ବିଏମ୍‌ସି ନିର୍ବାଚନ: କିପରି ଲଢ଼ିବ କଂଗ୍ରେସ, ୱାର୍ଡସ୍ତରରେ ନେତା ନାହାନ୍ତି

ଏଥର ଖାତା ଖୋଲିବ ତ? ମୁହଁ ମୋଡ଼ୁଛନ୍ତି କର୍ମୀ, ଭୋଟ ହାର କମୁଛି

ଭୁବନେଶ୍ବର : ବିଏମ୍‌ସି ନିର୍ବାଚନରେ କଂଗ୍ରେସ ମଙ୍ଗ କିଏ ଧରିବ? ୬୭ ୱାର୍ଡରେ ଦଳର ୱାର୍ଡସ୍ତରୀୟ ନେତା କିଏ ? ସବୁ ୱାର୍ଡରେ ଦଳ ପ୍ରାର୍ଥୀ ଦେଇପାରିବ ତ? ମେୟର ପ୍ରାର୍ଥୀ ଭାବେ ଦଳ କାହାକୁ ଚୟନ କରିବ? ଗତ କିଛି ବର୍ଷ ଧରି ରାଜ୍ୟ ରାଜଧାନୀରେ କଂଗ୍ରେସର ସାଂଗଠନିକ ସ୍ଥିତି ଦୁର୍ବଳ ହେବାକୁ ଲାଗିଥିବାରୁ ରାଜନୈତିକ ମହଲରେ ଏମିତି ପ୍ରଶ୍ନ ଏବେ ଉଠୁଛି। ପଞ୍ଚାୟତ ନିର୍ବାଚନ ପରେ ପରେ ପୌର ନିର୍ବାଚନ ହେବାର ସମ୍ଭାବନା ଥିଲା ବେଳେ କଂଗ୍ରେସ ଶିବିରରେ ଆବଶ୍ୟକ ପ୍ରସ୍ତୁତି ଏ ଯାଏ ଦେଖିବାକୁ ମିଳି ନାହିଁ। ତୃଣମୂଳ ସ୍ତରରେ ଦଳର ସଂଗଠନ ଦୃଢ଼ ନ ଥିବାରୁ ବିଏମ୍‌ସି ପାଇଁ କଂଗ୍ରେସ କିଛି ରଣନୀତି କରିବ ନା ବିଜେଡି-ବିଜେପି ଦ୍ବିମୁଖୀ ଲଢ଼େଇ ପାଇଁ ବାଟ ଖୋଲିଦେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ବର୍ତ୍ତମାନର କଂଗ୍ରେସର ଭୁବନଶ୍ବେର ଜିଲ୍ଲା ସଭାପତି ବିଶ୍ବଜିତ୍‌ ଦାଶ ଓ ୨୦୧୯ର ଏକାମ୍ର ଭୁବନେଶ୍ବର ପ୍ରାର୍ଥୀ ରଶ୍ମୀ ମହାପାତ୍ରଙ୍କ ନେତୃତ୍ବରେ ଭୁବନେଶ୍ବରର ହାତଗଣତି କିଛି ୱାର୍ଡରେ ଦଳ ସଂଗଠିତ ରହିଛି। ମାତ୍ର ନିର୍ବାଚନ ପାଇଁ ତାହା ଆଦୌ ଯଥେଷ୍ଟ ନୁହେଁ। ଭୁବନେଶ୍ବରର କିଛି ସମସ୍ୟା ପ୍ରସଙ୍ଗରେ ଦଳ ପକ୍ଷରୁ ଆନ୍ଦୋଳନ ଓ ସ୍ମାରକପତ୍ର ଦିଆଯାଉଛି। କିନ୍ତୁ ତାହା ଏତେ ପ୍ରଭାବୀ ହୋଇପାରୁ ନାହିଁ। ୱାର୍ଡ ସ୍ତରରେ ଦଳ ଏପର୍ଯ୍ୟନ୍ତ ସଂଗଠିତ ହୋଇପାରିନି। ୨୦୦୦ ମସିହା ପୂର୍ବରୁ କଂଗ୍ରେସ ଭୁବନେଶ୍ବରରେ ବାରମ୍ବାର ତାକତ୍‌ ଦେଖାଇଛି। ପୌରସଂସ୍ଥାର ଅଧ୍ୟକ୍ଷ ପଦ ସମେତ ଭୁବନେଶ୍ବର ଲୋକସଭା ଓ ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳ ଉନ୍ନତ ପ୍ରଦର୍ଶନ କରିଥିଲା। ମାତ୍ର ଏବେ ରାଜ୍ୟ ରାଜଧାନୀରୁ କଂଗ୍ରେସ ଉଭେଇଯିବାକୁ ବସିଛି। ସଂଗଠନ ଦୋହଲିଗଲାଣି। କର୍ମୀମାନେ ଧୀରେ ଧୀରେ ଦଳ ଛାଡ଼ି ଅନ୍ୟତ୍ର ଚାଲିଗଲେଣି। ୨୦୧୯ରେ ସ୍ଥିତି ଏମିତି ହୋଇଥିଲା ଯେ ଭୁବନେଶ୍ବର ଲୋକସଭା ଆସନରେ ଦଳ ପ୍ରାର୍ଥୀ ଦେଇ ନ ଥିଲା। ବରଂ ସିପିଆଇ(ଏମ୍‌)ର ପ୍ରାର୍ଥୀ ଜନାର୍ଦ୍ଦନ ପତିଙ୍କୁ ଦଳ ସମର୍ଥନ କରିଥିଲା। କିନ୍ତୁ ସେ ଏତେ ଭୋଟ୍‌ ବ୍ୟବଧାନରେ ହାରିଲେ ଯେ, କଂଗ୍ରେସ ଭୁବନେଶ୍ବରରୁ ଏକରକମ ହଜିଯାଇଥିବା ଭଳି ଅନୁଭବ ହେଲା।

ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ୪ ଲକ୍ଷ ୮୬ ହଜାର ୯୯୧ ଭୋଟ୍‌ ପାଇଥିଲେ। ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ୪ ଲକ୍ଷ ୬୩ ହଜାର ୧୫୨ ଭୋଟ୍‌ ହାସଲ କରିଥିଲେ। କୌତୂହଳର କଥା ହେଉଛି ଯେ ଅପରାଜିତା ଯେତିକି ଭୋଟରେ ବିଜୟୀ ହୋଇଥିଲେ ଜଟଣୀରେ କଂଗ୍ରେସ ପ୍ରାର୍ଥୀ ସୁରେଶ କୁମାର ରାଉତରାୟ ଜିତିବା ପରେ ମଧ୍ୟ ସିପିଆଇ(ଏମ୍‌) ପ୍ରାର୍ଥୀ ସମୁଦାୟ ସେତିକି ଅର୍ଥାତ୍ ୨୩ ହଜାର ୨୬ ଭୋଟ୍‌ ପାଇଥିଲେ। ତାଙ୍କ ଭୋଟ୍‌ ହାର ୨.୨୯% ଥିଲା। ଯେତେବେଳେ କି ବିଜୟୀ ପ୍ରାର୍ଥୀ ଅପରାଜିତା ୪୮.୪୫% ପାଇଥିଲେ। ଅପରାଜିତା ଓ ଅରୂପଙ୍କ ମଧ୍ୟରେ ଭୋଟ୍‌ ବ୍ୟବଧାନ ୨.୩୮% ରହିଥିଲା। ଭୁବନେଶ୍ବରର ତିନି ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ବି ଅମାନତ ହରାଇଥିଲେ। ଲଢ଼େଇ କରିବା ଦୂରର କଥା, ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ୫୦%ରୁ ଅଧିକ ଭୋଟ୍‌ ବ୍ୟବଧାନରେ ପଛରେ ରହିଗଲେ। ୨୦୦୯, ୨୦୧୪ରେ ଯେତିକି ଭୋଟ୍‌ ପାଇଥିଲେ ତା’ଠାରୁ କମ୍‌ ଭୋଟ୍‌ ପାଇଲେ। ଭୁବନେଶ୍ବର ମଧ୍ୟ ଆସନରେ କଂଗ୍ରେସ ପ୍ରାର୍ଥୀ ମାତ୍ର ୨୭୪୬ ଭୋଟ୍‌ ହାତେଇଥିବା ବେଳେ ଭୁବନେଶ୍ବର ଉତ୍ତରରେ ୫୧୮୯ ଏବଂ ଏକାମ୍ର ଭୁବନେଶ୍ବରରେ ୬୭୮୦ ଭୋଟ୍‌ ପାଇଥିଲେ।

ଏ ତ ଗଲା ୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନର ଚିତ୍ର। ଯଦି ୨୦୧୪ ମହାନଗର ନିଗମ ନିର୍ବାଚନ କଥା ବିଚାରକୁ ନେବା ତେବେ ୬୭ଟି ୱାର୍ଡରୁ ଦଳ ମାତ୍ର ଦୁଇଟିରେ ଖାତା ଖୋଲି ପାରିଥିଲା। ପ୍ରାର୍ଥୀମାନେ ବିଜେଡିକୁ ମାତ୍‌ ଦେଇ ବିଜୟ ବାନା ଉଡ଼ାଇଥିଲେ। ମାତ୍ର ବେଶି ଦିନ କଂଗ୍ରେସ ଛତା ତଳେ ସେମାନେ ରହି ନ ଥିଲେ। ରାଜନୀତି ପାଣିପାଗ ପରିବର୍ତନରେ ସେମାନେ ବି ଦଳ ବଦଳାଇଥିଲେ। ଦୁଇ ଜଣ ଯାକ କର୍ପୋରେଟର ବିଜେଡିରେ ସାମିଲ ହେବା ପରେ ମହାନଗର ନିଗମରେ କଂଗ୍ରେସ ଶୂନ ହୋଇ ଯାଇଥିଲା। ସ୍ବର ଉଠାଇବାକୁ ଜଣେ ବି କେହି କର୍ପୋରେଟର ନ ଥିଲେ। ସେଥିରୁ ଦଳ କିଛି ବି ଶିକ୍ଷା ଲାଭ କଲା ନାହିଁ କି ଭୁବନେଶ୍ବରରେ ଆଜି ପର୍ଯ୍ୟନ୍ତ ନିଜକୁ ସୁଦୃଢ଼ କରିପାରିଲା ନାହିଁ। ଉତ୍ତର ଓ ମଧ୍ୟ ଭୁବନେଶ୍ବରରେ କଂଗ୍ରେସ ୨୦୧୯ରେ ଯେଉଁମାନଙ୍କୁ ବିଧାୟକ ପ୍ରାର୍ଥୀ କରିଥିଲା ସେମାନଙ୍କ ସ୍ଥିତି ହିଁ ଏବେ ନାହିଁ। ୱାର୍ଡସ୍ତରରେ ଯେଉଁ କିଛି ନେତା ରହିଛନ୍ତି ‌ସେମାନେ ଦଳର ମଙ୍ଗ ଧରିବାକୁ ଆଗକୁ ଆସୁନାହାନ୍ତି।

The Economic Times

କଂଗ୍ରେସର ମେୟର ପ୍ରାର୍ଥୀ କିଏ ହେବ, ତାହା ମଧ୍ୟ ଏକ ଚର୍ଚ୍ଚିତ ପ୍ରସଙ୍ଗ। ବର୍ତ୍ତମାନ ସୁଦ୍ଧା କେବଳ ରଶ୍ମୀ ମହାପାତ୍ରଙ୍କ ନାମ ଦଳୀୟ ମହଲରେ ଆଲୋଚନା ଚାଲିଛି। ଶ୍ରୀମତୀ ମହାପାତ୍ର ଭୁବନେଶ୍ବର କଂଗ୍ରେସର ଏକମାତ୍ର ନାରୀ ନେତ୍ରୀ ଭାବେ ସାଂଗଠନିକ କାର୍ଯ୍ୟରେ ସକ୍ରିୟ ଅଛନ୍ତି। ତେଣୁ ତାଙ୍କ ନାମ ଚର୍ଚ୍ଚାରେ ରହିବା ସ୍ବାଭାବିକ। କିନ୍ତୁ ତିନି ନିର୍ବାଚନମଣ୍ଡଳୀରେ କଂଗ୍ରେସର ସ୍ଥିତି ଦୟନୀୟ ହୋଇଥିବାରୁ ମେୟର ପ୍ରାର୍ଥୀଙ୍କ ପାଇଁ ଲଢ଼ିବା ସହଜ ହେବନି ବୋଲି ରାଜନୈତିକ ମହଲରେ ଆକଳନ କରାଯାଉଛି।

 

ପ‌ଡ଼ୋଶୀ ଜଟଣୀ ନିର୍ବାଚନମଣ୍ଡଳୀ ବିଧାୟକ ସୁରେଶ କୁମାର ରାଉତରାୟ ୨୦୧୯ରେ ଜିତିଥିବାରୁ ଏବେ ଦଳ ସେଠାରେ ସଂଗଠିତ ରହିଛି। ମାତ୍ର ଭୁବନେଶ୍ବରରେ ରସାତଳଗାମୀ ହେବାରେ ଲାଗିଛି। ଯେଉଁ କିଛି କର୍ମୀ ରହିଛନ୍ତି ସେମାନେ ଏବେ ନିଜର ଭବିଷ୍ୟତ ନେଇ ସନ୍ଦୀହାନ ହୋଇପଡ଼ିଛନ୍ତି। ତେଣୁ ଆସନ୍ତା ପୌର ନିର୍ବାଚନ ପାଇଁ ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍ ସଦୃଶ। ଯଦି ଏହି ନିର୍ବାଚନରେ ଦଳ ନିଜ ସ୍ଥିତି ଜାହିର କରିବାକୁ ଉଦ୍ୟମ ନ କରେ, ତେବେ ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ସ୍ଥିତି ଆହୁରି ଶୋଚନୀୟ ହେବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର