ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ: ତିନି ବିଧାୟକଙ୍କ ପାଇଁ ସମ୍ମାନର ପ୍ରଶ୍ନ

ନିଜ ପସନ୍ଦର ପ୍ରାର୍ଥୀ ପାଇଛନ୍ତି ବିଜେଡି ଟିକେଟ୍‌
ଅଧିକାଂଶ ବିଦ୍ରୋହୀଙ୍କୁ ଦମନ କରାଯାଇଛି
ଏଥର ଫଳାଫଳକୁ ଅପେକ୍ଷା
ମେୟର ପ୍ରାର୍ଥିନୀଙ୍କ ଦାୟିତ୍ବ ବି ବିଧାୟକଙ୍କ ଉପରେ

ଭୁବନେଶ୍ବର : ବିଏମ୍‌ସି ନିର୍ବାଚନରେ କର୍ପୋରେଟର୍ ପଦବି ପାଇଁ ସର୍ବାଧିକ ଆଶାୟୀ ଥିଲେ ବିଜେଡିର। ଶହ ଶହ ଆବେଦନ ଗଦା ହୋଇଥିଲା। ତିନି ବିଧାୟକଙ୍କ ଠାରୁ ଆରମ୍ଭ କରି ଦଳର ବରିଷ୍ଠ ନେତାଙ୍କ ଘରେ ମାଳ ମାଳ ଆଶାୟୀ ଚକ୍କର କାଟୁଥିଲେ। ଶେଷରେ ତିନି ବିଧାୟକଙ୍କର କଥା ହିଁ ରହିଲା। ସେମାନେ ପ୍ରାୟ ସବୁ ୱାର୍ଡରେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଟିକେଟ୍ ଦେବାରେ ସକ୍ଷମ ହେଲେ। ପୁଣି ପରବର୍ତ୍ତୀ ସମୟରେ ବିଭିନ୍ନ ଉପାୟରେ ଅଧିକାଂଶ ବିଦ୍ରୋହୀଙ୍କୁ ମଇଦାନରୁ ଦୂରେଇ ରଖାଗଲା। ଏବେ ସମସ୍ତଙ୍କ ଅପେକ୍ଷା ଫଳାଫଳକୁ। ତିନି ବିଧାୟକ କିପରି ତୃଣମୂଳ ସ୍ତରରେ ଦମ୍ ଦେଖାଉଛନ୍ତି, ତାହା ଉପରେ ରାଜନୈତିକ ମହଲର ନଜର ରହିଛି।

ପଞ୍ଚାୟତ ନିର୍ବାଚନର ଫଳାଫଳ ଏକପାଖିଆ ଭାବେ ଶାସକ ଦଳ ସପକ୍ଷରେ ଗଲା ପରେ ବିଏମ୍‌ସି ନିର୍ବାଚନରେ ବିଜେଡିରେ ଆଶାୟୀଙ୍କ ସଂଖ୍ୟା ବହୁ ଗୁଣରେ ବୃଦ୍ଧି ପାଇଥିଲା। ପ୍ରାର୍ଥୀ ଚୟନ କରିବା ଭୁବନେଶ୍ବରର ତିନି ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ ହୋଇଥିଲା। ପ୍ରଥମେ ଆଶାୟୀମାନଙ୍କୁ କୁହାଗଲା ଯେ ବିଧାୟକମାନେ କେବଳ ତିନି ଜଣଙ୍କ ନାମ ସୁପାରିସ୍ କରିବେ ଓ ଚୂଡ଼ାନ୍ତ ନିଷ୍ପତ୍ତି ଦଳର ଉପର ସ୍ତରରେ ହେବ। ଚୂଡ଼ାନ୍ତ ନିଷ୍ପତ୍ତି ପୂର୍ବରୁ ବିଭିନ୍ନ ଏଜେନ୍ସି ଦ୍ବାରା ସ୍ଥାନୀୟ ଅଞ୍ଚଳରେ ସର୍ଭେ କରାଯିବ। ବିଧାୟକଙ୍କ ସୁପାରିସ୍ ଓ ସର୍ଭେ ରିପୋର୍ଟକୁ ଭିତ୍ତି କରି ପ୍ରାର୍ଥୀ ଚୟନ ହେବ। ବିଧାୟକମାନେ ମଧ୍ୟ ୱାର୍ଡ ୱାରି ୩/୪ଟି ନାମ ସୁପାରିସ୍ କଲେ। ଆଶାୟୀମାନଙ୍କୁ ଏହି ସୁପାରିସ୍ ଦେଖାଇ କିଛି ଦିନ ଗଡ଼ାଇଲେ। କିନ୍ତୁ ଉପର ସ୍ତରରେ ପ୍ରାର୍ଥୀ ଚୟନ ବିଧାୟକଙ୍କ କଥାରେ ହିଁ ହେଲା। ବିଧାୟକଙ୍କ ପସନ୍ଦର ପ୍ରାର୍ଥୀ ଅଗ୍ରାଧିକାର ପାଇଲେ। ପୂର୍ବତନ ମନ୍ତ୍ରୀ, ପୂର୍ବତନ ବିଧାୟକ ଓ ବିଜେଡିର ବରିଷ୍ଠ ନେତାମାନେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବା ପାଇଁ ସୁପାରିସ୍ କରିଥିଲେ ଓ ବରମ୍ବାର ଚାପ ବି ସୃଷ୍ଟି କରିଥିଲେ। କିନ୍ତୁ କାହାରି ସୁପାରିସ୍, ଚାପ କାମ କରି ନ ଥିଲା। ବିଧାୟକମାନେ ଅନ୍ୟ ଅଞ୍ଚଳର ନେତାଙ୍କ ଅନଧିକାର ପ୍ରବେଶକୁ ଏକପ୍ରକାର ଟାଳି ଦେଲେ। ଆହୁରି ମଧ୍ୟ ପ୍ରାର୍ଥୀ ଚୟନରେ ତିନି ବିଧାୟକଙ୍କୁ ଅସନ୍ତୁଷ୍ଟ କରିବାକୁ ଦଳର ଉପର ମହଲରେ କେହି ଚାହିଁଲେ ନାହିଁ। ଯେହେତୁ ଅନ୍ୟ ପୌରପାଳିକାରେ ସ୍ଥାନୀୟ ବିଧାୟକଙ୍କ କଥାରେ ଟିକେଟ୍ ଦିଆଯାଇଛି, ତେଣୁ ଭୁବନେଶ୍ବରରେ ମଧ୍ୟ ସମାନ ନୀତି ଆପଣାଯାଇଥିଲା।

ଟିକେଟ୍ ବଣ୍ଟନ ପରେ ବିଦ୍ରୋହୀ ବି ମୁଣ୍ଡ ଟେକିଲେ। ଅର୍ଦ୍ଧାଧିକ ୱାର୍ଡରେ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କଲେ। ସେମାନଙ୍କୁ ବୁଝାସୁଝା କରି ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ କୁହାଗଲା। କାହାକୁ ପଦପଦବିର ଲୋଭ ଦେଖାଗଲା ତ କାହାକୁ ଧମକ ବି ଦିଆଗଲା। ଏଥିରେ ବି ଦଳ ସଫଳ ହେଲା। ବହୁ ବିଦ୍ରୋହୀ ମଇଦାନରୁ ଓହରିଗଲେ। ଯେଉଁ କେତେ ଜଣ ମାନିଲେ ନାହିଁ, ସେମାନଙ୍କୁ ଏବେ ନିଲମ୍ବନ କରାଯାଉଛି।

ତେଣୁ ବର୍ତ୍ତମାନ ତିନି ବିଧାୟକଙ୍କ ପ୍ରଦର୍ଶନ ଉପରେ ସବୁ ମହଲର ନଜର ରହିଛି। ଦଳୀୟ ପ୍ରାର୍ଥୀମାନଙ୍କୁ ଜିତାଇବା ସେମାନଙ୍କ ପାଇଁ ସମ୍ମାନର ପ୍ରସଙ୍ଗ ହୋଇଯାଇଛି। ଆସନ୍ତା ଦୁଇ ବର୍ଷ ପରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ମଧ୍ୟ ଏହାର ପ୍ରଭାବ ରହିବ। ପୁଣି ଯେଉଁ ନେତାମାନଙ୍କ ସୁପାରିସ୍ ଓ ଚାପକୁ ବିଧାୟକମାନେ ଏଡ଼ାଇଯାଇଛନ୍ତି, ଫଳାଫଳ ଖରାପ ହେଲେ ସେମାନଙ୍କ ଆଡ଼ୁ ମଧ୍ୟ ସମାଲୋଚନାର ଆଶଙ୍କା ରହିଛି। ସେଥି ପାଇଁ ତିନି ବିଧାୟକ ପୂରା ଦମ୍‌ରେ ପ୍ରାର୍ଥୀଙ୍କ ପାଇଁ ଲାଗି ପଡ଼ିଛନ୍ତି। ପ୍ରାର୍ଥିପତ୍ର ପ୍ରତ୍ୟାହାର ପ୍ରକ୍ରିୟା ସରିଲା ପରେ ବିଧାୟକମାନେ ମାରାଥନ୍ ପ୍ରଚାର ଆରମ୍ଭ କରିଛନ୍ତି। ସକାଳୁ ରାତି ଯାଏ ସେମାନଙ୍କୁ ଫୁର୍‌ସତ ନାହିଁ। ପ୍ରାର୍ଥୀମାନେ ଯେତିକି ପରିଶ୍ରମ କରୁଛନ୍ତି, ତାହାର ବହୁ ଗୁଣରେ ଅଧିକ ପରିଶ୍ରମ କରୁଛନ୍ତି ବିଧାୟକମାନେ। ଦିନରାତି ସେମାନଙ୍କ ପାଇଁ ଏକ୍ ହୋଇଯାଇଛି। ସଭା, ପଦଯାତ୍ରା, ରୋଡ୍ ସୋ’ ଆଦି ଜୋର୍‌ଦାର ଆୟୋଜନ କରାଯାଉଛି। ନିଜ ନିର୍ବାଚନମଣ୍ଡଳୀର ସବୁ ୱାର୍ଡ ପାଇଁ ବିଧାୟକମାନେ ନିଜ ନିଜ ବାଟରେ ରଣନୀତି ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳୁଛି। କର୍ପୋରେଟର୍ ପ୍ରାର୍ଥୀଙ୍କୁ ବିରୋଧ କରୁଥିବା ଅସନ୍ତୁଷ୍ଟ ନେତାଙ୍କୁ ଡାକି ସେମାନଙ୍କୁ ପ୍ରଚାରରେ ସାମିଲ୍ କରାଯାଉଛି। ବିଜେଡି ପକ୍ଷରୁ ନିଯୁକ୍ତ ପର୍ଯ୍ୟବେକ୍ଷକମାନେ ମଧ୍ୟ ଗତକାଲି ଠାରୁ ପ୍ରଚାରରେ ସାମିଲ୍ ହୋଇଥିବା ଦେଖିବାକୁ ମିଳିଛି। ପ୍ରଚାରରେ ବିଜେଡି ଅନ୍ୟ ସବୁଦଳକୁ ବହୁ ପଛରେ ପକାଇ ଦେଇଛି।

ଅପର ପକ୍ଷରେ ବିଜେଡିର ମେୟର ପ୍ରାର୍ଥିନୀ ସୁଲୋଚନା ଦାସ ଭୁବନେଶ୍ବର ସଂଗଠନ ପାଇଁ ନୂଆ। ଯଦିଓ ସେ ପୂର୍ବରୁ ଦଳୀୟ ଓ ସରକାରୀ ପଦବିରେ କାର୍ଯ୍ୟ କରିଛନ୍ତି, କିନ୍ତୁ ଭୁବନେଶ୍ବରରେ କୌଣସି ସାଂଗଠନିକ କାର୍ଯ୍ୟରେ ତାଙ୍କର ସଂପୃକ୍ତି ନ ଥିଲା। ଅଧିକାଂଶ କର୍ପୋରେଟର୍ ପ୍ରାର୍ଥୀଙ୍କ ପାଇଁ ମଧ୍ୟ ସେ ଅଜଣା ଥିଲେ। ଦଳର ମେୟର ପ୍ରାର୍ଥିନୀଙ୍କୁ ବଡ଼ ବ୍ୟବଧାନରେ ଜିତାଇବା ବିଜେଡି ପାଇଁ ସମ୍ମାନର ପ୍ରଶ୍ନ। ଏଥି ନିମନ୍ତେ ତିନି ବିଧୟକଙ୍କୁ ହିଁ ଦାୟିତ୍ବ ଦିଆଯାଇଛି। ମେୟର ପ୍ରାର୍ଥୀ ଚୟନରେ ସେମାନଙ୍କ ଭୂମିକା ଅଛି କି ନାହିଁ ତାହା ସ୍ପଷ୍ଟ ହୋଇ ନ ଥିଲେ ବି ଜିତାଇବା ପାଇଁ ସେମାନେ ଦାୟିତ୍ବ ନେଇଛନ୍ତି। ତିନି ବିଧାୟକଙ୍କ ସବୁ ବଡ଼ କାର୍ଯ୍ୟକ୍ରମରେ ମେୟର ପ୍ରାର୍ଥିନୀଙ୍କୁ ଦେଖିବାକୁ ମିଳୁଛି। ସବୁ କର୍ପୋରେଟର୍‌ ନିଜ ନିଜ ପୋଷ୍ଟର୍‌, ବ୍ୟାନର୍‌ କଲା ବେଳେ ମେୟର ପ୍ରାର୍ଥିନୀଙ୍କ ଫଟୋ ଓ ନାମ ରଖିବାକୁ କୁହାଯାଇଛି।

ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିବା ବିଦ୍ରୋହୀମାନେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ନା ଭିତିରିଆ ବିରୋଧ କରୁଛନ୍ତି, ତାହା ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇଛି। କିଛି ୱାର୍ଡରେ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ପାଇଁ ଦଳୀୟ ପ୍ରାର୍ଥୀ ଅଡ଼ୁଆରେ ପଡ଼ିଯାଇଛି। ତାହାର ସୁଯୋଗ ନେଇ ସେଠାରେ ବିରୋଧୀ ପ୍ରାର୍ଥୀ ଅଧିକ ସକ୍ରିୟ ହୋଇପଡ଼ିଛନ୍ତି। ସେହିସବୁ ୱାର୍ଡ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର