ଭୁବନେଶ୍ବର: ଏଥର ବି ବିଏମ୍‌ସି ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀଙ୍କ ଦବଦବା ଦେଖିବାକୁ ମିଳିଛି। ୯ଟି ୱାର୍ଡରେ ଶାସକ ଦଳକୁ ପାଣି ପିଆଇଛନ୍ତି। ୫ଟି ୱାର୍ଡରେ ବିଜେପିକୁ ଜିତାଇବାରେ ସହାୟକ ହୋଇଛନ୍ତି। କିଛି ୱାର୍ଡରେ କଡ଼ା ଟକ୍କର ଦେଇ ଦ୍ବିତୀୟ ସ୍ଥାନରେ ବି ରହିଛନ୍ତି। କଂଗ୍ରେସକୁ ପଛରେ ଠେଲି ସ୍ବାଧୀନ ପ୍ରାର୍ଥୀମାନେ ବିଏମ୍‌ସିରେ ନିଜର ପତିଆରା ଜାହିର କରିଛନ୍ତି। ଉତ୍ତରରୁ ଏକାମ୍ର ହେଉ, କି ମଧ୍ୟ ଭୁବନେଶ୍ବର ନିର୍ବାଚନ ମଣ୍ଡଳୀ। ସବୁଠି ଏମାନଙ୍କ ରାଜୁତି ଚାଲିଛି। ଅବଶ୍ୟ ୨୦୧୪ ତୁନଳାରେ ସ୍ବାଧୀନ ପ୍ରାର୍ଥୀଙ୍କ ଭୋଟ ସଂଖ୍ୟା ହ୍ରାସ ପାଇଛି। ତା’ପରେ ବି ୯ଟି ୱାର୍ଡ ଦଖଲ କରିବାରେ ସକ୍ଷମ ହୋଇଛନ୍ତି।

Advertisment

ଚଳିତ ନିର୍ବାଚନ ବିଭିନ୍ନ ଦୃଷ୍ଟି କୋଣରୁ ଗୁରୁତ୍ବପୂର୍ଣ୍ଣ ରହିଥିଲା। ୮ ବର୍ଷ ହେଲା ନିର୍ବାଚନ ହୋଇ ନ ଥିବାରୁ ବିଜେଡିରେ ଆଶାୟୀଙ୍କ ସଂଖ୍ୟା ମଧ୍ୟ ବଢ଼ିଯାଇଥିଲା। ପୂର୍ବତନ କର୍ପୋରେଟର ଟିକେଟ୍‌ ପାଇଁ ଲବି କରୁଥିବା ବେଳେ ୱାର୍ଡରୁ ଏକାଧିକ ନୂଆ ନେତା ବାହାରିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ୬୭ ୱାର୍ଡ ପାଇଁ ୪୦୦ରୁ ଅଧିକ ଆଶାୟୀ ଆବେଦନ କରିଥିଲେ। ନାମାଙ୍କନ ଦିନ ଯେତିକି ପାଖେଇଥିଲା ଆଶାୟୀଙ୍କ ସଂଖ୍ୟା ସେହି ଅନୁଯାୟୀ ବଢ଼ିଥିଲା। ସମସ୍ତଙ୍କୁ ସନ୍ତୁଷ୍ଟ କରିବା ଦଳ ପାଇଁ ସମ୍ଭବପର ହୋଇ ନ ଥିଲା। ଯେଉଁଥିପାଇଁ ପ୍ରତି ୱାର୍ଡରେ ଦୁଇରୁ ଅଧିକ ଆଶାୟୀ ସ୍ବାଧୀନ ଭାବେ ନାମାଙ୍କନ କରିଥିଲେ। ଆଉ ସେମାନଙ୍କୁ ସନ୍ତୁଷ୍ଟ କରିବାକୁ ଶାସକ ବିଜେଡିକୁ ଝାଳନାଳ ହେବାକୁ ପଡ଼ିଥିଲା। କାହାର ମାନ ଭଞ୍ଜନ କରାଯାଇଥିଲା ତ ଆଉ କାହାକୁ ବଡ଼ ପଦବିର ଲାଳସା ଦେଖାଯାଇଥିଲା।

publive-image

ଏମିତିକି କିଛି ଜଣଙ୍କୁ ଅର୍ଥ ଦିଆଯାଇ ନିର୍ବାଚନ ମଇଦାନରୁ ଓହରିବାକୁ କୁହାଯାଇଥିଲା। ବିଜେଡି ରଣନୀତିରେ ବହୁ ସ୍ବାଧୀନ ପ୍ରାର୍ଥୀ ଓହରିଥିଲେ। ମାତ୍ର ସମସ୍ତଙ୍କୁ ସନ୍ତୁଷ୍ଟ କରାଯାଇ ନ ପାରିବାରୁ ବିଦ୍ରୋହୀ ମୁଣ୍ଡ ଟେକିଥିଲେ। ଉତ୍ତର ଓ ଏକାମ୍ର ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୩୧ ଜଣ ଲେଖାଏ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ୱାହ୍ଲାଇଥିଲେ। ମଧ୍ୟ ଭୁବନେଶ୍ବରରେ ଥିବା ୧୯ ୱାର୍ଡରେ ୨୧ ଜଣ ସ୍ବାଧୀନ ପ୍ରାର୍ଥୀ ଶାସନ ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲେ। ସେମାନଙ୍କୁ ପ୍ରତିହତ କରିବା ପାଇଁ ନିର୍ବାଚନ ସମୟରେ ଦଳ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲା। ତା’ସତ୍ତ୍ବେ ୯ ଜଣ ସ୍ବାଧୀନ ପ୍ରାର୍ଥୀ ବିଜେଡିକୁ ମାତ୍‌ ଦେଇ ୱାର୍ଡରେ କ୍ଷମତା ଅକ୍ତିଆର କରି ନେଇଛନ୍ତି।
୬୭ଟି ୱାର୍ଡରେ ପ୍ରତିଦ୍ବନ୍ଦ୍ବିତା କରିଥିବା ୮୩ ଜଣ ସ୍ବାଧୀନ ପ୍ରାର୍ଥୀ ୫୩ ହଜାର ୭୮ ଭୋଟ ହାତେଇବାରେ ସକ୍ଷମ ହୋଇଛନ୍ତି।

ଏକାମ୍ର ନିର୍ବାଚନ ମଣ୍ଡଳୀରେ ଏମାନେ ବେଶି କ୍ଷତି ପହଞ୍ଚାଇଛନ୍ତି। ଏଠାରେ ମଇଦାନକୁ ଓହ୍ଲାଇଥିବା ୩୧ ଜଣ ସ୍ବାଧୀନ ପ୍ରାର୍ଥୀ ୨୨ ହଜାର ୩୮ ଭୋଟ ହାତେଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ବିଜୟ ଟିକା ପିନ୍ଧିଛନ୍ତି। ଅନୁରୂପ ଭାବେ ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀ ଅଧୀନ ୨୪ଟି ୱାର୍ଡରେ ଲଢ଼ୁଥିବା ୩୧ ଜଣ ସ୍ବାଧୀନ ପ୍ରାର୍ଥୀ ୧୮ ହଜାର ୩୯୩ ଭୋଟ ପାଇବାରେ ସକ୍ଷମ ହୋଇଛନ୍ତି। ୩ ଜଣ ସ୍ବାଧୀନ ପ୍ରାର୍ଥୀ କର୍ପୋରେଟର ହୋଇଛନ୍ତି। ମଧ୍ୟ ଭୁବନେଶ୍ବରରେ ୱାର୍ଡ ସଂଖ୍ୟା ୧୯ ଥିବାରୁ ସ୍ବାଧୀନଙ୍କ ସଂଖ୍ୟା ବି କମ୍‌ ରହିଥିଲା। ମାତ୍ର ୨୧ ଜଣ ସ୍ବାଧୀନ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ। ସେମାନେ ୧୨ ହଜାର ୬୪୭ ଭୋଟ ହାତେଇଥିବା ବେଳେ ଦୁଇ ଜଣ ବିଜୟ ହାସଲ କରିଛନ୍ତି।

publive-image

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ସ୍ବାଧୀନ ପ୍ରାର୍ଥୀମାନେ ଜାତୀୟ ରାଜନୈତିକ ଦଳ କଂଗ୍ରେସ ପ୍ରାର୍ଥୀଙ୍କୁ ବହୁ ପଛରେ ପକାଇଛନ୍ତି। ଚଳିତ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀମାନେ ୫୩ ହଜାର ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀମାନେ ୧୧ ହଜାର ୨୬୧ରେ ଅଟକି ରହିଯାଇଛନ୍ତି। ୨୦୧୪ ତୁଳନାରେ ୧୯ ହଜାର କମ୍‌ ଭୋଟ ପାଇଛି କଂଗ୍ରେସ। ଏମିତିକି ମେୟର ପ୍ରାର୍ଥୀଙ୍କଠାରୁ କର୍ପୋରେଟର ପ୍ରାର୍ଥୀଙ୍କ ଭୋଟ ସଂଖ୍ୟା ଅଧିକ ରହିଛି। ସବୁ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ଦେଇପାରି ନ ଥିଲା। ଯେଉଁ ୪୮ଟି ୱାର୍ଡରେ ଦଳ ପ୍ରାର୍ଥୀ ଦେଇଥିଲା ସେଥିମଧ୍ୟରୁ ୨୬ଟି ୱାର୍ଡରେ ପ୍ରାର୍ଥୀଙ୍କ ଭୋଟ ସଂଖ୍ୟା ତିନି ଅଙ୍କ ‌ଛୁଇଁପାରି ନାହିଁ। ମାତ୍ର ତିନିଟି ୱାର୍ଡରେ କଂଗ୍ରେସ ଲଢ଼େଇ କରିଛି। ୬୬ ନମ୍ବର ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ୨୦୧୪ ଭୋଟ ପାଇଥିବା ବେଳେ ୩୧ ନମ୍ବର ୱାର୍ଡରେ ୧୪୦୨ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଆ‌ଉ କୌଣସି ୱାର୍ଡରେ ଦ୍ବିତୀୟ ସ୍ଥାନରେ ନାହାନ୍ତି। ସେହି ତୁଳନାରେ ସ୍ବାଧୀନ ପ୍ରାର୍ଥୀ ଉନ୍ନତ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି।