନିର୍ବାଚନମଣ୍ଡଳୀରେ ଅପରାଜିତାଙ୍କ ପ୍ରଭାବ ରହିଛି। ଯଦିଓ ସେ ଦଳର ସଂଗଠନ ସହ ସିଧାସଳଖ ସମ୍ପର୍କ ରଖୁ ନାହାନ୍ତି, ତେବେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ସିଧାସଳଖ ଲୋକଙ୍କ ସହ ତାଙ୍କର ସମ୍ପର୍କ ରହୁଛି। ତେଣୁ ନିଜ ସମର୍ଥକଙ୍କୁ କର୍ପୋରେଟର୍‌ ପ୍ରାର୍ଥୀ କରାଇବାକୁ ନିଶ୍ଚିତ ଅପରାଜିତା ଉଦ୍ୟମ କରିବେ। ଆହୁରି ମଧ୍ୟ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଏମ୍‌ସି ନିର୍ବାଚନ ତାଙ୍କ ପାଇଁ ସମ୍ମାନର ପ୍ରଶ୍ନ। ସେହିପରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଘର ମଧ୍ୟ ଭୁବନେଶ୍ବରରେ। ପୂର୍ବରୁ ସେ ପୁରୁଣା ଭୁବନେଶ୍ବର ଅଞ୍ଚଳରୁ କର୍ପୋରେଟର୍‌ ଭାବେ ଜିତିଥିଲେ। ତେଣୁ ବିଏମ୍‌ସି ନିର୍ବାଚନରେ ଦଳର ପ୍ରଦର୍ଶନ ତାଙ୍କ ପାଇଁ ମଧ୍ୟ ସମ୍ମାନର ପ୍ରଶ୍ନ। ତେଣୁ ବିଏମ୍‌ସି ନିର୍ବାଚନରେ ଏହି ତିନି ପ୍ରମୁଖ ନେତାଙ୍କ ମଧ୍ୟରେ ସମନ୍ବୟ ରହିବ ନା ନିଜ ନିଜ ବାଟରେ ପ୍ରାର୍ଥୀ ଚୟନ କରି ଦଳକୁ ଅଧିକ ଅଡ଼ୁଆରେ ପକାଇବେ, ତାହାକୁ ନେଇ ରାଜନୈତିକ ମହଲରେ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଦଳର ମେୟର ପ୍ରାର୍ଥୀ କିଏ ହେବ? ବିଏମ୍‌ସି କିମ୍ବା ସହରରେ ଦଳର ସେଭଳି ଟାଣୁଆ ନେତ୍ରୀ ନାହାନ୍ତି, ଯିଏ କି ସମ୍ପୂର୍ଣ୍ଣ ଭୁବନେଶ୍ବରରେ ନିଜର ପତିଆରା ଦେଖାଇପାରିବ ଓ ବିଜେଡି ପ୍ରାର୍ଥୀଙ୍କୁ ଟକ୍କର ଦେବ। ତାହା ସତ୍ତ୍ବେ ସାଧାରଣରେ ଗ୍ରହଣୀୟତା ଥିଲା ପରି ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବା ପାଇଁ ଦଳ ପକ୍ଷରୁ ବିଚାରବିମର୍ଶ ଆରମ୍ଭ ହୋଇଯାଇଛି। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଇତି ମଧ୍ୟରେ ଦଳର ଏକାଧିକ ବୈଠକ ବସି ମେୟର ପ୍ରାର୍ଥୀଙ୍କ ନାଁକୁ ନେଇ ଚର୍ଚ୍ଚା ହୋଇଛି। କାହାକୁ ପ୍ରାର୍ଥୀ କଲେ ଦଳ ବିଏମ୍‌ସି ଦଖଲ କରିବ, ତାହାକୁ ନେଇ ଆଲୋଚନା ଚାଲିଛି। କିନ୍ତୁ କୌଣସି ଠୋସ୍‌ ନିଷ୍ପତ୍ତି ନିଆଯାଇପାରିନି। କାହାରି ନାମ ଉପ‌ରେ ସହମତି ପ୍ରକାଶ ପାଇପାରିନି। ଆବଶ୍ୟକ ପଡ଼ିଲେ ଦଳ ବାହାରୁ କୌଣସି ନାରୀନେତ୍ରୀଙ୍କୁ ଆଣି ପ୍ରାର୍ଥୀ କରାଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ପଞ୍ଚାୟତ ନିର୍ବାଚନ ପରେ ପ୍ରାର୍ଥୀ ଚୂଡ଼ାନ୍ତ କରାଯିବ ବୋଲି ଦଳୀୟ ମହଲରୁ ସୂଚନା ମିଳିଛି।